ରାଜ୍ୟରେ ବଢୁଛି ଡେଙ୍ଗୁରୋଗୀଙ୍କ ସଂଖ୍ୟା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଏସସିବିରେ ଖୋଲାଯିବ ଡେଙ୍ଗୁର ସ୍ୱତନ୍ତ୍ର ଆଇସିୟୁ ସୂଚନା ଦେଲେ ସରକାର

31

କନକ ବ୍ୟୁରୋ : ସାରା ରାଜ୍ୟରେ ଡେଙ୍ଗୁରୋଗ କାୟା ବିସ୍ତାର କରିବାରେ ଲାଗୁଛି । ପ୍ରତ୍ୟେକ ଦିନରେ କୈାଣସି ନା କୈାଣସି ଜିଲ୍ଲାରୁ ପ୍ରତ୍ୟେକ ଦିନ ଅନେକ ଲୋକ କଟକ ବଡ ମେଡିକାଲକୁ ଡେଙ୍କୁ ଚିକିତ୍ସା ପାଇଁ ଆସୁଛନ୍ତି । ତେଣୁ ମେଡିକାଲରେ ମଧ୍ୟ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକ ବଡ଼ ମେଡିକାଲରେ ଡେଙ୍ଗୁ ରୋଗୀଙ୍କ ପାଇଁ ଖୋଲିବ ସ୍ୱତନ୍ତ୍ର ଆଇସିୟୁ ବୋଲି ସୂଚନା ଦେଇଛନ୍ତି । ତେବେ ଏହା ସେଣ୍ଟ୍ରାଲ ଆଇସିୟୁ ପାଖରେ ଏଭଳି ଆଇସିୟୁ ବ୍ୟବସ୍ଥା କରାଯିବା ସହ ଦୁଇ/ତିନି ଦିନ ଭିତରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନ ମହାରଣା ସୂଚନା ଦେଇଛନ୍ତି। ଏହି ଆଇସିୟୁରେ ୮ଟି ବେଡ୍ ରହିବ।

 

ଏହା ଦ୍ୱାରା ଡେଙ୍ଗୁ ରୋଗୀଙ୍କ ପାଇଁ ଆବଶ୍ୟକ ହେଉଥିବା ଆଇସିୟୁ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ଆଶା କରାଯାଉଛି। ଅନ୍ୟପଟେ କଟକ ଜିଲ୍ଲାର ଚୌଦ୍ୱାର, ଜଗତ୍ପୁର, ଟାଙ୍ଗୀ, ମଙ୍ଗୁଳି, ବେଲତେରୁଆଁ ପାଲଟିଛି ଡେଙ୍ଗୁ ପ୍ରବଣ ଅଞ୍ଚଳ। ଆଜି ଏସସିବିରେ ପରୀକ୍ଷା ହୋଇଥିବା ୯୯ଟି ରକ୍ତ ନମୁନାରୁ ୩୩ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ କେବଳ କଟକର ଅଛନ୍ତି ୧୯ଜଣ। ଜଗତ୍ସିଂହପୁର ୫, ଯାଜପୁର ୩, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ରାୟଗଡା ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ଆଜି ୭୦ଜଣ ଡେଙ୍ଗୁ ରୋଗୀ ଏସସିବିରେ ଚିକିତ୍ସିତ ହେଉଥିବାବେଳେ ସେଥିରୁ ୭ଜଣ ଆଇସିୟୁରେ ଭର୍ତ୍ତି ହୋଇଥିବା ଏସସିବି କର୍ତ୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ। ଅନ୍ୟପଟେ ଏସସିବିରେ ସ୍ୱତନ୍ତ୍ର ଡେଙ୍ଗୁ ଓ୍ଵାର୍ଡ ଥିଲେ ମଧ୍ୟ ସ୍ୱତନ୍ତ୍ର ଆଇସିୟୁ ନଥିବାରୁ ରୋଗୀମାନଙ୍କୁ ବିଭିନ୍ନ ବିଭାଗର ଆଇସିୟୁରେ ରଖାଯାଉଛି। ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟରେ ପ୍ରାୟ ୨୦୦୦ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି ତେଣୁ ବେଳ ଥାଉ ଏହାକୁ କାବୁ କରିବା ପାଇଁ ସରକାର ଅଣ୍ଟା ଭିଡିଛନ୍ତି ।