କନକ ବ୍ୟୁରୋ : ୫ଶହ ଓ ହଜାରେ ଟଙ୍କିଆ ନୋଟ ଅଚଳ ନିଷ୍ପତିକୁ ନେଇ ଆସିଲା ନୂଆ ତଥ୍ୟ । ୨୦୧୬ ନଭେମ୍ବର ୮ ତାରିଖରେ ନିଆଯାଇଥିବା ବିମୁଦ୍ରାୟନ ଭଳି ବଡ ନିଷ୍ପତି ନିଆଯାଇଥିଲା ମାତ୍ର ୩ ଘଂଟାରେ । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ନଭେମ୍ବର ୮ ତାରିଖ ସାଢେ ୫ଟାରେ ବସିଥିଲା ଆରବିଆଇର ବୈଠକ । ସେହିଦିନ ସାଢେ ୬ଟାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସି ଆରବିଆଇର ତିନି ଧାଡିଆ ନିଷ୍ପତିକୁ ପାରିତ କରିବା ସହ ରାତି ୮ଟାରେ ଘୋଷଣା ହେଲା ସ୍ୱାଧୀନତା ପରର ସବୁଠାରୁ ବଡ ନିଷ୍ପତି ।

ଦେଶରେ କଳାଧନ କାରବାର ରୋକିବା ଉଦ୍ଦେଶ୍ୟରେ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାତିଅଧିଆ ୫୦୦ ଓ ହଜାରେ ଟଙ୍କିଆ ନୋଟକୁ ଅଚଳ କରିଦେବା ନିଷ୍ପତି ଅତ୍ୟନ୍ତ ତରବରିଆ ଥିଲା ବୋଲି ଅଭିଯୋଗ ହୋଇଆସୁଛି । ଘୋଷଣା ପରେପରେ ଅନେକଦିନ ଯାଏଁ ଏଟିଏମ ଓ ବ୍ୟାଙ୍କ ଶାଖାଗୁଡିକ ଆଗରେ ଲୋକଙ୍କ ଭିଡ, ସରକାରଙ୍କ ତରବରିଆ ନିଷ୍ପତିର ପରିଣାମ ବୋଲି ବାରମ୍ବାର ଅଭିଯୋଗ ଆଣିଥିଲେ ବିରୋଧୀ ।

ସୂଚନା ଅଧିକାର ଆଇନ ବଳରେ ମିଳିଲା ବିମୁଦ୍ରାକରଣର ଭିତିରି ତଥ୍ୟ । ବଲାଙ୍ଗିରର ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ଭାରତୀୟ ରିଜର୍ଭ ବ୍ୟାଙ୍କରୁ ମାଗିଥିବା ତଥ୍ୟ ଅନୁଯାୟୀ, ୨୦୧୬ ମସିହା ନଭେମ୍ବର ୮ ତାରିଖ ସଂଧ୍ୟା ସାଢେ ୫ଟାରେ ବସିଥିଲା ଆରବିଆଇର କେନ୍ଦ୍ରୀୟ ବୋର୍ଡ ନିର୍ଦ୍ଦେଶକମାନଙ୍କ ୫ଶହ ୬୧ତମ ବୈଠକ । ଯେଉଁଥିରେ ଉପସ୍ଥିତ ଥିଲେ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ ଓ ଡେପୁଟି ଗଭର୍ଣ୍ଣର ଆର ଗାନ୍ଧି, ଏସଏସ ମୁନ୍ଦ୍ରାଙ୍କ ସମେତ ଡାଇରେକ୍ଟର ଅଞ୍ଜୁଲି ଚିବ ଡୁଗଗଲ, ଶକ୍ତିକାନ୍ତ ଦାଶ, ନଚିକେତ ମୋର, ଭାରତ ଏନ ଦୋଷୀ, ସୁଧିର ମଙ୍କଡ ଏବଂ ସେକ୍ରେଟାରୀ ଏସକେ ମାହେଶ୍ୱରୀ । ଆଉ ୫୦୦ ଓ ହଜାରେ ଟଙ୍କିଆ ନୋଟକୁ ଅଚଳ କରିଦେବା ଲାଗି ନିଆଗଲା ତିନି ଧାଡିଆ ନିଷ୍ପତି ।

ସଂଧ୍ୟା ସାଢେ ୬ଟାରେ କେନ୍ଦ୍ର କ୍ୟାବିନେଟ ବୈଠକ । ରାତି ୮ଟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱତନ୍ତ୍ର ଘୋଷଣା । ବାସ ତିନିଘଂଟାରେ ଶେଷ ହୋଇଥିଲା ସଚଳ ଥିବା ପ୍ରାୟ ୮୬ ପ୍ରତିଶତ ମୂଦ୍ରାକୁ ଅଚଳ କରିଦେବାର ବଡ ନିଷ୍ପତି । ଆଉ ରାତି ୮ଟାରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ସହ ଲାଗୁ ହୋଇଗଲା କଟକଣା । ତାପରର ଅନୁଭୂତି ଆପଣ ସମସ୍ତଙ୍କ ପାଖରେ ଉଣାଅଧିକେ ଥିବ । ବିରୋଧୀ ଆର୍ଥିକ ଜରୁରୀ ପରିସ୍ଥିତି ବୋଲି କହୁଥିବା ଏହି ନିଷ୍ପତି କଳାଧନ କାରବାରକୁ ରୋକିବାରେ କେତେଦୂର ସଫଳ ହୋଇଛି ତାହା ବିତର୍କର ବିଷୟ ।