ବିମୁଦ୍ରାକରଣର ଦୁଇ ବର୍ଷପୂର୍ତିରେ ମୋଦିଙ୍କ ନିଷ୍ପତି ସପକ୍ଷରେ ଯୁକ୍ତି ବାଢିଲେ ଅର୍ଥମନ୍ତ୍ରୀ : କହିଲେ, ଔପଚାରିକ ଅର୍ଥନୈତିକ ବ୍ୟବସ୍ଥାକୁ ପ୍ରବେଶ କରିବାକୁ ଚାହୁଁଥିଲେ କେନ୍ଦ୍ର ସରକାର

ବିମୁଦ୍ରାକରଣକୁ ବିରୋଧୀମାନେ ତୀବ୍ର ସମାଲୋଚନା କରୁଥିବା ବେଳେ ଅର୍ଥମନ୍ତ୍ରୀ ତାର ଜବାବ ରଖିଛନ୍ତି

103

କନକ ବ୍ୟୁରୋ : ବିମୁଦ୍ରାକରଣକୁ ୨ବର୍ଷ ପୁରିବା ପରିପ୍ରେକ୍ଷୀରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏକ ଗୁୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି । ଜେଟଲି କହିଛନ୍ତି ଯେ ବିମୁଦ୍ରକରଣ ଦ୍ୱାରା ଟଙ୍କାକୁ ଜବତ କରିନେବା କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ନଥିଲା । ସେ କହିଛନ୍ତି ଏକ ଔପଚାରିକ ଅର୍ଥନୀତିକ ବ୍ୟବସ୍ଥାକୁ ଫେରିବାକୁ ଚାହୁଁ ଥିଲେ କେନ୍ଦ୍ର ସରକାର । ବିମୁଦ୍ରାକରଣକୁ ବିରୋଧୀମାନେ ତୀବ୍ର ସମାଲୋଚନା କରୁଥିବା ବେଳେ ଅର୍ଥମନ୍ତ୍ରୀ ତାର ଜବାବ ରଖିଛନ୍ତି । ୨୦୧୬ ନଭେମ୍ବର ୮ ତାରିଖରେ ହଠାତ ପ୍ରଧାନମନ୍ତ୍ରୀଙ୍କ ବିମୁଦ୍ରାକରଣ ଘୋଷଣା କରିବା ଏକ ବଡ ପଦକ୍ଷେପ ଥିଲା । ବିମୁଦ୍ରାକରଣକୁ ୨ବର୍ଷ ପୂର୍ତି ଅବସରରେ ଜେଟଲୀ ମୋଦିଙ୍କ ଏହି ନିଷ୍ପତି ସପକ୍ଷରେ ବାହାରି ଫେସବୁକରେ ଏକ ବ୍ଲଗରେ ଏହା ଲେଖିଛନ୍ତି ।

 

ନଭେମ୍ବର ୮,୨୦୧୬ରେ ପ୍ରଧାନମନ୍ତ୍ରୀ ମୋଦି ୫ଶହ ଓ ହଜାରେ ଟଙ୍କିଆ ନୋଟକୁ ଅଚଳ କରିଦେବା ପରେ ଦେଶର ୮୬ ପ୍ରତିଶତ ମୂଦ୍ରା ଅଚଳ ହୋଇଗଲା । ଏବଂ ସାରା ଦେଶରେ ହଇଚଇ ଖେଳିଗଲା । କଳାଧନ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି କେନ୍ଦ୍ର ସରକାର କହିଥିଲେ । କିନ୍ତୁ ଠିକ୍ ଏହାର ଓଲଟା ଘଟିଲା । ୨୦୧୮ରେ ରିଜର୍ଭବ୍ୟାଙ୍କ ଅଫ ଇଣ୍ଡିଆ ଦେଇଥିବା ତଥ୍ୟ ଅନୁସାରେ ଅଚଳ ମୂଦ୍ରାର ୯୯ ପ୍ରତିଶତରୁ ଅଧିକ ମୂଦ୍ରା ବ୍ୟାଙ୍କକୁ ଫେରି ଆସିଲା । ଅର୍ଥାତ୍ କଳାଧନ ଅର୍ଥନୈତିକ ବ୍ୟବସ୍ଥାରୁ ବାହାରିଯିବ ବୋଲି ଯେଉଁ ଆକଳନ କରାଯାଇଥିଲା ତାହା ଭୁଲ ପ୍ରମାଣିତ ହୋଇଥିଲା । ଏନେଇ ସ୍ପଷ୍ଟୀକରଣ ରଖି ଅର୍ଥମନ୍ତ୍ରୀ କହିଛନ୍ତି, ଟଙ୍କାକୁ ଜବତ କରିବା ତାଙ୍କ ସରକାରଙ୍କ ଉଦ୍ଦେଶ୍ୟ ନଥିଲା । ବରଂ ଏକ ଔପଚାରିକ ଅର୍ଥନୈତିକ ବ୍ୟବସ୍ଥାକୁ ପ୍ରବେଶ କରିବା ସରକାରଙ୍କ ମୂଳ ଉଦ୍ଦେଶ୍ୟ ଥିଲା ।  ସେପଟେ ବିମୁଦ୍ରାକରଣକୁ ୨ବର୍ଷ ପୁରବା ଅବସରରେ ପୂବର୍ତନ ପ୍ରଧାନମନ୍ତ୍ରୀ ମନହୋନ ସିଂହ କେନ୍ଦ୍ରର ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ।

 

ମନମୋହନ କହିଛନ୍ତି ୨୦୧୬ ମସିହାରେ ନିଆଯାଇଥିବା ଏହି ପଦକ୍ଷେପ ଏକ ଅସୁସ୍ଥ ମାନସିକତା ଏବଂ ଅଶୁଭ ଘଟଣା । ଭାରତୀୟ ଅର୍ଥ ବ୍ୟବସ୍ଥା ଉପରେ ଏହାର ପ୍ରବଳ ପ୍ରଭାବ ପଡିଲା । ବିଶେଷକରି ଛୋଟ ଓ ମଧ୍ୟମ ଧରଣର ବ୍ୟବସାୟୀମାନେ ଏହାଦ୍ୱାରା ବହୁଳ ମାତ୍ରାରେ ପ୍ରଭାବିତ ହୋଇଥିଲେ । ଦେଶର ଅର୍ଥନୀତିରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିବା ବେଳେ ବିମୁଦ୍ରାକରଣ ଅଂଟା ଭାଙ୍ଗିଦେଇଥିଲା । ଖାଲି ସେତିକି ନୁହେଁ ମୁଦ୍ରାସ୍ଫିତି ଉପରେ ମଧ୍ୟ ଏହାର ପ୍ରଭାବ ଜାରି ରହିଛି । ୨ବର୍ଷ ପରେ ମଧ୍ୟ ଦେଶର ଅର୍ଥନୀତି ଉପରେ ବିମୁଦ୍ରାକରଣର ପ୍ରଭାବ ସ୍ପଷ୍ଟ ପରିଲକ୍ଷିତ ହୋଇଛି ।