ବିମୁଦ୍ରାକରଣ ସ୍ଥିତି ଯୋଗୁଁ ପରିସ୍ଥିତି ଜଟିଳ : ସାଧାରଣ ଜୀବନ ଯାତ୍ରା ପ୍ରଭାବିତ

13

କନକ ବ୍ୟୁରୋ : ଦୁଇ ଦିନ ହେଲା ବ୍ୟାଙ୍କ ଛୁଟି, ଏଟିଏମ ଖାଲି । ସାଧାରଣ ଜୀବନ ଯାତ୍ରା ପ୍ରଭାବିତ । ବିମୁଦ୍ରାକରଣ ସ୍ଥିତି ଏବେ କ୍ରମଶଃ ଜଟିଳ ହେବାରେ ଲାଗିଛି । ଏଟିଏମରେ ଟଙ୍କା ନଥିବା ବେଳେ ବ୍ୟାଙ୍କରେ ମଧ୍ୟ ତାଲା ଝୁଲୁଛି । ମାସର ଚତୁର୍ଥ ଶନିବାର ବନ୍ଦ ହୋଇଛି ବ୍ୟାଙ୍କ ଏବଂ ଆଜି ରବିବାର ଛୁଟି । ତେଣୁ ଟଙ୍କା ଉଠାଣ ପାଇଁ ଏଟିଏମରେ ଧାଡି ଲଗାଇଛନ୍ତି ଲୋକେ । ହେଲେ ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ଏଟିଏମ ଅଚଳ ଥିବା ଦେଖିବାକୁ ମିଳିଛି । ଅନେକ ଏଟିଏମରେ ବ୍ୟାଙ୍କ ଛୁଟି ଥିବାରୁ ଟଙ୍କା ନାହିଁ ।

ଗୋଟିଏ ପଟେ ଲୋକଙ୍କ ଆବଶ୍ୟକତାକୁ ଦେଖି ପର୍ଯ୍ୟାପ୍ତ ଟଙ୍କା ଯୋଗାଇ ଦେଉନାହିଁ ଆରବିଆଇ । ବ୍ୟାଙ୍କ ବନ୍ଦ ଥିବାରୁ କିଛି ଘଂଟା ଭିତରେ ଖାଲି ହୋଇଯାଇଛି ଏଟିଏମଗୁଡିକ । ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୈନନ୍ଦିନ ଆବଶ୍ୟକତା ପାଇଁ ମଧ୍ୟ ଲୋକଙ୍କ ପାଖରେ ଅର୍ଥ ନାହିଁ ।

କିଛି ଲୋକଙ୍କ ପାଖରେ ନୂଆ ୨ ହଜାର ଟଙ୍କିଆ ନୋଟ୍ ଥିବା ବେଳେ ଖୁଚୁରା ଅଭାବ ଯୋଗୁଁ ସମସ୍ୟା ବଢିଯାଇଛି । ଫଳରେ ଚିନ୍ତାରେ ସାଧାରଣ ଲୋକେ ।  ହସ୍ପିଟାଲ ଖର୍ଚ୍ଚ, ପିଲାଙ୍କ ପାଠପଢା ଫି କିମ୍ବା ଅନ୍ୟାନ୍ୟ ଜରୁରୀ ଖର୍ଚ୍ଚ ତୁଲାଇବାକୁ ନାକେଦମ ହେଉଛନ୍ତି ରାଜ୍ୟବାସୀ ।