ଶାନ୍ତ ହେଉଛି ଦିଲ୍ଲୀ । କିନ୍ତୁ ଏବେ ବି ୧୫୦ରୁ ଅଧିକ ଲୋକ ହସ୍ପିଟାଲରେ ମୃତ୍ୟୁ ସହ କରୁଛନ୍ତି ସଂଗ୍ରାମ । ପ୍ରଭାବିତ ଅଞ୍ଚଳରେ ୧୪୪ ଧାରା ଜାରି

150

କନକ ବ୍ୟୁରୋ : ଧୀରେ ଧୀରେ ଶାନ୍ତ ହେଉଛି ଦିଲ୍ଲୀର ସ୍ଥିତି । ହିଂସାକାଣ୍ଡର ୩ ଦିନ ପରେ ଦିଲ୍ଲୀରେ ସ୍ଥିତି ସୁଧୁରୁଛି । ହିଂସାକାଣ୍ଡର ଭୟ ଧୀରେ ଧୀରେ ଦୂର ହେଉଛି । ଲୋକଙ୍କ ମନରୁ ଭୟ ଦୂର ହେବା ପରେ ରାସ୍ତାରେ ଗାଡି ଚଳାଚଳ ଆରମ୍ଭ ହୋଇଛି । ଏହା ମଧ୍ୟରେ ହିଂସାକାଣ୍ଡ ମୃତ୍ୟୁସଂଖ୍ୟା ୩୮କୁ ବୃଦ୍ଧି ହୋଇଛି । ସେପଟେ ପୂରା ଅଂଚଳ ଗୁଡିକ ଉପରେ ନଜର ରଖିଛି ପୋଲିସ । ହିଂସାକାଣ୍ଡ ଘଟିଥିବା ଅଂଚଳରେ ଫ୍ଲାଗମାର୍ଚ କରୁଛି ପୋଲିସ ।

ସେପଟେ ହତ୍ୟା ଅଭିଯୋଗ ଓ ହିଂସାକାଣ୍ଡ ଘଟାଇବାର ଅଭିଯୋଗ ଆସିବା ପରେ ପରେ ଆମ ଆଦମୀ ପାର୍ଟି ଏହାର କାଉନସିଲର ତାହିର ହୁସୈନଙ୍କୁ ଦଳ ସସପେଣ୍ଡ କରିଛି । ଦିଲ୍ଲୀ ହିଂସା ମାମଲାରେ ଶେଷ ଖବର ସୁଦ୍ଧା ୪୮ଟି ଏଫଆଇଆର ରୁଜୁ ହୋଇଛି । ଏପରିକି ୩୫୦ଟି ଶାନ୍ତି କମିଟି ବୈଠକ ହୋଇସାରିଛି । ଘଟଣାର ତଦନ୍ତ କରିବାକୁ ୨ଟି ଏସଆଇଟି ଟିମ୍ ଗଠନ ହୋଇଛି । ହିଂସାରୁ ଦୂରେଇ ରହିବାକୁ ଓ ଭାଇଚାରା ବଜାୟ ରଖିବାକୁ ଲୋକଙ୍କୁ ନିବେଦନ କରିଛି ପ୍ରଶାସନ ।

ଦିଲ୍ଲୀ ହିଂସାକାଣ୍ଡରେ ଏଯାଏ ୩୮ ଜଣଙ୍କ ଜୀବନ ଗଲାଣି । ୧୫୦ରୁ ଅଧିକ ଲୋକ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ହିଂସାକାଣ୍ଡ ପାଇଁ ୧୧୫ ଜଣଙ୍କୁ ପୋଲିସ ଗିରଫ କରିଛି । ଏହାରି ଭିତରେ ଆପ୍ ନେତା ହାଜି ତାହିର ହୁସେନଙ୍କ ଘର ସିଲ୍ କରିଛି ପୋଲିସ । ତାଙ୍କ ଛାତ ଉପରୁ ମିଳିଥିବା ପେଟ୍ରୋଲ ବମ୍ ଓ ମାରଣାସ୍ତ୍ରକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ତାହିର ହୁସେନଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି । ତାହିରଙ୍କ ନାଁରେ ଏତଲା ଆସିବା ପରେ ତାଙ୍କୁ ଆମ ଆଦମୀ ପାର୍ଟି ଦଳରୁ ନିଲମ୍ୱନ କରିିଛି।