ବିମୁଦ୍ରାକରଣ ନେଲା ନବବଧୂର ଜୀବନ !

67

ବିମୁଦ୍ରାକରଣ ନେଲା ଜଣେ ନବବିବାହିତାର ଜୀବନ । ଏମିତି ଏକ ସାଂଘାତିକ୍ ଅଭିଯୋଗ ଆସିଛି ଗଂଜାମ ଜିଲ୍ଲାରୁ । ବାପଘରେ ଲୋକେ ଯୌତୁକ ବାବଦକୁ ଟଙ୍କା ଠିକ୍ ସମୟରେ ଦେଇ ନ ପାରିବାରୁ ଶ୍ୱଶୁର ଘର ଲୋକେ ଝିଅକୁ ମାରି ଦେଇଥିବା ଅଭିଯୋଗ ହୋଇଛି । କୁହାଯାଉଛି, ୯ ତାରିଖରେ ହୋଇଥିଲା ମୃତ ମହିଳାଙ୍କ ବିବାହ ।
ବିମୁଦ୍ରାକରଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ଘୋଷଣା ପରଦିନ ଠାକୁରାଣୀଙ୍କୁ ସାକ୍ଷୀ ରଖି ସିନ୍ଦୁର ପିନ୍ଧିଥିଲେ ଗଂଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ରଙ୍ଗୀପୁର ଗାଁର ପ୍ରଭାସିନୀ । ୧ ଲକ୍ଷ ୭୦ ହଜାର ଟଙ୍କାର ନଗଦ ଯୌତୁକ ଧରି ଶ୍ୱଶୁର ଘରେ ପହଂଚିଥିଲେ । ନୂଆ ଜୀବନ ଆରମ୍ଭ ହେବା ପୂର୍ବରୁ ଅଚଳ ହୋଇଗଲା ପୁରୁଣା ନୋଟ୍ । ବାସି ହୋଇଗଲା ୧,୭୦୦୦୦ ଟଙ୍କା । ଶ୍ୱଶୁର ଘର ଲୋକେ ଦାବି କଲେ ନୂଆ ନୋଟରେ ଆରମ୍ଭ ହେବ ନୂଆ ଜୀବନ । ୨୦ ଦିନର ମହଲତ ସହ ବାପଘର ଲୋକେ ଫେରାଇ ଆଣିଲେ ଟଙ୍କା । ହେଲେ ୨୦ ଦିନ ପୂର୍ବରୁ ରହସ୍ୟମୟ ଭାବେ ପ୍ରଭାସିନୀଙ୍କ ମୃତ୍ୟୁ ହେଲା ।

ରସି ଲଗାଇ ଆତ୍ମହତ୍ୟା କରିଛନ୍ତି ପ୍ରଭାସିନୀ । ହେଲେ ପରିବାର ଲୋକଙ୍କ ଅଭିଯୋଗ ଯୌତୁକ ଟଙ୍କା ଫେରି ନପାଇବାରୁ ଝିଅକୁ ମାରି ଦେଇଛନ୍ତି ଶ୍ୱଶୁର ଘର ଲୋକେ । ତେବେ ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରଭାସିନୀଙ୍କ ଶ୍ୱଶୁର ଘର ଲୋକେ । ସେପଟେ ପୁଲିସ୍ ମୃତଦେହକୁ ଉଦ୍ଧାର କରିବା ସହ ସ୍ୱାମୀ ଲକ୍ଷ୍ମୀ ନାହାକକୁ ଥାନାରେ ଅଟକ ରଖିଛି । ତେବେ ହତ୍ୟା ନା ଆତ୍ମହତ୍ୟା । ଯୌତୁକ ନା ଅନ୍ୟ କିଛି କାରଣ । ସେନେଇ ତଦନ୍ତ ଆରମ୍ଭ କରିଛି ପୁଲିସ୍ ।