ଦିଲ୍ଲୀ ହିଂସା ନେଲାଣି ୪୨ ଜଣଙ୍କ ଜୀବନ : ଦଙ୍ଗାରୁ ବାଦ୍ ପଡିନି ଶିକ୍ଷାନୁଷ୍ଠାନ, ନାଗରିକତା ସଂଶୋଧନ ଆଇନକୁ ନେଇ ଜଳିଥିବା ନିଆଁରେ ପୋଡି ଯାଇଛି ବିଦ୍ୟାଳୟ

171

କନକ ବ୍ୟୁରୋ : ଦିଲ୍ଲୀ ଦଙ୍ଗାରୁ ବାଦ୍ ପଡିନି ଶିକ୍ଷାନୁଷ୍ଠାନ, ଘର ଓ ଦୋକନ ବଜାର । ଦଙ୍ଗାରେ ଜଳିଯାଇଛି ସବୁକିଛି । ଦିଲ୍ଲୀରେ ପରିସ୍ଥିତି ଶାନ୍ତ ପଡିଥିବା ବେଳେ ଏବେ ଉଜୁଡି ଯାଇଥିବା ଶିକ୍ଷାନୁଷ୍ଠାନ, ଦୋକାନ ବଜାର ଓ ଘରକୁ ଦେଖି ବାହୁନି କାନ୍ଦୁଛନ୍ତି ଲୋକେ ।

ଦିଲ୍ଲୀ ଦଙ୍ଗାରୁ ବାଦ୍ ପଡିନି ଶିକ୍ଷାନୁଷ୍ଠାନ । ନାଗରିକତା ସଂଶୋଧନ ଆଇନକୁ ନେଇ ଜଳିଥିବା ନିଆଁରେ ପୋଡି ଯାଇଛି ବିଦ୍ୟାଳୟ । ଦଙ୍ଗା ପରିସ୍ଥିତି ଶାନ୍ତ ପଡିବା ପରେ ଏବେ ନିଜ ସ୍କୁଲର ଏପରି ଅବସ୍ଥା ଦେଖି ବ୍ୟଥିତ ହୋଇପଡିଛନ୍ତି ଛାତ୍ରଛାତ୍ରୀ । ୨୫ତାରିଖରେ ଶିବ ବିହାର ଅଂଚଳରେ ଥିବା ରାଜଧାନୀ ପବ୍ଲିକ ସ୍କୁଲକୁ ଆକ୍ରମଣ କରିଥିଲେ ଦଙ୍ଗାକାରୀ ।

ବାହାରେ ଚାଲିଥିବା ଦଙ୍ଗା ଓ ୬୦ଘଂଟା ଧରି ଘର ଭିତରେ ବନ୍ଦ ହୋଇ ରହିଥିଲେ ବିଦ୍ୟାଳୟରେ ସୁରକ୍ଷା କର୍ମୀ ଭାବେ କାମ କରୁଥିବା ମନୋଜ । ଦଙ୍ଗାକାରୀ ତାଙ୍କ ଘରେ ପଶି ଭଙ୍ଗାରୁଜା କରିଛନ୍ତି ଏପରିକି ତାଙ୍କ ପାଖରେ ଖାଦ୍ୟ ସାମଗ୍ରୀ ମଧ୍ୟ କିଛି ନଥିବା କୋହଭରା କଣ୍ଠରେ କହିଛନ୍ତି ମନୋଜ । ଦୀର୍ଘ ୧୮ବର୍ଷ ଧରି ଦିଲ୍ଲୀରେ ରହୁଥିଲେ ମଧ୍ୟ ପୂର୍ବରୁ ସେ କେବେ ନିଜକୁ ଅସୁରକ୍ଷିତ ମଣିନଥିଲେ ବୋଲି ଦଙ୍ଗାର ସମୟର ଅନୁଭୁତି ପ୍ରକାଶ କରିଛନ୍ତି ।

ଦିଲ୍ଲୀ ବାବରପୁର ମୁସଲିମ ବହୁଳ ଅଂଚଳରେ ଦୀର୍ଘ ବର୍ଷରୁ ରହିଆସୁଛନ୍ତି ରାଜକୁମାରୀ ଶର୍ମା ଓ ତାଙ୍କ ପ୍ରୁଅ । ଆଉ କିଛି ଦିନ ପରେ ଥିଲା ପୁଅ ବାହାଘର । ଏବେ କିନ୍ତୁ ଦଙ୍ଗାରେ ତାଙ୍କ ଘର ଉପରେ ବି ହୋଇଛି ଆକ୍ରମଣ । (୨୮) ସେପଟେ ଶିବ ବିହାର ଅଂଚଳରେ ଏକୁଟିଆ ହିନ୍ଦୁ ପରିବାର ଭାବେ ରହୁଥିବା ରାମ ସେବକଙ୍କ ପରିବାର ମଧ୍ୟ ନିଜ ଅନୁଭୂତି ବଖାଣିଛନ୍ତି । ମୁସଲମାନ ଭାଇମାନେ ସୁରକ୍ଷାର ପ୍ରତିଶ୍ରୁତି ଦେଇଥିଲେ ଏବଂ ତାଙ୍କୁ କୌଣସ ସମସ୍ୟାର ସମ୍ମୁଖିନ ହେବାକୁ ପଡିନାହିଁ ବୋଲି କହିଛନ୍ତି ରାମ ସେବକ ।

ସେହିପରି ଦଙ୍ଗାର ନିଆଁ ଭିତରେ ଶିବ ମନ୍ଦିରକୁ ସୁରକ୍ଷା ଯୋଗାଇଛନ୍ତି ମୁସଲିମ ସମ୍ପ୍ରଦାୟ । ଶିବ ବିହାର ନିକଟ ଚମନ ପାର୍କ ଅଂଚଳ ଥିବା ଏହି ଶିବ ମନ୍ଦିରକୁ ଦଙ୍ଗାକାରୀଙ୍କ ଠାରୁ ସୁରକ୍ଷା ଦେଇଥିଲେ ଶକିଲ ଅହମଦ ଓ ସ୍ଥାନୀୟ ଲୋକେ ।

ଦିଲ୍ଲୀ ଦଙ୍ଗାରେ ଧନହାନୀ ସହ ଅନେକ କ୍ଷୟକ୍ଷତି ହୋଇଥିବା ବେଳେ ଉଭୟ ସମ୍ପ୍ରଦାୟର ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହାରି ଭିତରେ ଏମିତି ଅନେକ ଚିତ୍ର ସାମ୍ନାକୁ ଆସିଛି ଯାହା ଦେଖିଲା ପରେ ମାନବିକତା ଉପରେ ଭରସା ବଜାୟ ରହିବ ।