ସୁବର୍ଣ୍ଣପୁର : ପାତାଳୀ ଶ୍ରୀକ୍ଷେତ୍ରର ସ୍ଥାନ ନିରୂପଣକୁ ନେଇ ଜୋର୍ ହେଲା ବିବାଦ

67

କନକ ବ୍ୟୁରୋ : ସୁବର୍ଣ୍ଣପୁରରେ ପାତାଳୀ ଶ୍ରୀକ୍ଷେତ୍ରର ସ୍ଥାନ ନିରୂପଣକୁ ନେଇ ଜୋର ଧରିଛି ବିବାଦ । ପ୍ରଭୂ ଶ୍ରୀ ଜଗନ୍ନାଥ କେଉଁଠି, ଭାଇ ବଳଭଦ୍ର ଓ ଦେବୀ ଶୁଭଦ୍ରା କେଉଁଠି କରିଥିଲେ ତାଙ୍କର ଗୁପ୍ତଲୀଳା । ତାହା ଏବେ ବିତର୍କର ବିଷୟ ପାଲଟିଛି ।

ସୁବର୍ଣ୍ଣପୁରର ପାତାଳୀ ଶ୍ରୀକ୍ଷେତ୍ରକୁ ନେଇ ଉଠିଥିବା ବିବାଦ ବହୁ ପୁରୁଣା । ଜଗନ୍ନାଥ ବିଭିନ୍ନ ସମୟରେ ଅନେକ ଅଗମ୍ୟ ଯାଗାରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିବା ବେଳେ ସେ ସବୁ ଯାଗା ଚିହ୍ନଟ କରିବା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଐତିହାସିକ ପ୍ରମାଣ ତଥା ଶ୍ରୀମନ୍ଦିର ମାଦଳା ପାଞ୍ଜି ବର୍ଣ୍ଣିତ ଯାଗାଗୁଡିକର ଭୌଗଳିକ ସ୍ଥିତିର ପରିବର୍ତ୍ତନ ଯୋଗୁଁ ଏବେ ଅଡୁଆରେ ଗବେଷକ ଓ ଐତିହାସିକ । ପାତାଳୀ ଶ୍ରୀକ୍ଷେତ୍ରରେ ଶ୍ରୀ ଜଗନ୍ନାଥ ଗୁପ୍ତଲୀଳା କରିଥିବା ନେଇ ଐତିହାସିକ ପ୍ରମାଣ ଥିଲେ ହେଁ ସେହି ସ୍ଥାନ ଚିହ୍ନଟ କରାଯାଉନଥିବା ଅଭିଯୋଗ କରିଛି ଚାଘପାଲି ତ୍ରୀକୂଟ କ୍ଷେତ୍ର ବିକାଶ ପରିଷଦ ଟ୍ରଷ୍ଟ ।

୨୦୧୧ରେ କୋଟ ସମଲାଇ ଛଳିଆ ପାହାଡରେ ଶ୍ରୀମନ୍ଦିର ପ୍ରତିଷ୍ଠା କରାଯାଇ ପୁରୁଷୋତମ କ୍ଷେତ୍ର ଶ୍ରୀମନ୍ଦିର ପ୍ରଦତ ଚତୁର୍ଦ୍ଧା ବିଗ୍ରହଙ୍କୁ ପ୍ରତିଷ୍ଠା କରାଯାଇଛି । ଏହି କ୍ଷେତ୍ରକୁ ଶ୍ରୀ ମନ୍ଦିର ପ୍ରଶାସନ, ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀ ଜଗନ୍ନାଥଙ୍କ ଅନ୍ୟତମ ଲୀଳା କ୍ଷେତ୍ରର ମାନ୍ୟତା ଦେଇଛନ୍ତି । ହେଲେ ଆଜି ଯାଏଁ ଶ୍ରୀ ଜଗନ୍ନାଥଙ୍କ ପ୍ରକୃତ ଗୁପ୍ତଲୀଳା କ୍ଷେତ୍ର ଚିହ୍ନଟ କରାଯାଇନ ଥିବାରୁ ଭକ୍ତମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । ପ୍ରକୃତ ସ୍ଥାନ ନିରୂପଣ ପାଇଁ ୨୦୧୫ରୁ ବାଘପାଲି ତ୍ରୀକୂଟ କ୍ଷେତ୍ର ବିକାଶ ପରିଷଦ ଟ୍ରଷ୍ଟ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଛି ।

ଏନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରି ଘଟଣାର ଅନୁଧ୍ୟାନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି । ହେଲେ ପ୍ରଶାସନ ଏହାକୁ ଗୁରୁତର ସହ ନେଉନଥିବା ଅଭିଯୋଗ ହୋଇଛି । ଅପରପକ୍ଷରେ ଶ୍ରୀ ପାତାଳୀ କ୍ଷେତ୍ର ଟ୍ରଷ୍ଟର କାର୍ଯ୍ୟକର୍ତା କହିଛନ୍ତି ସଠିକ ଯାଗାରେ ଶ୍ରୀମନ୍ଦିର ନିର୍ମାଣ ହୋଇ ଚତୁର୍ଦ୍ଧା ବିଗ୍ରହଙ୍କୁ ପ୍ରତିଷ୍ଠା କରାଯାଇଛି । ସେପଟେ ପାତାଳୀ ଶ୍ରୀକ୍ଷେତ୍ରକୁ ନେଇ ଉଠିଥିବା ବିବାଦରେ ମୁହଁ ଖୋଲୁନାହିଁ ପ୍ରଶାସନ ।

ଜଗନ୍ନାଥଙ୍କ ଐତିହାସିକ ଲୀଳାକ୍ଷେତ୍ରର ଚିହ୍ନଟ ସାଙ୍ଗକୁ ପ୍ରାକୃତିକ ବିଭବରେ ଭରପୁର ଏହି ପୀଠର ଭିତିଭୂମୀର ବିକାଶ ପାଇଁ ଦାବି ଜୋର ଧରିଛି ।