ସମ୍ବିଧାନ ବେଂଚକୁ ଗଲା ବିମୁଦ୍ରାକରଣ : ସରକାରଙ୍କ ନିଷ୍ପତିର ବୈଧତା ନେଇ ବିଚାର ହେବ

27

କନକ ବ୍ୟୁରୋ : ସମ୍ବିଧାନ ବେଂଚକୁ ଗଲା ବିମୁଦ୍ରାକରଣ । ସରକାରଙ୍କ ନିଷ୍ପତିର ବୈଧତା ନେଇ ବିଚାର ହେବ । କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ ନିଷ୍ପତିର ବୈଧତା ସମ୍ପର୍କରେ ୫ ଜଣିଆ ସମ୍ବିଧାନ ଖଣ୍ଡପୀଠ ଶୁଣାଣି କରିବେ । ସୁପ୍ରିମକୋର୍ଟ ବିମୁଦ୍ରାକରଣର ଶୁଣାଣି ଦାୟିତ୍ୱ ବେଂଚ୍ ଉପରେ ନ୍ୟସ୍ତ କରିଛନ୍ତି ।

ଏଥିସହ ଦେଶର ବିଭିନ୍ନ ହାଇକୋର୍ଟରେ ଚାଲିଥିବା ଶୁଣାଣି ଉପରେ ରହିତାଦେଶ ଜାରି କରିଛନ୍ତି ଉଚ୍ଚତମ ନ୍ୟାୟାଳୟ । ବିଭିନ୍ନ କୋର୍ଟରେ ବିମୁଦ୍ରାକରଣ ସମ୍ପର୍କୀତ ମାମଲାର ବିକ୍ଷିପ୍ତ ଭାବେ ଶୁଣାଣି ହୋଇପାରିବ ନାହିଁ ବୋଲି ଏବଂ ଶୁଣାଣି କେବଳ ଉଚ୍ଚତମ ନ୍ୟାୟାଳୟରେ ହିଁ ହେବ ବୋଲି ରାୟ ଦେଇଛନ୍ତି ।

ବିମୁଦ୍ରାକରଣର ସାମ୍ବିଧାନିକ ବୈଧତା ଉପରେ ୫ ଜଣିଆ ଖଣ୍ଡପୀଠ ଶୁଣାଣି କରିବେ । ଏଥିସହ ମାମଲାର ଶୁଣାଣି କରିବାକୁ ଥିବା ଖଣ୍ଡପୀଠ ୯ ଟି ପ୍ରସଙ୍ଗ ଉପରେ ତର୍ଜମା କରିବାକୁ ପ୍ରସ୍ତାବ ଦିଆଯାଇଛି । ଆଇନ୍, ସରକାରଙ୍କ ସ୍ୱାଧିନତା ଓ ସମାନତାର ଅଧିକାରକୁ କ୍ଷୁଣ୍ଣ କରୁଛି କି ନାହିଁ ସେ ନେଇ ସାମ୍ବାଧାନିକ ବେଂଚ ତର୍ଜମା କରିବ ।

ଏଥିସହ ସରକାରଙ୍କ ନିଷ୍ପତି ବିରୋଧରେ ରାଜନୈତିକ ଦଳ ଗୁଡିକ ରିଟ୍ ପିଟିସନ୍ ସୁପ୍ରିମକୋର୍ଟରେ ଆବେଦନ କରିପାରିବେ କି ନାହିଁ ସେ ନେଇ ମଧ୍ୟ ବିଚାର କରିବେ । ତେବେ ପୁରୁଣା ୫ ଶହ ଓ ହଜାରେ ଟଂକିଆ ନୋଟକୁ ଜରୁରୀକାଳୀନ ସେବାରେ ବ୍ୟବହାର କରିବାର ଅବଧି ବଢାଇବାକୁ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।