କନକ ବ୍ୟୁରୋ : ଦିଲ୍ଲୀରେ ପ୍ରଦୂଷଣ ସଙ୍କଟ ଆହୁରି ଭୟଙ୍କର ହୋଇଉଠିଛି । ଶନିବାର ସନ୍ଧ୍ୟାରୁ ରବିବାର ସନ୍ଧ୍ୟା ମଧ୍ୟରେ ବାୟୁରେ କ୍ଷତିକାରକ ପଦାର୍ଥର ପରିମାଣ ଦୁଇଗୁଣ ବଢ଼ିଯାଇଛି । ଆଜି ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀ ସମେତ ଉତ୍ତର ଭାରତରେ ଯାତ୍ରୀ ପରିବହନ ବ୍ୟବସ୍ଥାରେ ସଙ୍କଟ ଉପୁଜିଛି । ଦିଲ୍ଲୀ ଆସୁଥିବା ୩୪ଟି ଟ୍ରେନ୍‌ ଏବଂ ଫେରୁଥିବା ୮ଟି ଟ୍ରେନ୍‌କୁ ବାତିଲ କରାଯାଇଛି । ୨୧ ଟ୍ରେନ୍‌ର ଚଳାଚଳ ସମୟରେ ପରିବର୍ତ୍ତନ କରାଯାଇଛି । ନୋଏଡା ଅଂଚଳରେ ପ୍ରଦୂଷଣ ସାଂଘାତିକ ସ୍ଥିତିରେ ପହଞ୍ଚିଛି । ତାପମାତ୍ରା ଅଚାନକ କମିଯିବାରୁ ପ୍ରଦୂଷଣ ଏଭଳି ବଢ଼ିଯାଇଛି ବୋଲି ବିଶେଷଜ୍ଞମାନେ କହିଛନ୍ତି । ଦିଲ୍ଲୀର ଲୋଧି ରୋଡରେ ପିଏମ୍‌-୧୦ର ସ୍ତର ୫୭୦ ଏବଂ ପିଏମ୍‌ ୨.୫ର ସ୍ତର ୬୨୫ ରେକର୍ଡ କରାଯାଇଛି ।

ଜରୁରୀ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା ନିମନ୍ତେ ପିଏମ୍‌ ୨.୫ର ସ୍ତର ୫୦୦ ରହିଥିବା ବେଳେ ଏହା ବିଭିନ୍ନ ସ୍ଥାନରେ ଏହା ୫୨୨ରୁ ୬୨୫ ପର୍ଯ୍ୟନ୍ତ ରହିଛି । ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଯୁଗ୍ମ-ଅଯୁଗ୍ମ ଫର୍ମୁଲା କାର୍ଯ୍ୟକାରୀ କରିବାକୁ ନେଇ ଦିଲ୍ଲୀ ସରକାର ଏବଂ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ମୁହାଁମୁହିଁ ସ୍ଥିତିରେ ରହିଛନ୍ତି । ଆସନ୍ତାକାଲି ଏ ବାବଦରେ ପୁଣି ଦିଲ୍ଲୀ ସରକାର ଏନଜିଟିରେ ଆବେଦନ କରି ଏ ବାବଦ ସମସ୍ତ ସର୍ତ୍ତ ପ୍ରତ୍ୟାହାର କରିବାକୁ ଅନୁରୋଧ କରିବେ ବୋଲି ଜଣାପଡ଼ିଛି । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦିଲ୍ଲୀ ସରକାର ଗ୍ରହଣ କରିଥିବା ପଦକ୍ଷେପ ଅତ୍ୟନ୍ତ ଉପରଠାଉରିଆ ବୋଲି ଏନ୍‌ଜିଟି ଦର୍ଶାଇବା ସହ ଯୁଗ୍ମ ଅଯୁଗ୍ମ ନିୟମ କାର୍ଯ୍ୟକାରୀ କରିବା ବେଳେ ଏଥିରୁ ୨ ଚକିଆ ଯାନ ଏବଂ ମହିଳା ବି ବାଦ ପଡ଼ିବେ ନାହିଁ ବୋଲି ସର୍ତ୍ତ ଲାଗୁ କରିଛନ୍ତି । ଏନଜିଟିର ଏହି କଠୋର ସର୍ତ୍ତ ପରେ ଦିଲ୍ଲୀ ସରକାର ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରିନେଇଛନ୍ତି ଏବଂ ଯୁଗ୍ମ ଅଯୁଗ୍ମ ଫର୍ମୁଲା ଲାଗୁ ହେବନାହିଁ ବୋଲି ଘୋଷଣା କରିଛନ୍ତି ।

ବାୟୁରେ ବିଷାକ୍ତ ଧୂଳିକଣାର ପରିମାଣ କମାଇବା ପାଇଁ ସରକାର ଯୁଦ୍ଧକାଳୀନ ଭିତ୍ତିରେ କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ଜନବସତି ଅଂଚଳରେ ଥିବା ଶତାଧିକ କାରଖାନାକୁ ଯୁଦ୍ଧକାଳୀନ ଭିତ୍ତିରେ ବନ୍ଦ କରାଯାଇଛି । ଏହାଦ୍ୱାରା ସ୍ଥିତିରେ ସୁଧାର ଆସିବ ବୋଲି ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ଆକଳନ କରିଛନ୍ତି । ଦିଲ୍ଲୀରେ ପ୍ରାୟ ୪ ହଜାର କାରଖାନା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛିଏବଂ ସଂପୃକ୍ତ ଅଂଚଳରେ ପ୍ରବଳ ଧୂଆଁ ଉଠୁଥିବାରୁ ଲୋକେ ଅତିଷ୍ଠ ହୋଇପଡ଼ିଛନ୍ତି । ଏବେ ସହରର ପ୍ରଦୂଷଣସ୍ତର ସ୍ୱାଭାବିକଠାରୁ ୧୪ଗୁଣ ଅଧିକ ରହିଛି । ବିଭିନ୍ନ ସ୍ଥାନରେ ଆବର୍ଜନା ଗଦାରେ ନିଆଁ, ନିର୍ମାଣ ଏବଂ ଉଚ୍ଛେଦ କାର୍ଯ୍ୟ ସାଂଗକୁ ବଢ଼ି ଚାଲିିଥିବା ଯାନବାହନ ପ୍ରଦୂଷଣ ଘୋର ଚିନ୍ତାର କାରଣ ହୋଇଛି ।