ଅନ୍ତିମ ସମୟରେ ଶେଷ ଇଚ୍ଛା ପୂରଣ ବେଳେ ଆକାଶ ହଲିବ, ମାଟି ଥରିବ । କିଛି ଚିନ୍ତା କରିବନି,ମନ୍ତ୍ର ଜପିଚାଲିବ… ଦିଲ୍ଲୀ ଗଣ ଆତ୍ମହତ୍ୟା ଘଟଣାର ଲୋମଟାଙ୍କୁରା କାହାଣୀ

72

ରବିବାର ଦିଲ୍ଲୀର ବୁରାଡ଼ି ସ୍ଥିତ ସନ୍ଥ ନଗରରେ ଥିବା ଏକ ଘରୁ ୧୧ଜଣଙ୍କର ମୃତଦେହ ଜବତ ହୋଇଛି। ୧୧ଜଣଙ୍କ ମଧ୍ୟରୁ ୭ ଜଣ ମହିଳା ଏବଂ ୪ ଜଣ ପୁରୁଷ ଥିଲେ । ଏହି ମୃତ୍ୟୁର ରହସ୍ୟ ଉପରୁ ପୁଲିସ ପରଦା ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ଏହି ମାମଲାର ବିଭିନ୍ନ ଦିଗ ଘଟଣାକୁ ଅଧିକ ରହସ୍ୟମୟ କରିଛି। ଘର ଭିତରେ ଥିବା ମନ୍ଦିର ପାଖରୁ ମିଳିଥିବା ହାତଲେଖା ଡ଼ାଏରୀରୁ ଯେଉଁ ପ୍ରମାଣ ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି । ଡାଏରୀ ଅନୁଯାୟୀ, ପରିବାରର କୌଣସି ବ୍ୟକ୍ତି ମରିବାକୁ ଚାହୁଁନଥିଲେ । ଆଉ ଏହି ହାତଲେଖାଟି ଭାଟିଆ ପରିବାରର ସାନ ପୁଅ ଲଲିତ ଭାଟିଆଙ୍କର । ଲଳିତ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ୧୦ ବର୍ଷ ତଳେ ମୃତ୍ୟୁ ବରଣ କରିଥିବା ତାଙ୍କ ବାପାଙ୍କ ନିର୍ଦ୍ଦେଶରେ ମୋକ୍ଷ ପାଇଁ ସମଗ୍ର ପରିବାରକୁ ଆତ୍ମହତ୍ୟା ପାଇଁ ପ୍ରଭାବି ଢ଼ଙ୍ଗରେ ମନେଇ ପାରିଛନ୍ତି ବୋଲି ପୁଲିସ ଅନୁମାନ କରୁଛି।

ସୂଚନା ଅନୁସାରେ, ପୁଲିସ ପ୍ରଥମରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଧରି ତଦନ୍ତ ଚଳାଇଛି। ତେବେ ଏହା ପଛରେ ଯେ ଅନ୍ୟ କୌଣସି କାରଣ ନ ଥିବା ତାକୁ ମଧ୍ୟ ପୁଲିସ ଅସ୍ୱୀକାର କରି ନାହିଁ। ଦିନକୁ ଦିନ ଘର ଭିତରୁ ବିଭିନ୍ନ ରହସ୍ୟମୟ ପ୍ରସଙ୍ଗ ପଦାକୁ ଆସୁଛି। ଯେଉଁ ଘରେ ପରିବାରର ୭ ଜଣ ମହିଳା ଓ ୪ ଜଣ ପୁରୁଷଙ୍କ ମୃତଦେହ ମିଳିଛି ସେଠାରେ ପାଣି ନ ଥାଇ ମଧ୍ୟ ୭ଟି ବଙ୍କା ପାଇପ ଓ ୪ଟି ସିଧା ପାଇପ ଘରୁ ବାହାରି ଥିବା ଦେଖିବାକୁ ମିଳିଛି। ଏହାଛଡ଼ା ପୋଲିସ ସୁତ୍ର ମୁତାବିକ, ସାନପୁଅ ଲଲିତଙ୍କ କହିବା ଅନୁସାରେ ଶନିବାର ବିଳମ୍ବିତ ରାତିରେ ସମସ୍ତ ସଦସ୍ୟ ପୂଜାରେ ବସିଥିଲେ ।

ପୋଲିସକୁ ମିଳିଥିବା ଡାଏରୀ ମୁତାବିକ, ଲଲିତ ପୂରା ପରିବାରକୁ କହିଥିଲେ ତାଙ୍କ ମୃତ ବାପା ତାଙ୍କ ସ୍ୱପ୍ନରେ ଆସୁଥିଲେ । ଏପରିକି ଜୀବନରେ ମୋକ୍ଷ ପାଇବା ପାଇଁ ପରିବାରର ସମସ୍ତ ସଦସ୍ୟଙ୍କୁ ପୂଜାରେ ବସିବାକୁ ମୃତ ବାପା କହିଥିବା ଲଲିତ କହିଥିଲେ । ଯାହାକୁ ସେ ଡାଏରୀରେ ଉଲ୍ଲେଖ କରିଥିଲେ । ଏପରିକି ପୂଜାର ଶେଷ ପର୍ଯ୍ୟାୟରେ ହାତ ଓ ମୁହଁରେ ପଟି ବାନ୍ଧିବା ସହ ଝୁଲିବା ପାଇଁ ବୋଧହୁଏ କୁହାଯାଇଥିଲା ଓ ପରିବାର ଲୋକଙ୍କର ବିଶ୍ୱାସ ଥିଲା କି ଏପରି କରିବା ଦ୍ୱାରା ମୋକ୍ଷ ମିଳିବ ଓ ପୂରା ପରିବାର ବଞ୍ଚିଯିବ । ସମସ୍ତଙ୍କୁ କୁହାଯାଇଥିଲା କି ବରଗଛକୁ ପୂଜା କରିବା ଦ୍ୱାରା ଭଗବାନଙ୍କ ଦର୍ଶନ ମିଳିବ । ବରଗଛ ପରି ଝୁଲିକି ପୂଜା କରିବା ଦ୍ୱାରା କେହି ପ୍ରାଣ ହରାଇବେ ନାହିଁ । ଭଗବାନ କାହାକୁ ମରିବାକୁ ଦେବେ ନାହିଁ ।

ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଲଳିତ ଲେଖିଛନ୍ତି ଯେ ‘ବାପା କହିଛନ୍ତି ଯେ ଶେଷ ସମୟରେ ଝଟକା ଲାଗିବ, ଅକାଶ ହଲିବା ପରି ଲାଗିବ, ପୃଥିବୀ ଥରି ଉଠିବ। ମାତ୍ର ଏଥିରେ ବିଚଳିତ ହେବ ନାହିଁ, ମନ୍ତ୍ର ଜପକୁ ତୀବ୍ର କରିବ। ମୁଁ ତୁମକୁ ବଞ୍ଚାଇ ଦେବି। ଯେତେବେଳେ ପାଣିର ରଙ୍ଗ ବଦଳିବ ସେତେବେଳେ ଓହ୍ଲାଇପଡ଼ିବ। ଜଣେ ଅନ୍ୟ ଜଣକୁ ତଳକୁ ଆଣିବାରେ ସାହାଯ୍ୟ କରିବ। ତୁମେ କେହି ମରିବ ନାହିଁ, ବରଂ ଖୁବ୍ ବଡ଼ କିଛି ହାସଲ କରିବ’। ସେହିପରି ଆଉ ଏକ ସ୍ଥାନରେ ‘ମା ସମସ୍ତଙ୍କୁ ରୋଟି ଖୁଆଇବେ’ବୋଲି ଲଳିତ ଲେଖିଛନ୍ତି। ସେହି ଅନୁଯାୟୀ, ନିକଟସ୍ଥ ଏକ ରେସ୍ତୋରାଁରୁ ୨ଶହ ଟଙ୍କା ଦେଇ ୨୦ଟି ରୁଟି କିଣାଯାଇଥିବାର ରସିଦ ମଧ୍ୟ ପୁଲିସ ଘରୁ ଜବତ କରିଛି। ପୋଲିସର କହିବା ଅନୁଯାୟୀ, ଲଲିତର କହିବା ପରେ ଶନିବାର ଘରେ ପୂଜା କରାଯାଇଥିଲା । ଘରେ ହୋମ କରିବା ପରେ ଗୋଟିଏ ବୋତଲରେ ପାଣି ରଖାଯାଇଥିଲା । ଏପରିକି ଡାଏରୀରେ ଲେଖା ଯାଇଥିଲା, ହାତର ପଟି ଖୋଲିଗଲେ ଏହାକୁ ମୁହଁରେ ଲଗାଇଦେବ । କେବଳ ଲଳିତ ଓ ତାଙ୍କ ପତ୍ନୀ ଟିନାଙ୍କ ହାତ ବନ୍ଧା ହୋଇ ନଥିଲା ।

ରେଜିଷ୍ଟରରେ ବଟ ସାବିତ୍ରୀ ପୂଜା କଥା ମଧ୍ୟ ଉଲ୍ଲେଖ କରାଯାଇଛି । ବଟ ସାବିତ୍ରୀ ପୂଜା ପୂର୍ଣ୍ଣିମା ଦିନ ହିଁ କରାଯାଇଥାଏ । ଯେଉଁ ରାତିରେ ପରିବାର ଲୋକଙ୍କ ମୃତ୍ୟୁ ହୋଇଥିଲା ସେହିଦିନ ମଧ୍ୟ ପୂର୍ଣ୍ଣିମା ଥିଲା । ସାଧାରଣତଃ ବଟ ସାବିତ୍ରୀ ପୂଜା ସ୍ତ୍ରୀ ମାନେ ସ୍ୱାମୀଙ୍କ ଲମ୍ବା ଆୟୁଷ ପାଇଁ କରିଥାନ୍ତି । ତେବେ ଏହି ଘଟଣାକୁ କେବଳ ଅନ୍ଧବିଶ୍ୱାସଜନିତ ଆତ୍ମହତ୍ୟା କହି ପୁଲିସ ତଦନ୍ତ ଶେଷ କରିବାକୁ ଚାହୁଁ ନାହିଁ। ଏହା ପଛରେ କୌଣସି ତାନ୍ତ୍ରିକର ହାତ ଥିବା ସନ୍ଦେହରେ ପୁଲିସ ତଦନ୍ତ ଆରମ୍ଭ କରି ପରିବାରର ସମସ୍ତ ସଦସ୍ୟଙ୍କ ମୋବାଇଲ ଫୋନ କଲ ଡିଟେଲ୍ସକୁ ସମୀକ୍ଷା କରୁଛି।ଆଉ ପରିବାର ଲୋକଙ୍କ କଲ ରେକର୍ଡ଼ ଚେକ୍ କରିବା ପରେ ଗୋଟିଏ ନମ୍ବର ଉପରେ ପୁଲିସର ସନ୍ଦେହ ହୋଇଛି। ଏହି ନମ୍ବର କୌଣସି ବାବା ବା ତାନ୍ତ୍ରିକର ହୋଇଥାଇପାରେ ଅନୁମାନ କରୁଛି ପୁଲିସ। ତେବେ ପରିବାରର ମୃତ ସଦସ୍ୟ ଲଳିତଙ୍କ ଉପରେ ପୁଲିସ ବେଶି ସନ୍ଦେହ କରିବା ଆରମ୍ଭ କରିଛି। ତେଣୁ ଲଳିତଙ୍କ ଜୀବନର ଇତିହାସ ଖୋଜି ତାଙ୍କ ଅନ୍ଧବିଶ୍ୱାସର ପୃଷ୍ଠଭୂମି ଖୋଜୁଛି ପୁଲିସ ।