କୋଣାର୍କ ଝୋଟକଳକୁ ଚଳାଇବାକୁ ପୁଣି ତେଜିଲା ଆନ୍ଦୋଳନ ! ଖୋଲିବା ଦାବିରେ ଗେଟ୍ ସମ୍ମୁଖରେ ବିକ୍ଷୋଭ କଲେ ପୁରୁଣା ଶ୍ରମିକ ଓ ପରିବାର ଲୋକେ

90

କନକ ବ୍ୟୁରୋ : ରାଜ୍ୟର ପ୍ରଥମ କୃଷିଭିତ୍ତିକ କୋଣାର୍କ ଝୋଟ କାରଖାନା ଚାଲୁ କରିବା ପାଇଁ ପୁଣି ଜୋର ଧରିଲା ଦାବି । ଦୀର୍ଘ ଦିନ କାରଖାନା ବନ୍ଦ ହେବା ଯୋଗୁଁ ସୁନା ସୂତା କାରଖାନାର ଭୋକିଲା ଶ୍ରମିକଙ୍କ ଦୁଃଖ ବଢ଼ିବାରେ ଲାଗିଛି । କାରଖାନା ଅଚଳ ଯୋଗୁଁ ଭୋକ ଉପବାସରେ ଦିନ କାଟୁଛନ୍ତି ୩ହଜାର ଶ୍ରମିକଙ୍କ ପରିବାର । ତେଣୁ କାରଖାନା ପୁଣି ଥରେ ଚାଲୁ କରିବାକୁ ଗେଟ୍ ସମ୍ମୁଖରେ ନାରାବାଜି କରିବା ସହ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

୨୦୧୨ ମସିହାରୁ ବନ୍ଦ୍ ହୋଇ ପଡି ରହିଥିବା କୋଣାର୍କ ଝୋଟକଳକୁ ପୁଣି ଚାଲୁ କରିବା ପାଇଁ ଏକଜୁଟ୍ ହୋଇଛନ୍ତି ପୁରୁଣା ଶ୍ରମିକ ଓ ସେମାନଙ୍କ ପରିବାରର ସଦସ୍ୟ । ଦିନେ ହଜାର ହଜାର ଲୋକଙ୍କ ମୁହଁରେ ହସ ଫୁଟାଉଥିବା ଏହି କାରଖାନା ବନ୍ଦ ହେବା ଯୋଗୁଁ ଚାକିରି ହରାଇଥିବା ଶ୍ରମିକଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ତେଣୁ ଏଥିରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି କାରଖାନାକୁ ପୁଣି ଚାଲୁ କରିବାକୁ ଦାବି କରିଛନ୍ତି ।

ଏସିଆର ସର୍ବବୃହତ୍ ଧାନମଣ୍ଡଳର କୋଣାର୍କ ଝୋଟକଳ । ଆଜି ଶୁଭୁନି ଶିଳ୍ପର ସାଇରନ, କି ନାହିଁ ଶ୍ରମିକଙ୍କ ଗହଳି ଚହଳି । ସବୁ ଆଡେ ଖାଁ ଖାଁ ପରିବେଶ । ୧୯୭୪ ମସିହାରେ ନନ୍ଦିନୀ ଶତପଥିଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ପ୍ରତିଷ୍ଠା ହୋଇଥିଲା ରାଜ୍ୟର ଏହି ପ୍ରଥମ କୃଷିଭିତ୍ତିକ ଶିଳ୍ପ କୋଣାର୍କ ଝୋଟକଳ । ଆଇଡିସି ଓ ନାଫେଡ ସହାୟତାରେ ୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି କାରଖାନାରେ ୩ହଜାର କର୍ମଚାରୀ କାମକରି ପରିବାର ପୋଷଣ କରୁଥିଲେ । ହେଲେ ବିଭିନ୍ନ ସମୟରେ ଶ୍ରମିକ ସଙ୍ଗଠନ ଓ ରାଜନୈତିକ ଦଳଙ୍କ ଲଢେଇ ଭିତରେ ଏହି ସ୍ୱନାମଧନ୍ୟ କାରଖାନା ଏବେ ମୃତବତ୍ ପଡିରହିଛି । ୨୦୧୨ ମସିହାରୁ ଏହି କାରଖାନ ବନ୍ଦ ହେବା ସହ ଘରୋଇ କମ୍ପାନୀ ଓଡିଶା ଷ୍ଟିଭେଡର୍ସ ଲିମିଟେଡ ହାତରେ ରହିଛି । ହେଲେ ଦୀର୍ଘ ୬ବର୍ଷ ହେବ ବନ୍ଦ୍ ପଡିଛି ।