କଳାକୁ ଧଳା ପାଇଁ ବିଲ୍ ! ହିସାବ ବର୍ହିଭୂତ ଜମା ଉପରେ ଲାଗିବ ୫୦% ଟିକସ ଓ ଜରିମାନା

19

କନକ ବ୍ୟୁରୋ : ମୋଦି ସରକାରଙ୍କ ବିମୁଦ୍ରାକରଣକୁ ବିରୋଧ କରି ସାରା ଦେଶରେ ବିକ୍ଷୋଭ ଓ ପ୍ରତିବାଦ ଭିତରେ ଆଜି କେନ୍ଦ୍ର ସରକାର କଳାଧନ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ କଳାଧନରୁ ଅଧା ନେଇଯିବେ ସରକାର । ବିମୁଦ୍ରାକରଣ ପରେ ହିସାବ ବାହାରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କା ଜମା କରିଥିବା ଅର୍ଥାତ୍ କଳାଧନ ରଖିଥିବା ଲୋକଙ୍କ ପାଇଁ ଆସିଲା ନୂଆ ବିଲ୍ ।

ଲୋକସଭାରେ ବିଲକୁ ଆଗତ କରିଛନ୍ତି ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ । ୧୦ ଲକ୍ଷର କଳା ଧନରୁ ବର୍ତ୍ତମାନ ମିଳିବ ମାତ୍ର ଅଢ଼େଇ ଲକ୍ଷର ଧଳା ଧନ । ହିସାବ ବର୍ହିଭୂତ ଜମା ଉପରେ ଲାଗିବ ୫୦ ପ୍ରତିଶତ ଜରିମାନା ଟିକସ । ଯେଉଁମାନେ ଏହା ଘୋଷଣା ନ କରି ଆୟକର ବିଭାଗ ଦ୍ୱାରା ଧରାପଡ଼ିବେ ସେମାନଙ୍କ ପାଇଁ ଏହି ଟିକସ ପରିମାଣ ୮୫ ପ୍ରତିଶତ ହୋଇପାରେ ।

୫୦ ପ୍ରତିଶତ ଜୋରିମାନାରେ ରହିଛି ୩୦ ପ୍ରତିଶତ ଟିକସ, ୧୦ ପ୍ରତିଶତ ଜୋରିମାନା ଓ ୩୩ ପ୍ରତିଶତ ସରଚାର୍ଜ ବା ଉପକର । ଏମିତି ମିଶି ମୋଟ ୫୦ ପ୍ରତିଶତ ଟିକସ । କେବଳ ୫୦ ପ୍ରତିଶତ ଟିକସ ଦେଲେ ଚଳିବ ନାହିଁ, ଆପଣ ଜମାକରିଥିବା ହିିସାବ ବର୍ହିଭୂତ ସମ୍ପତିର ୨୫ ପ୍ରତିଶତ ଅର୍ଥାତ୍ ୪ ଭାଗରୁ ଭାଗେ ଟଙ୍କା “ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’’କୁ ପଳାଇବ ।

ଏହି ଟଙ୍କା ଜମାକାରୀ ଚାରି ବର୍ଷ ପର୍ଯ୍ୟନ୍ତ ଉଠାଇପାରିବେ ନାହିଁ ଓ ଏଥିରୁ ସୁଧ ପାଇବେ ନାହିଁ । ଏହି ଟଙ୍କାରେ ସରକାର ଜଳସେଚନ, ବାସଗୃହ, ସ୍ୱାସ୍ଥ୍ୟ, ଶିକ୍ଷା ଓ ସାମାଜିକ ନ୍ୟାୟ ଭଳି ବିଭିନ୍ନ ଦିଗରେ ଖର୍ଚ୍ଚ କରିବେ । ଆଉ ଯେଉଁମାନେ ସ୍ୱେଚ୍ଛାକୃତ ଭାବେ ହିସାବ ବର୍ହିଭୂତ ସମ୍ପତି କଥା ମାନିବେ ନାହିଁ, ଆୟକର ବିଭାଗ ଦ୍ୱାରା ଧରାପଡ଼ିବେ ସେମାନଙ୍କଠାରୁ ୬୦ ପ୍ରତିଶତ ଟିକସ, ଟିକସ ଉପରେ ୨୫ ପ୍ରତିଶତ ସରଚାର୍ଜ ବା ଉପକର ଆଦାୟ କରାଯିବ ।

ଏମିତି ଭାବରେ ଏହା ୭୫ ପ୍ରତିଶତ ଛୁଇଁବ । ଟିକସ ହିସାବ କରୁଥିବା ଅଧିକାରୀ ଯଦି ନିଷ୍ପତି ନିଅନ୍ତି ଯେ ଆଉ ଅଧିକ ୧୦ ପ୍ରତିଶତ ଟିକସ ଆଦାୟ କରିବେ ତାହା ସେ କରିପାରିବେ । ଅର୍ଥାତ୍ ସେ ୮୫ ପ୍ରତିଶତ ପର୍ଯ୍ୟନ୍ତ ଟିକସ ଆଦାୟ କରିପାରିବେ ।