ଫେରିଲାନି କଳାଟଙ୍କା ! ବହୁ ବିବାଦ ପରେ ହିସାବ ଦେଲା କେନ୍ଦ୍ରୀୟ ବ୍ୟାଙ୍କ୍, କଳାଟଙ୍କାକୁ ଧଳା କରିଦେଲେ କଳାବ୍ୟବସାୟୀ

31

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କଲା କଳାଟଙ୍କାର ହିସାବ । ବିମୁଦ୍ରାକରଣ ପରେ ପ୍ରାୟ ୮ କୋଟି ୯୦ ଲକ୍ଷ ଖଣ୍ଡ ହଜାରେ ଟଙ୍କିଆ ଆରବିଆଇ ପାଖରେ ପହଂଚି ନାହିଁ । ୯୮. ୭ ପ୍ରତିଶତ ହଜାରେ ଟଙ୍କିଆ ଫେରିଥିବା ବେଳେ ମାତ୍ର ୧ . ୩ ପ୍ରତିଶତ ନୋଟ୍ ଫେରିନାହିଁ । ଆରବିଆଇର ହିସାବ ଅନୁସାରେ ୮୯୦୦ କୋଟି ଟଙ୍କାର ହଜାରେ ଟଙ୍କା ନୋଟ ଫେରି ପାରି ନାହିଁ । କିନ୍ତୁ ସାମଗ୍ରିକ ଭାବରେ ଏହାର ପରିମାଣ ବେଶ୍ ଅଧିକ ବୋଲି ପୂର୍ବରୁ ଆକଳନ କରାଯାଉଥିଲା । ତେବେ କଳା ଟଙ୍କା ନେଇ ବିରୋଧୀ ବହୁ ସମୟରେ ନଗଦ ଭାବରେ ନଥିବା ଅଭିଯୋଗ କରି ଆସୁଥିଲେ ।

ବିଶେଷଜ୍ଞଙ୍କ ମତରେ ଏହା ଟଙ୍କା ଭାବରେ ନଥାଇ ସୁନା ବା ଅନ୍ୟ ଭାବରେ ଥିବା ମତ ଦେଇଥିଲେ । ଆରବିଆଇର ଏହି ରିପୋର୍ଟ ଏହାକୁ ଏକ ପ୍ରକାର ପ୍ରମାଣ କରୁଥିବା କୁହାଯାଉଛି । କଳାଟଙ୍କା ଉପରେ ରୋକ ଲଗାଇବା ପାଇଁ ୨୦୧୬ ନଭେମ୍ବର ୮ରେ ବିମୁଦ୍ରାକରଣ ଘୋଷଣା କରିବା ସହ ହଜାରେ ଟଙ୍କା ଓ ୫ଶହ ଟଙ୍କିଆ ନୋଟ୍କୁ ଅଚଳ ଘୋଷଣା କରିଥିଲେ । ସେପଟେ ସାରାଦେଶର ବିଭିନ୍ନ ବ୍ୟାଙ୍କରେ ଜମାହୋଇଥିବା ଏହି ଅଚଳ ନୋଟ୍ର ହିସାବ ଦେବା ପାଇଁ ସରକାର ଉପରେ ଚାପ ରହିଥିଲା । ସେପଟେ ହଜାରେ ଟଙ୍କିଆ ନୋଟ୍ ପରି ୫ଶହ ଟଙ୍କିଆ ନୋଟ ମଧ୍ୟ ଫେରିଥିବ । ଏହା ସହ କଳାଧନ ନାମକୁ ମାତ୍ର ରୋକ ଲଗାଇ ପାରିଛି ବୋଲି ବିଶେଷଜ୍ଞ କହିଛନ୍ତି ।

ଗତବର୍ଷ ନଭେମ୍ବର ୮ତାରିଖରେ ପ୍ରଧାନମନ୍ତ୍ରୀ ପୁରୁଣା ୫୦୦ ଏବଂ ୧୦୦୦ଟଙ୍କିଆ ନୋଟକୁ ଅଚଳ ଘୋଷଣା କରିଥିଲେ । ତେବେ ଏହି ବିମୁଦ୍ରାକରଣ ପାଇଁ ଅର୍ଥନୀତିକୁ ବେଶ୍ କିଛି ଦିନ ଯନ୍ତ୍ରଣା ସହିବାକୁ ପଡିଥିଲା । ଏହା ସହ ଦେଶବାସୀ ମଧ୍ୟ ହୋଇଥିଲେ ହନ୍ତସନ୍ତ । ଉଭୟ ଧନୀ ଗରିବଙ୍କୁ ଗୋଟିଏ ଲାଇନରେ ଛିଡା କରାଇଥିଲା ବିମୁଦ୍ରାକରଣ । ତେବେ ଜାଣନ୍ତୁ ବିମୁଦ୍ରାକରଣର ୯ ମାସ ଭିତରେ କଣ ହୋଇଛି ।

• ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ଛଟେଇର ଶିକାର ହୋଇଥିଲେ

• ଖୁଦ୍ର ବ୍ୟବସାୟୀ ମାନଙ୍କର ବ୍ୟବସାୟ ଅନେକ ଦିନ ପାଇଁ ବନ୍ଦ ହୋଇଥିଲା

• କ୍ଷୁଦ୍ର ଶିଳ୍ପ ,କୃଷି ଓ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ

• ହସ୍ପିଟାଲ ଖର୍ଚ୍ଚ, ପିଲାଙ୍କ ପାଠପଢା ଫି କିମ୍ବା ଅନ୍ୟାନ୍ୟ ଜରୁରୀ ଖର୍ଚ୍ଚ ତୁଲାଇବାରେ ନାକେଦମ ରାଜ୍ୟବାସୀ

• କାମର ଚାପ ଯୋଗୁଁ ଦେଶର ବିଭିନ୍ନ ଅଂଚଳରୁ ପ୍ରାୟ ୧୧ଜଣ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ ସୂଚନା

• ବଡ ନୋଟ ଅଚଳ ଯୋଗୁଁ ଦେଶରେ ୬୦ରୁ ୬୫ ଲୋକଙ୍କର ମୃତ୍ୟୁ ସୂଚନା

ଅନ୍ୟପଟେ ବିମୁଦ୍ରାକରଣ ଘୋଷଣାର ପ୍ରଭାବ ଯୋଗୁଁ ବଢିଛି ଆୟକର ଦାତାଙ୍କ ସଂଖ୍ୟା । ୨୦୧୬-୧୭ ଆର୍ଥିକ ବର୍ଷରେ ୨୫ ପ୍ରତିଶତ ବୃଦ୍ଧି ହୋଇଛି । ଚଳିତ ଆର୍ଥିକ ବର୍ଷରେ ୨କୋଟି ୮୨ ଲକ୍ଷ ଲୋକ ଆୟକର ପୈଠ କରିଛନ୍ତି । ଆୟକର ପୈଠର ଶେଷ ତାରିଖ ଜୁଲାଇ ୩୧ ତାରିଖ ଥିବା ବେଳେ ସରକାର ଏହାକୁ ଅଗଷ୍ଟ ୫ ତାରିଖ ଯାଏଁ ବୃଦ୍ଧି କରିଥିଲେ । ଆୟକର ଦାତାଙ୍କ ସଂଖ୍ୟାରେ ବୃଦ୍ଧି ଏହା ଦର୍ଶାଉଛି ଯେ, ବିମୁଦ୍ରାକରଣ ପରେ ଅଧିକ ସଂଖ୍ୟାରେ ନୂଆ କରଦାତା ଟାକ୍ସ ସ୍ଲାବକୁ ଆସିଛନ୍ତି । ସେହିପରି ଆଗ୍ରୀମ କରଦାତାଙ୍କ ସଂଖ୍ୟାରେ ବି ଜୋରଦାର ବୃଦ୍ଧି ଘଟିଥିବା ଆୟକର ବିଭାଗ ସୂଚନା ଦେଇଛି ।