ପ୍ରଦୂଷଣରେ ଚୀନର ବେଜିଂ ସହରକୁ ଟପିଗଲା ଦିଲ୍ଲୀ : ସାମ୍ନାକୁ ଆସିଲା ବାୟୁ ପ୍ରଦୂଷଣର ଭୟଙ୍କର ଚିତ୍ର

43

vlcsnap-2016-11-06-20h00m06s112ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ସ୍ଥିତି ଭୟଙ୍କର ରୂପ ନେଇଛି । ଏହାର ମାତ୍ରା ଅହେତୁକ ଭାବେ ବଢିଯାଇଛି । ଗ୍ୟାସ ଚାମ୍ବର ପାଲଟିଛି ଦିଲ୍ଲୀ । ଏହାର ମୁକାବିଲା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ଦିଲ୍ଲୀ ସରକାର । ୫ ଦିନ ପର୍ଯ୍ୟନ୍ତ ସମସ୍ତ ନିର୍ମାଣ କାମ ଉପରେ କଟକଣା ଲାଗିଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସହରର ସମସ୍ତ ସ୍କୁଲ ବନ୍ଦ ରହିବ । ବଦରପୁର ପ୍ଲାଂଟକୁ ୧୦ ଦିନ ପାଇଁ ବନ୍ଦ କରିଦିଆଯାଇଛି । ସୋମବାରଠାରୁ ରାସ୍ତାରେ ପାଣି ଛିଂଚିବା ବ୍ୟବସ୍ଥା ହୋଇଛି । ପିଡବ୍ଲୁଡି ଅନ୍ତର୍ଗତ ସମସ୍ତ ୧୦୦ ଫୁଟ୍ ରାସ୍ତାକୁ ଆସନ୍ତା ୧୦ ତାରିଖରୁ ଭେକ୍ୟୁମ୍ କ୍ଲିନିଂ କରାଯିବ । ଆବଶ୍ୟକ ହେଲେ ସହରରେ ଅଡ- ଇଭେନ ଫର୍ମୁଲା ପୁଣି ଆରମ୍ଭ ହେବ । ସମସ୍ତ ଡିଜି ସେଟ୍ ୧୦ ଦିନ ପାଇଁ ବନ୍ଦ ରହିବ ।

ଦିଲ୍ଲୀ ସହରରେ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି କେନ୍ଦ୍ର । ଏହାକୁ ଜରୁରୀକାଳୀନ ସ୍ଥିତି ବୋଲି କହିଛନ୍ତି କେନ୍ଦ୍ର ସରକାର । ଅନ୍ୟପଟେ ଦିଲ୍ଲୀ ଓ ଏହାକ ତିନି ପଡୋଶୀ ରାଜ୍ୟ ଉତର ପ୍ରଦେଶ, ହରିୟାଣା ଓ ପଂଜାବ ସହ ସୋମବାର ବୈଠକ ହେବ ଏବଂ ପ୍ରଦୂଷଣ କମାଇବା ପାଇଁ ପଦକ୍ଷେପ ନେବା ନେଇ ଆଲୋଚନା ହେବ ବୋଲି ଜଣାପଡିଛି । ଅନ୍ୟପଟେ ଦିଲ୍ଲୀ ପ୍ରଦୂଷଣକୁ ନେଇ ରାଜନୀତି ନକରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରୀ ।

ରବିବାର ଦିଲ୍ଲୀର ବିଭିନ୍ନ ଅଂଚଳରେ ବାୟୁର ମାନ କେତେ ବିଗିଡି ଯାଇଛି ତାହା ନଜରକୁ ଆସିଥିଲା । ଆରକେପୁରମରେ ଏହା ୯୯୯, ଇନ୍ଦିରା ଗାନ୍ଧି ବିମାନ ବନ୍ଦରରେ ୪୩୬, ପଂଜାବୀ ବାଗରେ ୯୯୯ ଓ ଶାନ୍ତି ପଥରେ ୬୬୨ ରେକର୍ଡ କରାଯାଇଛି । ଏହାକୁ ନେଇ ଚିନ୍ତାରେ ପରିବେଶବିତ୍ ।

ଦିଲ୍ଲୀ ବାୟୁ ପ୍ରଦୂଷଣ ମାତ୍ରା ସୁରକ୍ଷିତ ସୀମାଠାରୁ ପ୍ରାୟ ୧୭ଗୁଣ ଅଧିକ ଥିବା ବେଳେ ଏହା ସହ ଦେଶର ରାଜଧାନୀ ପାଳଟିଛି ବିଶ୍ୱର ଅନ୍ୟତମ ସର୍ବାଧିକ ପ୍ରଦୂଷିତ ସହର ।