ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଜାରି : ଘଟଣାକୁ ନେଇ କଂଗ୍ରେସ ଓ ବିଜେପି ମୁହାଁମୁହିଁ

42

କନକ ବ୍ୟୁରୋ : ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାମଜାସ କଲେଜରେ ଦେଖାଦେଇଥିବା ଛାତ୍ର ଅଶାନ୍ତି ଏବେ ବ୍ୟାପକ ରୂପ ନେଇଛି । ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ସମସ୍ତ କଲେଜରେ ଉତେଜନା ଲାଗି ରହିଛି । ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ଓ ବିଜେପି । ପରସ୍ପରକୁ ଦୋଷାରୋପ କରିଛନ୍ତି ଉଭୟ ଦଳ । ଜେଏନୟୁ ଛାତ୍ର ଉମର ଖାଲିଦକୁ ରାମଜାସ କଲେଜରେ ଅନୁଷ୍ଠିତ ଏକ ସେମିନାର ପାଇଁ ଆମନ୍ତ୍ରଣକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି ।

ଏବିଭିପି ଛାତ୍ର ସଂଗଠନପକ୍ଷରୁ ତ୍ରିରଙ୍ଗା ମାର୍ଚ୍ଚ କରାଯାଇଛି । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଲେଡି ଶ୍ରୀରାମ କଲେଜର ଛାତ୍ରୀ ଗୁରମେହର କୋ÷ର ସୋସିଆଲ ମିଡିଆରେ ଏବିଭିପି ବିରୋଧରେ ଅଭିଯାନ ଚଳାଇବା ପରେ ତାଙ୍କୁ ଦୁଷ୍କର୍ମ ଧମକ ଦିଆଯାଇଥିବା ଅଭିଯୋଗ କରିଛନ୍ତି । ଗୁରୁମେହରଙ୍କ ସମର୍ଥନରେ ଛାତ୍ରୀମାନେ ବିଭିନ୍ନ କଲେଜରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ଏନେଇ ଦିଲ୍ଲୀ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗୁରମେହର । ଏହା କେବଳ ଜଣେ ଛାତ୍ରୀଙ୍କ ସମସ୍ୟା ନୁହେଁ ବରଂ ପୂରା ବିଶ୍ୱବିଦ୍ୟାଳୟର ସମସ୍ୟା ବୋଲି କହିଛନ୍ତି ଗୁରମେହର ।

କାରଗିଲ ସହିଦଙ୍କ ଝିଅ ଗୁରମେହରଙ୍କୁ ଧମକ ଦୁଷ୍କର୍ମ ଘଟଣାକୁ କଡା ନିନ୍ଦା କରିଛନ୍ତି ଦିଲ୍ଲୀ ମହିଳା କମିଶନ । ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦିଲ୍ଲୀ ପୋଲିସ କମିଶନରଙ୍କୁ ଚିଠି ଲେଖିଛନ୍ତି ଦିଲ୍ଲୀ ମହିଳା କମିଶନ ଅଧକ୍ଷା ସ୍ୱାତୀ ମାଲିୱାଲ । ଏହା ସହ ଗୁରମେହରଙ୍କ ପରିବାରକୁ ମଧ୍ୟ ସୁରକ୍ଷା ଯୋଗାଇବା ପାଇଁ ସେ ପୋଲିସକୁ କହିଛନ୍ତି ।