ଚାଷୀ ପେଟରେ ଲାତ! ପୁରୁଣା ନୋଟର ଧମକ୍ ଦେଇ ଦଲାଲ୍ କରୁଛନ୍ତି ଶୋଷଣ

55

କନକ ବ୍ୟୁରୋ : ବିମୁଦ୍ରାକରଣ ପ୍ରଭାବରେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ । ସରକାରୀ ମଣ୍ଡି ଖୋଲି ନଥିବାରୁ ବାଧ୍ୟହୋଇ ବାହାର ରାଜ୍ୟ ବେପାରୀଙ୍କୁ ଧାନ ବିକ୍ରି କରୁଛନ୍ତି । ହେଲେ ଚିନ୍ତାର ବିଷୟ ହେଲା, ଧାନ ନେଇ ପୁରୁଣା ନୋଟ ଦେଉଛନ୍ତି ଦଲାଲ୍ । ଆଉ ନୂଆ ନୋଟ୍ ଦେଲେ ନିର୍ଦ୍ଧାରିତ ମୂଲ୍ୟଠାରୁ କମ ଦେଉଛନ୍ତି । ଆଉ କେତେକ ସ୍ଥାନରେ ଚାଷୀ ପାଖରେ ନୋଟର ଅଭାବ, ଅମଳ କାମକୁ ବିଳମ୍ବିତ କରିଛି । ଏଭଳି ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଓ ନିମାପଡାରେ ।

farmer problem ରାତିଅଧରେ ଚାଲାଣ ହେଉଛି ଟ୍ରକଟ୍ରକ ଧାନ । ନବରଙ୍ଗପୁରରେ ଚାଷୀଙ୍କୁ ଦାଉ ସାଧୁଛନ୍ତି ଦଲାଲ । ବିକ୍ରି ନହୋଇ ଖଳାରେ ଧାନ ପଡିରହିଥିବାରୁ, ବାଧ୍ୟ ହୋଇ ବାହାର ରାଜ୍ୟ ବେପାରୀଙ୍କୁ ଟେକି ଦେଉଛନ୍ତି ଜିଲ୍ଲାର ଚାଷୀ । ସବୁଠାରୁ ବଡକଥା ହେଲା ବିମୁଦ୍ରାକରଣ ପ୍ରଭାବରେ ଅଭାବୀ ବିକ୍ରିର ଶିକାର ହେଉଛି କୃଷକ । ଧାନ ବିକିଲେ ଅଚଳ ନୋଟ ଦେଉଛନ୍ତି ଦଲାଲ । ନୂଆ ନୋଟ ଦାବି କଲେ ନିର୍ଦ୍ଧାରିତ ଦରଠାରୁ କମ ମୂଲ୍ୟ ମିଳୁଥିବା ଅଭିଯୋଗ ହେଉଛି ।

ଉପକୂଳ ଜିଲ୍ଲାରେ ବି ସମାନ ଚିତ୍ର । ପୁରୀ ଜିଲ୍ଲା ନିମାପଡାରେ ଖରିଫ ଋତୁରେ ୫୦ ହାଜାର ହେକ୍ଟରରେ ଧାନ ଓ ୬ ହଜାର ହେକ୍ଟର ଜମିରେ ଅଣଧାନ ଚାଷ କରାଯାଇଛି । ହେଲେ ବଡ ନୋଟ ବ୍ୟାନ ପରେ ଚାଷୀଙ୍କ ପାଖରେ ଟଙ୍କାର ଅଭାବ ଥିବାରୁ ଆରମ୍ଭ ହୋଇପାରୁନି ଧାନ ଅମଳ କାମ । ସେପଟେ ଧାନଚାଷ ପରେ ହେବାକୁ ଥିବା ପନିପରିବା ଚାଷ କାମ ମଧ୍ୟ ଆଗେଇ ପାରୁନି ।

ବିମୁଦ୍ରାକରଣର ମୁକାବିଲା ପାଇଁ କେନ୍ଦ୍ର ସରକାର ଡିଜିଟାଲ ପେମେଂଟକୁ ବିକଳ୍ପ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଉଛନ୍ତି । ହେଲେ ଚାଷୀ ଧାନ ବିକିବା କିମ୍ବା ଅମଳ ପାଇଁ ଶ୍ରମିକ ନିୟୋଜନ କରିବା ଦିଗରେ ଏହି ଇଲେକ୍ଟ୍ରୋନିକ ପେମେଂଟ ବ୍ୟବସ୍ଥା କେମିତି ସହାୟତା କରିବ ତାହା ବୁଝି ହେଉନାହିଁ ।