ଦିଲ୍ଲୀ ନିଷ୍ପତିରେ ପଲ୍ଲୀ ଘାଇଲା : ଖୁଚୁରା ଅଭାବରୁ ବିକ୍ରୀ ହୋଇପାରିଲାନି ଚାଷୀର ଟମାଟୋ

31

କନକ ବ୍ୟୁରୋ : ବଡ ନୋଟ ଅଚଳ ହେବା ପରେ ରାସ୍ତାରେ ଫୋପଡା ହେଲା ଟମାଟୋ । ବିଶ୍ୱାସ ନହେଲେ ବି ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ବରଗଡରେ । ଲୋକଙ୍କ ପକେଟରେ ଟଙ୍କା ନାହିଁ, ୧ ଟଙ୍କାରେ ବି ବିକ୍ରି ହୋଇପାରୁନି କିଲେ ଟମାଟୋ । ବାଧ୍ୟ ହୋଇ ଅମଳ ଟମାଟୋକୁ ଫୋପାଡି ଦେଉଛନ୍ତି ଚାଷୀ । ଏଭଳି ଚିତ୍ର ସାମ୍ନାକୁ ଆସିବା ପରେ ସରଗରମ ହୋଇଛି ବିଧାନସଭା । ଆଉ ଲୋକଙ୍କ ସମସ୍ୟାକୁ ଦେଖି ବିମୁଦ୍ରାକରଣ ପ୍ରସଙ୍ଗରେ ସ୍ୱର ବଦଳାଇଛି ବିଜେଡି ।

ବିମୁଦ୍ରାକରଣର ପ୍ରଭାବ । ବିଶ୍ୱାସ ହେଉନଥିଲେ ବି ସତ । ନୂଆ ଦିଲ୍ଲୀର ଏକ ନିଷ୍ପତି  ପଲ୍ଲିକୁବି କରିଛି ପ୍ରଭାବିତ କାରଣ କିଲୋପିଛା ୧ ଟଙ୍କାରେ ବି ବିକ୍ରି ହେଉନି ଟମାଟୋ । ବରଗଡ ଜିଲ୍ଲା ଦୁବେଲ ପାଲ୍ଲିରେ ଦେଖିବାକୁ ମିଳିଛି ବିମୁଦ୍ରାକରଣର  ଅଭାବନୀୟ ଚିତ୍ର । ୫୦୦ ଓ ହଜାରେ ଟଙ୍କିଆ ନୋଟ ଅଚଳ ହେବା ପରେ ଏହାର ଏଭଳି ଏକ ପ୍ରଭାବ ଅନେକଙ୍କୁ ବିସ୍ମିତ କରିଛି ।

କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ ଘୋଷଣା ପରେ ଦେଖାଦେଇଥିବା ସମସ୍ୟାକୁ ନେଇ ବିଧାନସଭାରେ ବି ଉଠିଲା ଝଡ । ଦେଶରେ ଅର୍ଥନୈତିକ ଅରାଜକତା ସୃଷ୍ଟି କରିଥିବା ଅଭିଯୋଗରେ ମୋଦି ସରକାରଙ୍କୁ ସମାଲୋଚନା କରିବା ସହ ରାଜ୍ୟ ସରକାର କୌଣସି ବିକଳ୍ପ ବ୍ୟବସ୍ଥା କରିନଥିବା ଅଭିଯୋଗ କରିଛି କଂଗ୍ରେସ ।

ବିମୁଦ୍ରାକରଣର ପ୍ରଭାବ ଛୋଟମୋଟ ବ୍ୟବସାୟକୁ ବ୍ୟାପକ ଭାବେ ପ୍ରଭାବିତ କରିଛି । ଲୋକଙ୍କ ପାଖରେ ଖର୍ଚ୍ଚ କରିବାକୁ ଟଙ୍କା ନାହିଁ । ନିଜ ପାଖରେ ଥିବା ପୁରୁଣା ଟଙ୍କା ବ୍ୟାଙ୍କରେ ଜମା କରିସାରିଥିବାବେଳେ ଉଠାଣ ଉପରେ କଟକଣା ପକେଟ ଖାଲି କରିଦେଇଛି ।