ବିମୁଦ୍ରାକରଣ ପ୍ରକ୍ରିୟାରେ ବଡ ସଙ୍କଟ ପାଲଟିଛନ୍ତି ଦୁର୍ନୀତିଗ୍ରସ୍ତ ବ୍ୟାଙ୍କ କର୍ମଚାରୀ

27

କନକ ବ୍ୟୁରୋ : ବିମୁଦ୍ରାକରଣ ପ୍ରକ୍ରିୟାରେ ଏବେ ବଡ ସଙ୍କଟ ପାଲଟିଛନ୍ତି ଦୁର୍ନୀତିଗ୍ରସ୍ତ ବ୍ୟାଙ୍କ କର୍ମଚାରୀ ।  କଳାଧନକୁ ଧଳା କରିବା ପ୍ରକ୍ରିୟାରେ ଏବେ ସବୁ ଆଇନକୁ ବେଖାତିର କରିଛନ୍ତି ଦୁର୍ନୀତିଗ୍ରସ୍ତ କର୍ମଚାରୀ । ନୂଆ ନୋଟ୍ ସବୁ ପୁଣି କଳାଧନ ମହଜୁଦକାରୀଙ୍କ ନିକଟକୁ ଚାଲିଯାଉଛି । ବିମୁଦ୍ରାକରଣ ପରେ ସାଧାରଣ ଲୋକେ ନୂଆ ନୋଟ୍ ପାଇବା ପାଇଁ ହଇରାଣ ହେଉଥିବା ବେଳେ କଳାଧନ ମହଜୁଦକାରୀଙ୍କ ନିକଟରୁ କୋଟି କୋଟି ଟଙ୍କାର ନୂଆ ନୋଟ୍ ଜବତ କରାଯାଇଛି । ଗୁଇନ୍ଦା ବିଭାଗର ଚଢାଉରେ ଏପର୍ଯ୍ୟନ୍ତ ୨୪୨ କୋଟି ଟଙ୍କାର ନୂଆ ନୋଟ୍ ଜବତ କରାଯାଇଛି । ଏହି କ୍ରମରେ ଚେନ୍ନାଇର ଭେଲୋରରେ ଆୟକର ବିଭାଗ ଅଧିକାରୀ ଏକ ଟାଟା ଏସି ଭ୍ୟାନରୁ ୨୪ କୋଟି ଟଙ୍କାର ନୂଆ ୨ହଜାର ଟଙ୍କିଆ ନୋଟ୍ ଜବତ କରିଛନ୍ତି ।

କାରରେ ଥିବା ଜଣେ ବ୍ୟକ୍ତି ଓ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ଜବତ ଟଙ୍କା ସ୍ଥାନୀୟ ଶିଳ୍ପପତି ଶେଖର ରେଡ୍ଡୀଙ୍କର ହୋଇଥିବା ଆୟକର ବିଭାଗ କହିଛି  । ଗତ ଗୁରୁବାର ଠାରୁ ରେଡ୍ଡୀଙ୍କ ବାସଭବନରେ ଆୟକର ବିଭାଗର ଚଢାଉ ଜାରି ରହିଛି । ଏ ଯାଏଁ ରେଡୀଙ୍କ ଘରୁ ଆୟକର ଅଧିକାରୀମାନେ ମୋଟ ୧୪୩ କୋଟି ଟଙ୍କାର ସଂପତି ଜବତ କରିଛନ୍ତି । ଏଥିରେ ନୂଆ ଓ ପୁରୁଣା ନୋଟ୍ ସହ ୧୨୭ କେଜି ସୁନା ରହିଛି  । ଚେନ୍ନାଇ ଓ ଭେଲୋରର ୯ଟି ସ୍ଥାନରେ ଆୟକର ବିଭାଗର ଶହେରୁ ଅଧିକ କର୍ମଚାରୀ ଚଢାଉରେ ନିୟୋଜିତ ହୋଇଛନ୍ତି  ।