ବେଙ୍ଗାଲୁରୁରେ ଆରମ୍ଭ ହେଲା ଡିଜେଲ୍‌ର ହୋମ୍‌ ଡେଲିଭରି !

30

ଦେଶର ପ୍ରଥମ ସହର ଭାବେ ବେଙ୍ଗାଲୁରୁରେ କ୍ଷୀର ଏବଂ ଖବରକାଗଜ ଭଳି ଡିଜେଲର ହୋମ୍‌ ଡେଲିଭରି ଆରମ୍ଭ ହୋଇଛି । ବର୍ଷକ ପୂର୍ବେ ସ୍ଥାପନ ହୋଇଥିବା ଏକ ଷ୍ଟାର୍ଟଅପ୍‌ କମ୍ପାନି ପକ୍ଷରୁ ଏହି ସେବା ଜୁନ୍‌ ୧୫ ତାରିଖରୁ ଆରମ୍ଭ ହୋଇଛି । ୩ଟି ଟ୍ୟାଙ୍କରକୁ ନେଇ ଏହି ସେବା ଆରମ୍ଭ କରାଯାଇଛି । ଟ୍ୟାଙ୍କର ଗୁଡ଼ିକର କ୍ଷମତା ୯୫୦ ଲିଟର ଲେଖାଏଁ ରହିଛି ।

ଏହି କମ୍ପାନି ବର୍ତ୍ତମାନ ସୁଦ୍ଧା ୫୦୦୦ ଲିଟର ଡିଜେଲ ବିକ୍ରି କରିସାରିଲାଣି । ଡିଜେଲର ଦୈନିକ ମୂଲ୍ୟ ସହିତ ଡେଲିଭରି ଚାର୍ଜ କମ୍ପାନି ଗ୍ରାହକଙ୍କଠାରୁ ଆଦାୟ କରୁଛି । ୧୦୦ ଲିଟର ପର୍ଯ୍ୟନ୍ତ ଡିଜେଲ ପାଇଁ ଏକକାଳୀନ ଡେଲିଭରି ଚାର୍ଜ ୯୯ ଟଙ୍କା ନିଆଯାଉଛି । ୧୦୦ ଲିଟରରୁ ଅଧିକ ହେଲେ ପ୍ରତି ଲିଟର ଡିଜେଲ ପିଛା ୧ ଟଙ୍କା ଲେଖାଏଁ ଡେଲିଭରି ଚାର୍ଜ ବାବଦରେ ଆଦାୟ କରାଯାଉଛି ।

ଏହି କମ୍ପାନିକୁ ୨୦ ବଡ଼ ଗ୍ରାହକ ମିଳିଯାଇଛନ୍ତି । ଯେଉଁ ଗୁଡ଼ିକ ମଧ୍ୟରେ ୧୬ଟି ସ୍କୁଲ ଏବଂ କିଛି ଆପାର୍ଟମେଣ୍ଟ ରହିଛନ୍ତି । ଗ୍ରାହକମାନେ ଅନଲାଇନରେ, ଫୋନରେ ଏବଂ ଆପ୍‌ ମାଧ୍ୟମରେ ଡିଜେଲ କିଣିବା ପାଇଁ ଅର୍ଡର ଦେଉଛନ୍ତି । ଏହି ସେବା ଯୋଗାଇ ଦେଉଥିବା ଷ୍ଟାର୍ଟଅପ୍‌ କମ୍ପାନିର ନାମ ମାଇଁ ପେଟ୍ରୋଲ ପମ୍ପ ରହିଛି।

ଏହାର ପ୍ରତିଷ୍ଠାତା ହେଲେ ଆଇଆଇଟି ଧାନବାଦରୁ ପାଠ ପଢ଼ିଥିବା ୩୨ ବର୍ଷ ବୟସ୍କ ଆଶିଷ କୁମାର ଗୁପ୍ତା । ସେ ଏହି ଷ୍ଟାର୍ଟଅପ୍‌ ସ୍ଥାପନ ପାଇଁ ସେଲ୍‌ ଗ୍ଲୋବାଲ ସଲ୍ୟୁସନ୍ସରୁ ଚାକିରି ଛାଡ଼ିଛନ୍ତି । ପେଟ୍ରୋଲିୟମ ମନ୍ତ୍ରାଳୟ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା ପରେ ସେ ଏହି ସେବା ଆରମ୍ଭ କରିବାକୁ ସକ୍ଷମ ହୋଇଛନ୍ତି ବୋଲି ଆଶିଷ କହିଛନ୍ତି ।