ମୋଦିବାଣରେ ମାଓବାଦୀ ଘାଇଲା ! ଓଡିଶା ଓ ଛତିଶଗଡ ଜଙ୍ଗଲରେ ଅଛି ୭ହଜାର କୋଟିର କଳାଧନ

30

କନକ ବ୍ୟୁରୋ : ସରକାରଙ୍କ ନୋଟ୍ ବ୍ୟାନ୍ ନିଷ୍ପତିକୁ ନେଇ ସାରା ଦେଶ ଉଠୁଛି ପଡୁଛି । କଳାଧନ ରଖିଥିବା ଲୋକଙ୍କ ଆଖିରୁ ନିଦ ହଜି ଯାଇଛି । ପୁରୁଣା ନୋଟ୍ ବଦଳରେ ନୂଆ ନୋଟ୍ ପାଇବାକୁ ଲୋକଙ୍କ ଲମ୍ବା ଧାଡି ବ୍ୟାଙ୍କ୍, ପୋଷ୍ଟ ଅଫିସ ଓ ଏଟିଏମ୍ ଆଗରେ । ହେଲେ ବଡ ନୋଟ୍ ଅଚଳ ହୋଇଯିବା ପରେ ଏବେ ଘଂଚ ଜଙ୍ଗଲରେ ରହୁଥିବା ନକ୍ସଲ୍ ବାହୀନିର ଅକଲ ଗୁଡୁମ ହୋଇଯାଇଛି । ଏପରିକି କିଛି ମାଓପ୍ରବଣ ଜିଲ୍ଲାରେ ଆଦିବାସୀ ଓ ସମର୍ଥକଙ୍କୁ ଧମକାଇ ନକ୍ସଲବାହିନୀ ବିଭିନ୍ନ ବ୍ୟାଙ୍କରେ ଟଙ୍କା ବଦଳ କରୁଥିବା କଥା ଗୁଇନ୍ଦା ଜାଣି ପାରିଛି ।

vlcsnap-2016-11-15-18h40m50s122ନୋଟ୍ ବଦଳ ପାଇଁ ଚିତ୍ରକୋଣ୍ଡାର ଷ୍ଟେଟ୍ ବ୍ୟାଙ୍କ୍ ସାମ୍ନାରେ ଲମ୍ବାଲାଇନ୍ । ହାତରେ ବିଡା ବିଡା ଟଙ୍କା । ହେଲେ ସାଧାରଣ ଲୋକଙ୍କ ଏ ଲମ୍ବା ଲାଇନରେ ଧସେଇ ପଶିଛି ପୁଲିସର ସନ୍ଦେହି ଆଖି । କୁହାଯାଉଛି ଏ ଲୋକଙ୍କୁ ନାଲିଆଖି ଦେଖାଇ ନକ୍ସଲ ଧରାଇ ଦେଇଛନ୍ତି ବିଡା ବିଡା ଟଙ୍କା । ତେଣୁ ସନ୍ଦେହ କରାଯାଉଛି ଏ ଭିଡ ଭିତରେ ଅଛନ୍ତି ଆତଙ୍କିତ ଆଦିବାସୀ ଓ ମାଓ ସମର୍ଥକ । ହେଲେ ଏକଥାକୁ ମାନିବ ବା କିଏ । କାରଣ ମୁହଁ ଖୋଲିଲେ ଜୀବନ ଚାଲିଯିବାର ଭୟ ।

ସେପଟେ ଏହି ସନ୍ଦେହି ଲୋକଙ୍କ ଉପରେ ଏବେ ପୁଲିସର କଡା ଆଖି । କାରଣ ଖବର ପହଂଚିଛି, ଟଙ୍କା ବଦଳ ପାଇଁ ବ୍ୟାଙ୍କ୍ ସହ ଯୋଗାଯୋଗ କରାଯାଇ ସତ ପାଖରେ ପହଂଚିବାକୁ ଚେଷ୍ଟା କରୁଛି ମାଲକାନଗିରି ପୁଲିସ୍ ।

କେବଳ ଓଡିଶା ନୁହେଁ ନୋଟ୍ ବ୍ୟାନ୍ ପରେ ଛତିଶଗଡରେ ବି ନକ୍ସଲବାହିନୀ ଚିନ୍ତାରେ । ଗୁଇନ୍ଦା ପାଖରେ ଅଛି ପକ୍କା ସୂଚନା । ଓଡିଶା ଓ ଛତିଶଗଡରେ ବି ନକ୍ସଲବାହିନୀ ଚିନ୍ତାରେ । ଓଡିଶା ଓ ଛତିଶଗଡ ଜଙ୍ଗଲରେ ଅପରେଟ୍ କରୁଥିବା ମାଓବାଦୀ ସଂଗଠନର ପ୍ରାୟ ୭ହଜାର କୋଟି ଅଚଳ ହୋଇ ପଡିଛି ।

ତେଣୁ ପୁରୁଣା ନୋଟ୍ ଅଚଳ ହୋଇଯିବା ପରେ ଜଙ୍ଗଲ ଭିତରେ ଦ୍ୱନ୍ଦରେ ଘୁରି ବୁଲୁଛନ୍ତି ମାଓବାଦୀ । ସନ୍ଦେହ କରାଯାଉଛି, ଯଦି ନୋଟ୍ ବଦଳ କରିବାରେ ସଫଳ ନ ହୁଅନ୍ତି ତେବେ ଟଙ୍କା ଯୋଗାଡ କରିବାକୁ ମାଓବାଦୀ ହମଲା ବି କରିପାରନ୍ତି । ଏଥିପାଇଁ ବସ୍ତର ଅଂଚଳର ସମସ୍ତ ବ୍ୟାଙ୍କ୍, ଏଟିଏମ୍ ଓ ପୋଷ୍ଟ ଅଫିସରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି ।

ବିନା ନଗଦ ଟଙ୍କାରେ ଦିନ ଟିଏ କାଟିବା ନକ୍ସଲଙ୍କ ପାଇଁ ମୁସ୍କିଲ୍ । କାରଣ ଏମାନଙ୍କ ଘର ଘଂଚ ଜଙ୍ଗଲ ଭିତରେ । ଏଭଳି ସ୍ଥିତିରେ ମୋଦିଙ୍କ ବାଣ ଏବେ ସିଧଶ ଲାଗିଛି ମାଓବାଦୀଙ୍କ ଦେହରେ । ଆଉ ଅଚଳ ନୋଟକୁ ଧରି ଘାଇଲା ବାଘ ଭଳି ଗରିଲା ଯୋଦ୍ଧା ଏବେ ଘୁରି ବୁଲୁଛନ୍ତି ଜଙ୍ଗଲ ଭିତରେ ।