୧୨ବର୍ଷ ମଧ୍ୟରେ ୬୦୦ ନାବାଳିକାଙ୍କୁ ଧର୍ଷଣ ! ଧରାପଡିଲା ଦିଲ୍ଲୀର ସିରିୟଲ୍ ରେପିଷ୍ଟ୍

41

୧୨ବର୍ଷ ମଧ୍ୟରେ ୬୦୦ ନାବାଳିକାଙ୍କୁ ଧର୍ଷଣ । ମାନବିକତାର ତଂଟି ଚିପିଥିବା ଏଭଳି ଜଣେ ସଇତାନକୁ ଗିରଫ କରିଛି ଦିଲ୍ଲୀ ପୁଲିସ୍ । ଅଭିଯୁକ୍ତ ଜଣକ ହେଉଛି ୩୮ବର୍ଷୀୟ ସୁନୀଲ୍ ରସ୍ତୋଗୀ । ପେସାରେ ଟେଲର୍ ଥିବା ସୁନୀଲ୍ ଗାଜିଆବାଦ୍, ପୂର୍ବ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ସ୍କୁଲ ଫେରନ୍ତା ଛୋଟ ପିଲା ମାନଙ୍କୁ ଶିକାର କରୁଥିଲା ।

ଜେରା ସମୟରେ ଅନେକ ଚାଂଚଲ୍ୟକର ଖୁଲାସା କରିଛି ସୁନୀଲ୍ । କାମନାରେ ଅନ୍ଧ ସୁନୀଲ୍ ପ୍ରାୟ ୨୫୦୦ରୁ ଅଧିକ ନାବାଳିକାଙ୍କ ସହ ଅସଦବ୍ୟବହାର କରିଥିବା ସ୍ୱୀକାର କରିଛି । ଏପରିକି ୨୦୦୬ରେ ଏକ ଅପରାଧ ସେ ପାଇଁ ଉତ୍ତରାଖଣ୍ଡର ରୁଦ୍ରପୁର ଜେଲରେ ୬ମାସ କାରାଦଣ୍ଡ ମଧ୍ୟ ଭୋଗିସାରିଛି । କିନ୍ତୁ ଜେଲରୁ ଫେରିବା ପରେ ମଧ୍ୟ ନିଜ ବ୍ୟବହାରରେ କୌଣସି ପରିବର୍ତ୍ତନ କରି ନଥିଲା ସେ ।

ପୁଲିସ୍ ସୂଚନା ଅନୁସାରେ, ‘ତୁମ ବାପା ଡାକୁଛନ୍ତି’ ବୋଲି କହି ସ୍କୁଲରୁ ଫେରୁଥିବା ପ୍ରାୟ ୮ରୁ ୧୦ ବର୍ଷର ପିଲାମାନଙ୍କୁ ଶିକାର କରେ ସୁନୀଲ୍ । ନିଜକୁ ସେମାନଙ୍କ ବାପାଙ୍କ ସାଙ୍ଗର ପରିଚୟ ଦେଇ ନୂଆ ଡ୍ରେସ୍ ଓ ଚକଲେଟର ଲୋଭ ଦେଖାଇ ଏକ ନିଛାଟିଆ ସ୍ଥାନକୁ ନେଇଯାଏ । ଏହା ପରେ ନିଜ କାମନାକୁ ଚରିତାର୍ଥ କରୁଥିଲା ସୁନୀଲ୍ ।

୧୩ ଡିସେମ୍ବର ୨୦୧୬ରେ ସୁନୀଲ୍ ଦିଲ୍ଲୀର ନିଉ ଅଶୋକ ନଗରର ଏକ ୭ବର୍ଷର ନାବାଳିକାକୁ ଅପହରଣ କରି ଧର୍ଷଣ କରିଥିଲା । ଏହାପରେ ୧୦ ଜାନୁଆରୀରେ ପୁଣି ଦୁଇ ଜଣ ପିଲାଙ୍କ ସହ ସମାନ ଘଟଣା ଘଟିଥିଲା । ଯାହାକୁ ଆଧାର କରି ପୁଲିସ୍ ଛାନଭିନ୍ ଆରମ୍ଭ କରିଥିଲା । ତେବେ ନାବାଳିକାମାନଙ୍କ ମଧ୍ୟରୁ ଜଣେ ସିସିଟିଭି ଫୁଟେଜ୍ ଦେଖି ସୁନୀଲକୁ ଚିହ୍ନିଥିଲା । ତେବେ ପଚରା ଉଚରା ବେଳେ ସୁନୀଲ୍ ନିଜର ସମସ୍ତ ଅପରାଧ ସ୍ୱୀକାର କରିଛି  ।