ଦିଲ୍ଲୀରେ ଆଜି ହେବ ବାରିପଦା ମେଡିକାଲ କଲେଜର ଭାଗ୍ୟ ନିର୍ଧାରଣ ! କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନଡ୍ଡାଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

47

କନକ ବ୍ୟୁରୋ : ବାରିପଦା ମେଡିକାଲ ଓ ହସ୍ପିଟାଲରେ ଚଳିତବର୍ଷ ନାମଲେଖାକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ଏହାର ପ୍ରତିବାଦରେ ଆଜି ବିଭିନ୍ନ ଦଳ ଓ ସଙ୍ଗଠନ ପକ୍ଷରୁ ୧୨ ଘଂଟିଆ ମୟୁରଭଂଜ ବନ୍ଦ ଡାକରା ଦିଆଯାଇଛି । ବନ୍ଦକୁ ଜିଲ୍ଲା କଂଗ୍ରେସ , ଓକିଲ ସଂଘ ଓ ବାମପନ୍ଥୀ ଦଳଙ୍କ ସମେତ ବିଭିନ୍ନ ସଙ୍ଗଠନ ସମର୍ଥନ କରିଛନ୍ତି ।

ବନ୍ଦର ପ୍ରଭାବ ସମଗ୍ର ଜିଲ୍ଲାରେ ଦେଖିବାକୁ ମିଳିିଛି । ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି । ସେପଟେ ମେଡିକାଲ ନେଇ ଦିଲ୍ଲୀରେ ଆଜି ଉଚ୍ଚସ୍ତରୀୟ ବୈଠକ ବସୁଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା ଏହି ବୈଠକ ଡାକିଛନ୍ତି । ଏଥିରେ ଯୋଗଦେବାକୁ ସ୍ୱାସ୍ଥ୍ୟସଚିବ ପ୍ରମୋଦ ମେହେର୍ଦ୍ଦାଙ୍କୁ ଅଚନାକ ଦିଲ୍ଲୀ ଡକାଯାଇଛି । ରାଜ୍ୟ ସରକାର ଚଳିତ ଶିକ୍ଷାବର୍ଷରୁ ବାରିପଦା ମେଡିକାଲ କଲେଜରେ ନାମଲେଖାଇବାକୁ ଚାହିଁଛନ୍ତି ।

କିନ୍ତୁ ଏ ଯାଏ ଏଥିପାଇଁ ଅନୁମତି ପତ୍ର ମିଳିନାହିଁ । ଏମସିଆଇ ଟିମ ବି ଶେଷ ପରିଦର୍ଶନ କରିନାହିଁ । ଏଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରି କେନ୍ଦ୍ରକୁ ଚିଠି ଲେଖିସାରିଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଏପ୍ରିଲ ୨୮ ତାରିଖରେ ପତ୍ର ଲେଖିସାରିଛନ୍ତି ।