ପାନ ବଜାରରେ ନିଆଁ ! ବିମୁଦ୍ରାକରଣ ପରେ ମାନ୍ଦା ପଡିଛି ବ୍ୟବସାୟ

52

କନକ ବ୍ୟୁରୋ : ବିମୁଦ୍ରାକରଣ ଘୋଷଣାକୁ ୫୦ ଦିନ ପୁରିଲାଣି । ସରିଛି ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ଡେଡଲାଇନ୍ । ହେଲେ ସ୍ଥିତି ସୁଧୁରିବା ବଦଳରେ ସଙ୍ଗୀନ ହୋଇପଡିଛି । ମାନ୍ଦା ପଡିଛି ବ୍ୟବସାୟ । ପ୍ରଭାବିତ ହୋଇଛନ୍ତି ବେପାରୀ । ଚାରିଆଡେ ଟଙ୍କା ଉଠାଣ କଟକଣା ଓ ଖୁଚୁରା ଟଙ୍କାର ସଙ୍କଟ ।

ବିମୁଦ୍ରାକରଣ ସମସ୍ୟାରେ ଛନ୍ଦି ହୋଇପଡିଛନ୍ତି ପାନଚାଷୀ । ବଜାରରେ ଖୁଚୁରା ଟଙ୍କାର ଅଭାବ । ଏଟିଏମରୁ ବାହାରୁଛି ୨ ହଜାରର ନୋଟ୍ । ଫଳରେ ଚାଷୀଙ୍କୁ ପାନର ଉଚିତ ମୂଲ୍ୟ ମିଳୁନି କି ଅଧିକ ପାନପତ୍ର ବିକ୍ରି ହେଉନି । ପାନ ବରଜଟିଏ ପାଇଁ ଚାଷୀ ଖର୍ଚ୍ଚ କରୁଛନ୍ତି ୭୦ ହଜାର ଟଙ୍କା । ହେଲେ ଏବେ ଦେଖାଦେଇଛି ଅଭାବୀ ବିକ୍ରି ।

ଅନ୍ୟପଟେ ମୋଦି ସରକାରଙ୍କର ବିମୁଦ୍ରାକରଣ ଘୋଷଣା ପରେ ଏବେ ଛତୁଆ ପ୍ରକଳ୍ପ ବନ୍ଦ ହେବା ଉପରେ । ରାଜ୍ୟ ସରକାରଙ୍କ ସମନ୍ୱିତ ଶିଶୁ ବିକାଶ ଯୋଜନାରେ ପୁରୀ ଜିଲ୍ଲା ଅସ୍ତରଂଗ ବ୍ଲକ୍ର ପ୍ରାୟ ୬ ହଜାର ଶିଶୁଙ୍କ ପାଇଁ ଛତୁଆ ତିଆରି ହେଉଛି । ମାସକୁ ସରକାର ଦେଉଛନ୍ତି ୮ ଲକ୍ଷ ଟଙ୍କା । ତେବେ ଟଙ୍କା ଉଠାଣରେ କଟକଣା ଯୋଗୁଁ ଦେଖାଦେଇଛି ଅର୍ଥ ସଙ୍କଟ । ଅଳ୍ପ ଟଙ୍କାରେ ନା ଆବଶ୍ୟକ କଂଚାମାଲ କିଣି ହେଉଛି ନା ମହିଳାଙ୍କୁ ମିଳୁଛି ଦରମା । କେନ୍ଦ୍ର ସରକାର ଦେଇଥିବା ଅବଧି ସରିଛି ଆଉ ତାସହ ବଢିଛି ଯନ୍ତ୍ରଣା ।