ଏମିତି ବି ନୃଶଂସ ହୋଇପାରେ ମଣିଷ ! ପ୍ରଥମେ ଲୁଟ କଲେ, ପରେ ବୁଢୀ ମା’ର ତଣ୍ଟି କାଟି ହତ୍ୟା କଲେ ।

55

ରାଜଧାନୀ ଦିଲ୍ଲୀରେ ବୟସ୍କ ଲୋକମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଥମିବାର ନାଁ ନେଉନାହିଁ । ଗୋଟିଏ ପରେ ଗୋଟିଏ ଅପରାଧ ହୋଇ ଚାଲିଥିବା ବେଳେ ଏଥର ବଳି ପଡିଯାଇଛନ୍ତି ଜଣେ ବୃଦ୍ଧା । ଏହି ୭୪ ବର୍ଷୀୟ ବୃଦ୍ଧାଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି । ଏହି ହତ୍ୟା ପଛରେ ଚୋରି ଡକାୟତି ଉଦ୍ଦେଶ୍ୟ ରହିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାର ତଦନ୍ତ ଚଲାଇଛି ।

ଘଟଣାଟି ବିହାରର ଝିଲମିଲ ଅଞ୍ଚଳର ଅଟେ । ଯେଉଁଠି ଲୀନା ନାମକ ଜଣେ ୭୪ ବର୍ଷୀୟା ମହିଳା ନିଜ ପରିବାର ସହ ଏ-୪୦, ଝିଲମିଲ ଅଞ୍ଚଳରେ ୪ମହଲା ବିଶିଷ୍ଟ କୋଠାର ତଳ ମହଲାରେ ରହୁଥିଲେ । ତାଙ୍କ ପୁଅ ଭୀଷ୍ମ ମହାଲିୟାନୀ ନିଜ ପତ୍ନୀ ଏବଂ ଦୁଇ ଜଣ ଛୁଆଙ୍କ ସହ ଦ୍ୱିତୀୟ ମହଲାରେ ରହୁଛନ୍ତି । କୋଠାର ଅନ୍ୟ ସବୁ ଅଂଶ ଭଡାରେ ଦିଆଯାଇଛି ।

ଗତ ସୋମବାର ଦିନ ଭୀଷ୍ମଙ୍କ ପତ୍ନୀ ଛୁଆମାନଙ୍କ ସହ ନିଜ ବାପ ଘରକୁ ଯାଇଥିଲେ । ଏପରିକି ଭୀଷ୍ମ ମଧ୍ୟ ପାସପୋର୍ଟ କରିବା ପାଇଁ ଘରୁ ବାହାରି ଯାଇଥିଲେ । ଆଉ ଗଲାବେଳେ ସେ ଘରର ଚାବି ତାଙ୍କ ମା’ଙ୍କୁ ଦେଇଯାଇଥିଲେ । ରାତି ପାଖାପାଖି ୧୦ଟା ସମୟରେ ଯେତେବେଳେ ସେ ନିଜ ପତ୍ନୀ ଓ ପିଲାମାନଙ୍କ ସହ ଘରକୁ ଫେରିଥିଲେ, ଗ୍ରାଉଣ୍ଡ ଫ୍ଲୋରରେ ବାହାରପଟୁ ତାଲା ପଡିଥିଲା । ଝରକାପଟୁ ଦେଖିଥିଲେ ଯେ, ତାଙ୍କ ଘରର ଚାବି ମା’ଙ୍କ ଘରେ ହିଁ ରହିଥିଲା ।

ଏହା ପରେ ସେ ଚାବି ନେଇ ଉପର ମହଲାକୁ ପଳାଇଥିଲେ । ଦୀର୍ଘ ସମୟ ଧରି ମା’ ଘରକୁ ନଫେରିବାରୁ ଭୀଷ୍ମ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ଘରର ଚାବି ଭାଙ୍ଗି ପୋଲିସ ଘର ଭିତରକୁ ପଶିଥିଲା । ସେଠାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଲୀନାଙ୍କ ମୃତ ଶରୀର ପଡିରହିଥିଲା । ଘର ଭିତରେ ଥିବା ଆସବାବପତ୍ର ମଧ୍ୟ ଏପଟେ ସେପଟେ ପଡିଥିବା ଦେଖିବାକୁ ମିଳିଥିଲା ।

ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଘର ଭିତରେ ସିସିଟିଭି କ୍ୟାମେରା ନଥିଲା । ତେବେ ସମ୍ପୃକ୍ତ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ ଚଲାଇଛି । କେହି ଜଣାଶୁଣା ବ୍ୟକ୍ତି ଏହି ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ଏପରିକି ତାଙ୍କର କିଛି ସମ୍ପର୍କୀୟଙ୍କୁ ମଧ୍ୟ ପୋଲିସ ଅଟକ ରଖି ପଚରାଉଚୁରା ଆରମ୍ଭ କରିଛି ।