ପୁଣିଥରେ ଦିଲ୍ଲୀର ପ୍ରଦୂଷଣ ଉଦବେଗଜନକ : ଲୋକଙ୍କୁ ମାସ୍କ ବ୍ୟବହାର କରିବା ପାଇଁ ପରାମର୍ଶ

3

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ପୁଣିଥରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଛି । ଏହି ସଙ୍କଟ କେନ୍ଦ୍ର ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ସମସ୍ତ ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ପଥର ଖଣିଗୁଡ଼ିକୁ ମଧ୍ୟ ବନ୍ଦ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଅଗ୍ନିଶମ ବିଭାଗ ରାସ୍ତାରେ ପାଣି ଛିଞ୍ଚିବା ସହ ମେସିନ ସହାୟତାରେ ରାସ୍ତାର ଧୂଳି ସଫା କରିବାକୁ ନିର୍ଦ୍ଦେଶ ମିଳିଛି । ପୁଣିଥରେ ଦିଲ୍ଲୀର ପ୍ରଦୂଷଣ ଉଦବେଗଜନକ ସ୍ଥିତିରେ ପହଞ୍ଚି ସାରିଛି । ଲୋକଙ୍କୁ ମାସ୍କ ବ୍ୟବହାର କରିବା ଓ ଘରୁ ବାହାରିବା ବେଳେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଦିଲ୍ଲୀ ସହରରେ ପିଏମ୍‌ ୧୦ ସ୍ତରର ପ୍ରଦୂଷଣ ମାତ୍ରା ୮୩୦ ଛୁଇଁଥିବା ବେଳେ ଏନ୍‌ସିଆର ଅଞ୍ଚଳରେ ଏହା ୭୯୬ ରହିଛି ।

ଉଲ୍ଳେଖଯୋଗ୍ୟ, ବାୟୁ ଗୁଣବତ୍ତା ସୂଚକାଙ୍କ ଅନୁଯାୟୀ ଏହି ପ୍ରଦୂଷଣର ମାତ୍ରା ୪ ଶହରୁ ୫ଶହ ମଧ୍ୟରେ ରହିଲେ ଏହା ବିପଜ୍ଜନକ ବୋଲି ବିବେଚନା କରାଯାଇଥାଏ । ଏ ବାବଦାରେ ନିତି ଆୟୋଗର ବୈଠକରେ ମଧ୍ୟ ଚର୍ଚ୍ଚା ହୋଇଛି ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ପରିବେଶ ମନ୍ତ୍ରୀ ଡ ହର୍ଷବର୍ଦ୍ଧନ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ମଧ୍ୟରେ ଏନେଇ ବୈଠକ ହେବ ଓ କିଭଳି ଭାବେ ଆଗାମୀ ୨ ବର୍ଷ ମଧ୍ୟରେ ଦିଲ୍ଲୀର ପ୍ରଦୂଷଣକୁ ନିୟନ୍ତ୍ରିତ କରାଯିବ ସେନେଇ ଯୋଜନା ପ୍ରସ୍ତୁତ କରାଯିବ ।

ବାୟୁ ପ୍ରଦୂଷଣ ସାଙ୍ଗକୁ ଗତକାଲି ଦିନ ତମାମ୍‌ ରାଜଧାନୀରେ ଘୂର୍ଣ୍ଣିଝଡ଼ ଦେଖିବାକୁ ମିଳିଥିଲା। ୨ ଦିନ ଯାଏଁ ଦିଲ୍ଲୀରେ ଏଭଳି ଝଡ଼ ତୋଫାନ ଲାଗି ରହିବ ବୋଲି ପାଣିପାଗ ବିଭଗ ପକ୍ଷରୁ ମଧ୍ୟ ସତର୍କ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଦିଲ୍ଲୀରେ ତାପମାତ୍ରା ମଧ୍ୟ ହ୍ରାସ ପାଇବାର ନାଁ ଧରୁନି । ଆଜି ଦିଲ୍ଲୀରେ ତାପମାତ୍ରା ସର୍ବାଧିକ ୪୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ବାୟୁ ପ୍ରଦୂଷଣ ମାତ୍ରା ପୁଣିଥରେ ବୃଦ୍ଧି ପାଇବା ପରେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେବା, ଆଖି ଜଳାପୋଡ଼ା ହେବା ଭଳି ଲକ୍ଷଣ ଲୋକେ ଅନୁଭବ କରୁଛନ୍ତି ।

Comments are closed.