ବିମୁଦ୍ରାକରଣ ବିବାଦ! ବେହାଲ ସ୍ଥିତି ସୁଧାରିବାକୁ ୧୦୦ କୋଟିର ସିଜ୍ ନୋଟ୍ ବଜାରକୁ ଛାଡିବେ ସରକାର

25

କନକ ବ୍ୟୁରୋ : ବିମୁଦ୍ରାକରଣ ପରେ ଉପୁଜିଥିବା ସମସ୍ୟାକୁ ସୁଧାରିବାକୁ ସରକାରଙ୍କ ଉଦ୍ୟମ । ବେହାଲ ସ୍ଥିତି ସୁଧାରିବାକୁ ୧୦୦ କୋଟିର ସିଜ୍ ନୋଟ୍ ବଜାରକୁ ଛାଡିବେ ସରକାର । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି, ଆରବିଆଇ ପାଖରେ ଯଥେଷ୍ଟ ଟଙ୍କା ଅଛି । ସେହିପରି ଛୋଟ ବ୍ୟବସାୟୀଙ୍କ ପାଇଁ ଡିଜିଟାଲ୍ ପେମେଂଟ୍ ଉପରେ ଟାକ୍ସ ଛାଡ କରିବାକୁ ନିଷ୍ପତି ନେଇଛନ୍ତି ସରକାର ।

ସେପଟେ ବ୍ୟବସାୟୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଆଶ୍ୱସ୍ତି । ଡିଜିଟାଲ୍ ପେମେଂଟ୍ କଲେ ମିଳିବ ରିହାତି । ଛାଡ ହେବ ଟ୍ୟାକ୍ସ । ବାର୍ଷିକ ୨ କୋଟି ଟଙ୍କାର ଆୟ ଥିବା ବ୍ୟବସାୟୀଙ୍କୁ ଏହି ସୁବିଧା ମିଳିବ । ୨ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର ହେଲେ, ଆୟ ମାତ୍ର ୬ ପ୍ରତିଶତ ବୋଲି ଧରି ନିଆଯିବ ।

ଏହା ଉପରେ ଆୟକର ନିର୍ଦ୍ଧାରଣ କରାଯିବ । ତେବେ ଡିଜିଟାଲ ମୋଡରେ କାରବାର ନହେଲେ ଏହା ପୂର୍ବଭଳି ଆୟ ୮ ପ୍ରତିଶତ ବୋଲି ଧରାଯିବ । ବିମୁଦ୍ରାକରଣ ପରେ ସ୍ଥିତିରେ ସୁଧାର ଆଣିବାକୁ ଏବଂ ଡିଜିଟାଲ୍ ପେମେଂଟକୁ ଗୁରୁତ୍ୱ ଦେବାକୁ ଏଭଳି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର ।

ଆରବିଆଇ ପାଖରେ ପର୍ଯ୍ୟାପ୍ତ ପରିମାଣର ୫ ଶହ ଓ ୨ ହଜାର ନୋଟ୍ ଥିବା ଅର୍ଥମନ୍ତ୍ରୀ କହିଛନ୍ତି । ବ୍ୟାଙ୍କ ଗୁଡିକୁ ଅଧିକରୁ ଅଧିକ ଟଂକା ପଠାଯାଉଛି । ଏପରିକି ବ୍ୟାଙ୍କ ମଧ୍ୟ ଲୋକଙ୍କ ଆବଶ୍ୟକତା ଅନୁସାରେ ଏଟିଏମରେ ଟଙ୍କା ଭର୍ତି କରୁଛନ୍ତି । ଧିରେ ଧିରେ ନୋଟ୍ ଅଚଳ ପରବର୍ତୀ ସମସ୍ୟାରେ ସୁଧାର ଆସୁଥିବା କହିଛନ୍ତି ଅରୁଣ ଜେଟଲୀ ।

ଏସବୁ ଭିତରେ ସରକାର ଆଉ ଏକ ବଡ ପଦକ୍ଷେପ ବି ନେଇଛନ୍ତି । ବଜାରକୁ ଆସିବ ଜବତ ଟଙ୍କା । ଜବତ ଶହେ କୋଟି ଟଙ୍କାକୁ ଅତିଶୀଘ୍ର ବଜାରକୁ ଛାଡିବାକୁ ନିଷ୍ପତି ନେଇଛନ୍ତି ସରକାର । ବିମୁଦ୍ରାକରଣ ଘୋଷଣା ପରେ ପ୍ରବର୍ତନ ନିର୍ଦ୍ଦେଶାଳୟ, ଆୟକର ବିଭାଗ ଏବଂ ପୋଲିସ ଏସବୁ ଟଙ୍କାକୁ ଜବତ କରିଥିଲା । ଏହା ମଧ୍ୟରେ ଅଧିକାଂଶ ନୂଆ ୨ ହଜାର ଟଙ୍କା ରହିଛି ।

ପୂର୍ବରୁ ମାମଲାର ରାୟ ନଆସିବା ଯାଏଁ ଜବତ ଟଙ୍କାକୁ ନିଜ ଷ୍ଟ୍ରଂଗ ରୁମରେ ରଖୁଥିଲେ ଜବତ କରିଥିବା ସଂସ୍ଥା । ଫଳରେ ବର୍ଷ ବର୍ଷ ଧରି ପଡିରହୁଥିଲା ଟଙ୍କା । ତେବେ ବଜାରକୁ ଏସବୁ ଟଙ୍କା ଆସିଲେ ସମସ୍ୟାରେ ସୁଧାର ଆସିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।