ଡେଙ୍ଗୁ ଡରରେ ଗାଁ ଖାଲି : ଓଡିଶା-ଆନ୍ଧ୍ର ସୀମାନ୍ତରେ ଡେଙ୍ଗୁ ଡର

58

ବ୍ରହ୍ମପୁର : ଡରାଉଛି ଡେଙ୍ଗୁ । ଆତଙ୍କିତ ଲୋକେ। ଘରେ ଘରେ ପଡିଛି ତାଲା । ଆଉ ଗାଁ ଛାଡିଛନ୍ତି ସ୍ଥାନୀୟ ବାସିନ୍ଦା । ଗାଁର ପ୍ରାୟ ଶତାଧିକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର, ବିଶାଖାପଟଣାରେ ଚିକିତ୍ସିତ ହେଉଛନ୍ତି । ସରକାରୀ ଭାବେ ଗାଁରେ ଜଣଙ୍କର ମୃତ୍ୟୁ ଡେଙ୍ଗୁ ଯୋଗୁଁ ହୋଇଥିବା କୁହାଯାଉଛି । ସେପଟେ ଆହୁରି ଅନେକ ଲୋକ ଗିରିସୋଲା ଛାଡି ଅନ୍ୟତ୍ର ଯିବାକୁ ସଜବାଜ ହେଉଛନ୍ତି । ପରିସ୍ଥିତି ବିଗିଡି ଗଲା ପରେ ଏବେ ପ୍ରଶାସନର ଚେତା ପସିଛି । ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ । ଗାଁରେ ପହଂଚିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ।

ଗିରିସୋଲାରେ ଡେଙ୍ଗୁ ତାର କାୟା ବିସ୍ତାର କରିଚାଲିଛି । ଦୀର୍ଘ ମାସେ ପରେ ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କ ଅବସ୍ଥା ବୁଝିବାକୁ ଆସିଛନ୍ତି ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ଉଷା ଦେବୀ । କିନ୍ତୁ ଗଣମାଧ୍ୟମ ସମ୍ମୁଖରେ ଗାଁ ଲୋକଙ୍କ ଦୁର୍ଦ୍ଦଶା ବିଷୟରେ ପଦେ କହିବାକୁ ସେ ମନାକରିଦେଇଛନ୍ତି । ଗତବର୍ଷ ବି ଏଠାରେ ଦେଖାଦେଇଥିଲା ଡେଙ୍ଗୁ । ତେବେ ପରିସ୍ଥିତି ଏତେ ସଙ୍କଟମୟ ନଥିଲା ପ୍ରଶାସନ ପକ୍ଷରୁ ବି କିଛି ଅଧିକ ପଦକ୍ଷେପ ନିଆଗଲାନି । ଫଳରେ ଠିକ୍ ବର୍ଷେ ପରେ ଲେଉଟିଛି ଡେଙ୍ଗୁ । ବିପର୍ଯ୍ୟସ୍ତ ଅବସ୍ଥାରେ ପଡିଛି ପରିମଳ।

କେଉଁଝର, କଟକରେ ଡେଙ୍ଗୁ ଭୟଙ୍କର ରୂପ ନେବା ପରେ ବି ସତର୍କ ହୋଇ ନାହାନ୍ତି ସରକାର । ଏହି ମାରାତ୍ମକ ରୋଗ ରୋକିବା ନେଇ କୌଣସି ଠୋସ ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି ।