ବେକାରୀ ବଢାଇବ ବିମୁଦ୍ରାକରଣ ! ଆସିଲା ଏଆଇଏମଓର ସର୍ଭେ ରିପୋର୍ଟ

35

କନକ ବ୍ୟୁରୋ : ବିମୁଦ୍ରାକରଣକୁ ଦୁଇମାସ ପୁରିଲା । ହେଲେ ଏବେ ସୁଦ୍ଧା ନୋଟବନ୍ଦର ସାଇଡ୍ ଇଫେକ୍ଟରୁ ମୁକ୍ତି ପାଇ ପାରୁନାହାନ୍ତି ଦେଶବାସୀ । ଏଭଳି ସ୍ଥିତିରେ ସାମ୍ନାକୁ ଆସିଛି ଏକ ସାଂଘାତିକ ସର୍ଭେ ରିପୋର୍ଟ ।

ବେକାରୀ ବଢାଇବ ବିମୁଦ୍ରାକରଣ । ରାଜକୋଷକୁ ବି କ୍ଷତି ପହଂଚାଇବ ନୋଟବନ୍ଦୀ ନିଷ୍ପତି । ୫୦୦ ଓ ହଜାରେ ଟଙ୍କିଆ ନୋଟ୍ ଅଚଳ ନିଷ୍ପତିର ୨ମାସ ପରେ ଏମିତି ସାଂଘାତିକ ସର୍ଭେ ରିପୋର୍ଟ ପ୍ରକାଶ କରିଛି ଅଲ୍ ଇଣ୍ଡିଆ ମେନୁଫେକଚରର୍ସ ଅର୍ଗାନାଇଜେସନ୍ ବା ଏଆଇଏମଓ । ସଂସ୍ଥାର ରିପୋର୍ଟ ଅନୁସାରେ ବିମୁଦ୍ରାକରଣ ଘୋଷଣାର ପ୍ରଥମ ୩୪ଦିନ ମଧ୍ୟରେ ପ୍ରଭାବିତ ହୋଇଥିଲା ମାଇକ୍ରୋ ସ୍କୁଲ୍ ଇଣ୍ଡଷ୍ଟ୍ରିଜ୍ ସେଗମେଂଟ୍ ।

ଅତି କ୍ଷୁଦ୍ର ଶିଳ୍ପ ସଂସ୍ଥା ଗୁଡିକରୁ ୩୫ପ୍ରତିଶତ କର୍ମଚାରୀଙ୍କୁ ନିଜ ଚାକିରୀ ହରାଇବାକୁ ପଡିଥିଲା । ଏପରିକି ଏହି ସୀମିତ ଅବଧି ଭିତରେ ୫୦% ରାଜସ୍ୱ ହରାଇବାକୁ ପଡିଥିଲା । ସର୍ଭେ ରିପୋର୍ଟ ଆସିବା ପରେ ସଂସ୍ଥା ଆହୁରି ସାଂଘାତିକ୍ ଆକଳନ କରିଛି । କହିଛି, ଆସନ୍ତା ମାର୍ଚ୍ଚ ସୁଦ୍ଧା ନିଯୁକ୍ତିରେ ୬୦% ଓ ରାଜସ୍ୱରେ ୫୫% ହାନି ହେବ । କେବଳ ସେତିକି ନୁହେଁ ବିମୁଦ୍ରାକରଣର ପ୍ରଭାବ ଶିଳ୍ପ ଅର୍ଥନୀତିକୁ ଦୋହଲାଇ ଦେବ ।

ଖାସ୍ କରି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠାନ ଅତି ମାତ୍ରାରେ ପ୍ରଭାବିତ ହେବା ଆଶଙ୍କା କରାଯାଉଛି । ବର୍ତ୍ତମାନ ସୁଦ୍ଧା ସଂସ୍ଥାର ୩ଟି ସର୍ଭେ ରିପୋର୍ଟ ଆସିଛି । ଶେଷ ସର୍ଭେ ରିପୋର୍ଟ ଆସିବା ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ସଂସ୍ଥା କହିଛି । ସେପଟେ ଏଭଳି ଏକ ଆକଳନକୁ ଖଣ୍ଡନ କରିଛନ୍ତି ଅର୍ଥନୀତି ବିଶେଷଜ୍ଞ ।

କଳାଧନ ବିରୋଧରେ ଯୁଦ୍ଧର ଡାକରା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହେଲେ ଦୁଇମାସ ପରେ ବି ପରିସ୍ଥିତିରେ ସୁଧାର ଆସିନି । ସେପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଠାରୁ ଆରମ୍ଭ କରି ଦେଶର ଜଣାଶୁଣା ଅର୍ଥନୀତି ବିଶାରଦ ବିମୁଦ୍ରାକରଣର ପରିଣାମକୁ ନେଇ ଦ୍ୱନ୍ଦ ପ୍ରକାଶ କରିଛନ୍ତି । ଏଭଳି ପରିସ୍ଥିତିରେ ଜାତୀୟ ଶିଳ୍ପ ସଂସ୍ଥାର ଏ ସର୍ଭେ ରିପୋର୍ଟ ସାଧାରାଣରେ ଚିନ୍ତା ସୃଷ୍ଟି କରିଛି ।

ଅନ୍ୟପଟେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ବିମୁଦ୍ରାକରଣ ପାଇଁ ଅର୍ତନୀତି ପ୍ରଭାବିତ ହୁଏ ନାହିଁ । ଚାକିରୀ ଯିବା ଓ ନିଯୁକ୍ତି କମିବା କଥା ଠିକ୍ ନୁହେଁ ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଅବକାରୀ ରାଜସ୍ୱ ୩୧ଦଶମିକ ୬ ପ୍ରତିଶତ, ସେବା କର ୧୨ ଦଶମିକ ୪ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଜେଟଲୀ କହିଛନ୍ତି ।ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ କର ଆଦାୟରେ ଆଖିଦୃଶିଆ ବୃଦ୍ଧି ଘଟିଛି । ଗତ ୨ ମାସର ତଥ୍ୟ ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ପରୋକ୍ଷ କର ୧୨ ଦଶମିକ ୮ ପ୍ରତିଶତ ବୃଦ୍ଧି ପାଇଛି ।