ଆଦିବାସୀଙ୍କ ପାଇଁ ଏଭଳି ଦରଦ, ଜମି ଚିହ୍ନଟ ହୋଇନି କିନ୍ତୁ ପଟ୍ଟା ଧରି ବୁଲୁଛି ଆଦିବାସୀ । ଜଙ୍ଗଲ ଜମିର ଜୁମଲା ।

122

କନକ ବ୍ୟୁରୋ :  ଜମି ଚିହ୍ନଟ ହୋଇନି, କିନ୍ତୁ ଆଦିବାସୀଙ୍କୁ ମିଳିଛି ପଟ୍ଟା । ଜଙ୍ଗଲ ଅଧିକାର ଆଇନ ଅନୁସାରେ ରାଜ୍ୟ ସରକାର ଆଦିବାସୀଙ୍କୁ କେବଳ ପଟ୍ଟା ବାଣ୍ଟି ବସିଯାଇଛନ୍ତି । ଏହା ଫଳରେ ଜଙ୍ଗଲ ଅଧିକାର ଆଇନ ଅନୁସାରେ ହିତାଧିକାରୀଙ୍କ ପାଇଁ ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ ଆସୁଥିବା ଅନୁଦାନ ଖର୍ଚ୍ଚ ନ’ହୋଇପାରି ଫେରିଯାଉଛି । ସ୍ଥିତି ଏମିତି ଯେ, ଆଦିବାସୀ ମାନେ ସେହି ଜମିର ଉନ୍ନତି କରିପାରୁନାହାନ୍ତି ଓ ଯଥେଷ୍ଟ ମାତ୍ରାରେ ଖାଦ୍ୟ ଦ୍ରବ୍ୟ ଉତ୍ପାଦନ କରିବାରେ ସକ୍ଷମ ହୋଇପାରୁନାହାନ୍ତି ।

vlcsnap-2017-11-27-22h03m10s417ରାଜ୍ୟ ଖାଦ୍ୟ କମିଶନର ରଙ୍ଗଲାଲ ଜାମୁଡା ଏଥିରେ ଉଦ୍ବେଗ ପ୍ରକାଶ କରି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ ଅଛି, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ, ଖାଦ୍ୟ କମିଶନକୁ ଦେଇଥିବା ତଥ୍ୟ ଅନୁଯାୟୀ ଚଳିତ ବର୍ଷ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା କେବଳ କୋରାପୁଟ ଜିଲ୍ଲାରେ ୨୮, ୧୯୧ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି । ତାହା ମଧ୍ୟରୁ ୧୫, ୨୫୦ ଜଣଙ୍କୁ ରାଜସ୍ୱ ଜଙ୍ଗଲ ଏବଂ ୧୨, ୯୪୧ ଜଣଙ୍କୁ ସଂରକ୍ଷିତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ଜଣେ ହେଲେ ହିତାଧିକାରୀଙ୍କ ଜମି ଚିହ୍ନଟ କରାଯାଇନାହିଁ ।

ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଏମିତି ଘଟଣା ଦେଖିବାକୁ ମିଳିଛି । ତେଣୁ ଏହି ଜମି ହିତାଧିକାରୀଙ୍କ ଉଦ୍ଦେଶ୍ୟରେ ମନରେଗା ଯୋଜନାରେ କେନ୍ଦ୍ର ଦେଉଥିବା ଅନୁଦାନ ରାଶି ଖର୍ଚ୍ଚ ନହେଇପାରି ଫେରିଯାଉଛି । ଫଳରେ ଆଦିମ ଅଧିବାସୀଙ୍କ ଜୀବିକା ନିର୍ବାହ ଧାରାରେ ପରିବର୍ତ୍ତନ ଆସିପାରୁନାହିଁ । ରାଜ୍ୟ ସରକାରଙ୍କ ଏମିତି କାର୍ଯ୍ୟରେ କମିଶନ ଉଦ୍ବେଗ ପ୍ରକାଶ କରିବା ସହ ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ଜିଳ୍ଲାପାଳଙ୍କୁ ଏ ନେଇ ରିପୋର୍ଟ ପ୍ରଦାନ କରିବାକୁ କହିଛନ୍ତି ।

ଜଙ୍ଗଲ ଅଧିକାର ଆଇନ-୨୦୦୬ ଓଡିଶାରେ ୦୧. ୦୧. ୨୦୦୮ରୁ କାର୍ଯ୍ୟକାରୀ ହୋଇଆସୁଛି । ଏହି ଆଇନ ବଳରେ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ୪ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଜମି ପଟ୍ଟା ବଣ୍ଟନ କରିସାରିଲେଣି । ଯାହାକି ସମଗ୍ର ଦେଶରେ ସର୍ବାଧିକ ବୋଲି ଦାବି କରୁଛନ୍ତି ରାଜ୍ୟ ସରକାର । କିନ୍ତୁ ବାସ୍ତବ କ୍ଷେତ୍ରରେ ଏହି ଆଇନ କାର୍ଯ୍ୟକାରୀ ହେବାର ୧୦ ବର୍ଷ ପରେ ମଧ୍ୟ ଆଦିବାସୀଙ୍କୁ କେବଳ ପଟ୍ଟା ପ୍ରଦାନ କରି ବସିଯାଇଛନ୍ତି ସରକାର । ଆଉ ଏବେ ଖାଦ୍ୟ କମିଶନ ଏହାକୁ ନେଇ ଅସନ୍ତୋଷ ଜାହିର କରିବା ପରେ କେବେ ସୁଦ୍ଧା ଜମି ଚିହ୍ନଟ କରାଯାଇ ଆଦିବାସୀଙ୍କୁ ହସ୍ତାନ୍ତର କରାଯାଉଛି, ତାଉପରେ ନଜର ।