ବିମୁଦ୍ରାକରଣ ଆବଶ୍ୟକ ନଥିଲା: ପୁଣି ସମାଲୋଚନା କଲେ ମନମୋହନ

62

କନକ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମୋଦି ସରକାରଙ୍କ ବିମୁଦ୍ରକରଣକୁ ପୁଣି ସମାଲୋଚନା କରିଛନ୍ତି । ଦେଶପାଇଁ ଏହା ଆଦୌ ଆବଶ୍ୟକ ନଥିଲା । ଲାଟିନ ଆମେରିକା ଦେଶଗୁଡ଼ିକୁ ଛାଡ଼ିଦେଲେ ବିଶ୍ୱର ଅନ୍ୟ କୌଣସି ଦେଶରେ ବିମୁଦ୍ରାକରଣ ସଫଳ ହୋଇନାହିଁ । ଶୁକ୍ରବାର ସଂଧ୍ୟାରେ ଏଠାରେ ଆୟୋଜିତ ଇଣ୍ଡିଆନ୍ ସ୍କୁଲ ଅଫ୍ ବିଜନେସ୍ (ଆଇଏସବି) ଲିଡରସିପ୍ ସମ୍ମିଳନୀ -୨୦୧୭ରେ ଯୋଗଦେଇ ମନମୋହନ ଏହା କହିଛନ୍ତି । ଉଭୟ ବୈଷୟିକ ଏବଂ ଆର୍ଥିକ ଦୃଷ୍ଟିକୋଣରୁ ବିମୁଦ୍ରାକରଣ ଠିକ୍ ନିଷ୍ପତ୍ତି ନଥିଲା । ବିମୁଦ୍ରାକରଣ ପରେ ହିଁ ଗତ ଆର୍ଥିକବର୍ଷରୁ ଦେଶରେ ମାନ୍ଦାବସ୍ଥା ଦେଖାଦେଇଛି । ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ମନମୋହନ ସିଂହ ମଧ୍ୟ ଅନେକ ମଞ୍ଚରେ ବିମୁଦ୍ରାକରଣକୁ ସମାଲୋଚନା କରିଛନ୍ତି । ଏହା ଏକ ଠିକ୍ ନିଷ୍ପତ୍ତି ନଥିଲା ବୋଲି କହିଛନ୍ତି । ବିମୁଦ୍ରାକରଣ ଯୋଗୁଁ ଦେଶର ଜିଡିପି ଅଭିବୃଦ୍ଧି ମନ୍ଥର ହୋଇଛି ।

ଘରୋଇ କ୍ଷେତ୍ରର ନିବେଶ କମିଯାଇଛି । ଉପା ସରକାର କ୍ଷମତାରେ ଥିବାବେଳେ ଦେଶରେ ନିବେଶ ହାର ୩୫ରୁ ୩୭ ପ୍ରତିଶତ ଥିବାବେଳେ ଏବେ ଏହା ୩୦ ପ୍ରତିଶତକୁ ଖସିଆସିଛି । ନିଯୁକ୍ତି ସଙ୍କୁଚିତ ହୋଇଛି । ଲୋକଙ୍କୁ ରୋଜଗାର ମିଳୁନାହିଁ ବୋଲି ମନମୋହନ କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତବର୍ଷ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ପ୍ରଚଳନ ହେଉଥିବା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟକୁ ଅଚଳ ଘୋଷଣା କରିଦେଇଥିଲେ । ଏଥିଯୋଗୁଁ ସେତେବେଳେ ଅର୍ଥନୀତିରେ ପ୍ରଚଳନ ହେଉଥିବା ନଗଦ ଅର୍ଥ ମଧ୍ୟରୁ ୧୫.୪ ଲକ୍ଷ କୋଟି ଟଙ୍କା ବା ୮୬ ପ୍ରତିଶତ ଅର୍ଥ ହଠାତ୍ ଉଭାନ ହୋଇଯାଇଥିଲା । ବିମୁଦ୍ରାକରଣ ଘୋଷଣା କରାଯିବାର ଯେଉଁ କେତୋଟି କାରଣ ମୋଦି ଦର୍ଶାଇଥିଲେ ତାହା ମଧ୍ୟରେ କଳାଟଙ୍କାକୁ ବାହାର କରିବା ଅନ୍ୟତମ ନିଷ୍ପତ୍ତି ଥିଲା ।

ଉଦାରୀକରଣ ନୀତି ଏବେ ବି ବଳବତ୍ତର

ମୋଦି ସରକାରଙ୍କ ଦ୍ୱାରା ଗତବର୍ଷ ନିଆଯାଇଥିବା ବିମୁଦ୍ରାକରଣକୁ ମନମୋହନ ସିଂହ ସମାଲୋଚନା କରିଥିବାବେଳେ ୧୯୯୧ ମସିହାରେ ସେ ଅର୍ଥମନ୍ତ୍ରୀ ଥିବା ସମୟରେ ଆରମ୍ଭ ହୋଇଥିବା ଉଦାରୀକରଣ ନୀତିର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଅର୍ଥନୀତିର ପରିଚାଳନା ଲାଗି ୧୯୯୧ ମସିହାରେ ଉଦାରୀକରଣ ନୀତିକୁ ଗ୍ରହଣ କରାଯାଇଥିଲା । ଏଥିଯୋଗୁଁ ଦେଶର ଜିଡିପିରେ ଜବରଦସ୍ତ ଉନ୍ନତି ଆସିଛି ଏବଂ ଏଥିସହିତ ଦେଶରେ ଗରିବ ସୀମାରେଖା ତଳେ ବାସ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ହ୍ରାସ ଘଟିଛି। କେବଳ ସେତିକି ନୁହେଁ ଗତ ୨୫ ବର୍ଷ ମଧ୍ୟରେ ଦେଶର ଆର୍ଥିକ ନୀତିରେ ମଧ୍ୟ ସେଭଳି କୌଣସି ପରିବର୍ତ୍ତନ କରାଯାଇଛି ।

ଏହା ଏକ ଗର୍ବର ବିଷୟ ବୋଲି ସେ କହିଛନ୍ତି । ସେହିଭଳି ସେତେବେଳେ ଆର୍ଥକ ନୀତି ସଫଳ ହେବା ନେଇ ଅନେକ ସନ୍ଦେହରେ ପ୍ରକଟ କରିଥିଲେ । ଆମେ ସେମାନଙ୍କୁ ଭୁଲ ପ୍ରମାଣିତ କରିଛୁ ବୋଲି ମନମୋହନ କହିଛନ୍ତି ।

ଉଦାରୀକରଣ ଭାରତରେ ଜାରି ରହିବ ବୋଲି ସେ ମତ ଦେଇଛନ୍ତି । ନୋବେଲ ବିଜେତା ଭେଙ୍କଟରମଣ ରାମକୃଷ୍ଣନଙ୍କ ବକ୍ତବ୍ୟକୁ ଉଦ୍ଧାର କରି ମନମୋହନ ଆହୁରି କହିଛନ୍ତି ଯେ, ଭାରତ ଏବେ ଶସ୍ତା ଶ୍ରମଶକ୍ତିକୁ ଉପଯୋଗ କରି ବିକାଶ ମଡେଲ ଆପଣାଇଛି । ତେଣୁ ଶସ୍ତା ଶ୍ରମ ଶକ୍ତି ଆଧାରରେ ଭାରତ ଉତ୍ପାଦନ କ୍ଷେତ୍ରର କମ୍ପାନି ଗୁଡ଼ିକୁ ଆକର୍ଷିତ କରିପାରେ । କିନ୍ତୁ ଏ କ୍ଷେତ୍ରରେ ଆମେ ଯଦି ଯତ୍ନଶୀଳ ନହେବା ସେହି ଡଙ୍ଗା ବୁଡ଼ିଯିବ । କାରଣ ଉତ୍ପାଦନ କ୍ଷେତ୍ର ବହୁଳଭାବରେ ସ୍ୱୟଂକ୍ରିୟ ହେବାକୁ ଯାଉଛି । ଭାରତ ଯଦି ଏହାର ଦାରିଦ୍ର୍ୟ, ଅଜ୍ଞତା, ବେକାରି ଆଦି ସମସ୍ୟାକୁ ଦୂର କରିବାକୁ ଚାହେଁ ତାହେଲେ ବିଜ୍ଞାନ ଏବଂ ନୂଆ ଚିନ୍ତାଧାରାର ପ୍ରୟୋଗ ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ରାମକୃଷ୍ଣ ମତ ଦେଇଥିବା ବିଷୟ ମନମୋହନ କହିଛନ୍ତି ।