ପଦାରେ ପଡିଲା ପାକର ସାଜିସ୍ ! ରାଷ୍ଟ୍ରଦୂତଙ୍କ କର୍ମଚାରୀଙ୍କୁ ଗୁପ୍ତଚର ଅଭିଯୋଗରେ ଅଟକ ରଖିଲା ଦିଲ୍ଲୀ ପୋଲିସ୍

38

କନକ ବ୍ୟୁରୋ : ଦିଲ୍ଲୀ ସ୍ଥିତ ପାକ୍ ଦୂତାବାସକୁ ଗୁଇନ୍ଦା ଆଡ୍ଡା ଭାବେ ବ୍ୟବହାର କରିଛି ପାକିସ୍ତାନ । ଆଉ ଏହାର ଖୁଲାସା କରିଛି ଭାରତୀୟ ଗୁଇନ୍ଦା ସଂସ୍ଥା । ଭାରତରେ ଅବସ୍ଥିତ ପାକିସ୍ତାନ ହାଇକମିଶନର ଜଣେ କର୍ମଚାରୀକୁ ଗୁପ୍ତଚର ଅଭିଯୋଗରେ ଅଟକ ରଖିବା ପରେ ଏହି ଘଟଣା ସାମନାକୁ ଆସିଛି । ମେହମୁଦ ଅଖତର ନାମକ ଏହି କର୍ମଚାରୀ ଜଣକୁ ପଚରା ଉଚରା କରିବା ପରେ ଛାଡି ଦେଇଛି ପୋଲିସ ।

ତା’ ନିକଟରୁ ପ୍ରତିରକ୍ଷା ସଂପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ମଧ୍ୟ ଜବତ ହୋଇଛି । ତେବେ ଜେରା ବେଳେ ମେହମୁଦ ଠାରୁ ସୂଚନା ପାଇ ଦିଲ୍ଲୀ ପୋଲିସ ୨ ପାକିସ୍ତାନୀ ଗୁଇନ୍ଦାଙ୍କୁ ଗିରଫ କରିଛି । ସେମାନେ ହେଲେ ରାଜସ୍ଥାନ ନାଗୌର ଅଂଚଳର ମୌଲାନା ରମଜାନ ଓ ସୁଭାଷ ଜାହାଙ୍ଗୀର । ଏହି ଦୁଇଜଣଙ୍କ ଠାରୁ ମେହମୁଦ୍ ସଂଗ୍ରହ କରୁଥିଲା ବିଭିନ୍ନ ଗୁପ୍ତ ତଥ୍ୟ ।

ପ୍ରଥମେ ସେ ନିଜକୁ ଦିଲ୍ଲୀ ଚାନ୍ଦନୀଚୌକର ବାସିନ୍ଦା କହିବା ସହ ମେହବୁବ ରାଜପୁତ ନାଁରେ ଥିବା ଏକ ଆଧାର କାର୍ଡ ମଧ୍ୟ ଦେଖାଇଥିଲା । କିନ୍ତୁ ପଚରା ଉଚରା ପରେ ସତ କଥା ମାନିଥିଲା । ପାକିସ୍ତାନୀ ହାଇକମିଶନର ଭିସା ସେକ୍ସନରେ ନିଯୁକ୍ତି ପାଇଥିବା ମେହମୁଦ ଅଖତର ଭାରତର ପ୍ରତିରକ୍ଷା ସଂପର୍କିତ ଗୁପ୍ତ ତଥ୍ୟ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସଆଇକୁ ଯୋଗାଇ ଦେଉଥିଲା । ୨୦୧୩ ଜାନୁଆରୀରୁ ଆଇଏସଆଇକୁ ଡେପୁଟେସନରେ ଆସିଥିବା ମେହମୁଦ୍ ପାକିସ୍ତାନୀ ସେନାର ବେଲୁଚ ରେଜିମେଂଟରେ ଜଣେ ହାବିଲଦାର ଭାବେ କାମ କରୁଥିବା ଜଣାପଡିଛି ।

ତେବେ କୂଟନୈତିକ ସୁରକ୍ଷା ଯୋଗୁ ପୋଲିସ ତାକୁ ଗିରଫ କରି ପାରିନାହିଁ । କିନ୍ତୁ ଏ ସଂପର୍କରେ ପାକିସ୍ତାନୀ ଦୂତାବାସକୁ ତୁରନ୍ତ ସୂଚନା ଦିଆଯିବା ସହ ହାଇକମିଶନ୍ ଅବଦୁଲ ବସିତଙ୍କୁ ସମନ୍ କରିଛନ୍ତି ବୈଦେଶିକ ସଚିବ ଏସ. ଜୟଶଙ୍କର । ଏହା ସହ ମେହମୁଦକୁ ୪୮ ଘଂଟା ମଧ୍ୟରେ ଭାରତ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ମେହମୁଦକୁ ପୋଲିସ ନିର୍ଯାତନା ଦେଇଥିବା ପାକିସ୍ତାନୀ ହାଇକମିଶନ୍ ପାଲଟା ଅଭିଯୋଗ କରିଥିବା ବେଳେ ଏହାକୁ ଖଣ୍ଡନ କରିଛି ଭାରତ ।