ଚାଷୀଙ୍କ ଉପରେ ବିମୁଦ୍ରାକରଣର ପ୍ରଭାବ : ରାଜ୍ୟରେ ଚିନ୍ତା ବଢାଇଲା ଦୁଇଟି ଘଟଣା

30

କନକ ବ୍ୟୁରୋ : ବିମୁଦ୍ରାକରଣ ପରେ ରାଜ୍ୟରେ ବ୍ୟଥିତ କଲାଭଳି ଯେଉଁ ଦୁଇଟି ଘଟଣା ସାମ୍ନାକୁ ଆସିଛି, ତାହା ସମସ୍ତଙ୍କର ଚିନ୍ତା ବଢାଇ ଦେଇଛି । ଦୁଇଟି ଯାକ ଘଟଣା ରାଜ୍ୟର ଚାଷୀମାନଙ୍କ ଦୁର୍ଦ୍ଦଶା ବୟାନ କରୁଛି ।  ଦିଲ୍ଲୀର ପୁରୁଣା ନୋଟ ଅଚଳ ନିଷ୍ପତି ବିଶେଷ ଭାବେ ପ୍ରଭାବିତ କରିଛି ପଲ୍ଲୀକୁ । ବରଗଡ ଜିଲ୍ଲାରେ ରାସ୍ତାରେ ଫୋପଡା ହେଉଛି କ୍ୱିଂଟାଲ କ୍ୱିଂଟାଲ ଟମାଟୋ । ୧ ଟଙ୍କାରେ ବି ବିକ୍ରି ହେଉନାହିଁ ବିଲାତି ବାଇଗଣ । ଧାର, କରଜ କରି ଟମାଟୋ ଚାଷ କରିଥିବା ଜିଲ୍ଲାର କୃଷକ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏକର ଏକର ଜମିରେ ଚାଷ ହୋଇଛି ଟମାଟୋ । ହେଲେ ଅମଳ ହେଲା ବେଳକୁ ନାହିଁ ବିକ୍ରି କରିବା ସୁବିଧା । ବଡ ନୋଟ ବ୍ୟାନ ପରେ ରାଜ୍ୟର ଚାଷୀ ଯେ, ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି, ଯାହାର ନଜିର ଦେଖିବାକୁ ମିଳିଛି ବରଗଡ ଜିଲ୍ଲାର ଗାଈସିଲେଟ ବ୍ଲକରେ । ଉତ୍ପାଦିତ ଟମାଟୋର ଚାହିଦା ନଥିବାରୁ ରାସ୍ତାରେ ଫୋପାଡି ଦେବାକୁ ବାଧ୍ୟ ହେଉଛନ୍ତି ।

ଅନ୍ୟ ଏକ ମନକୁ ଦୋହଲାଇ ଦେବା ଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ କାଶିବାହାଲରେ । ଲୋକଙ୍କୁ କିରୋସିନ୍ ବଂଟନ କରାଯାଉଥିଲା । ତେବେ ଲୋକଙ୍କ ପାଖରେ ଖୁଚୁରା ଟଂକା ନଥିଲା । ଫଳରେ ଲୋକେ ନିଜ ଉତ୍ପାଦିତ ଧାନ ଧରି ପଂଚାୟତ କାର୍ଯ୍ୟାଳୟରେ ପଂହଚିଥିଲେ । ଧାନ ବଦଳରେ କିରୋସିନ୍ ଦେବାକୁ ଦାବି କରିଥିଲେ । ତେବେ ଏଥିରେ ଅମଂଗ ହେବାରୁ ସରପଂଚକୁ ଘେରିଯାଇଥିଲେ ଗ୍ରାମବାସୀ । ଏପରିକି ତାଂକୁ ଏକ କଠୋରୀରେ ବନ୍ଦ କରିଦେଇଥିଲେ । ପରେ ବିଡିଓ ଖବର ପାଇ ଘଟଣାସ୍ଥଳରେ ପହଁଚିଥିଲେ । ଲୋକଙ୍କୁ ବୁଝାସୁଝା କରିବା ପରେ ସରପଂଚଙ୍କୁ ମୁକ୍ତି ମିଳିଥିଲା । ସରକାରଙ୍କ ବିମୁଦ୍ରାକରଣ ଘୋଷଣା ପରେ ସଂଗୀନ ହୋଇପଡିଛି ସ୍ଥିତି ।  ଲୋକଙ୍କ ପାଖରେ ଟଙ୍କାର ଘୋର ଅଭାବ ଦେଖାଦେଇଛି । ଆଉ ଏହି ଘଟଣା ହେଉଛି ତାର ପ୍ରତିବାଦ ।