ଦୁଇ ଓଡିଆଙ୍କୁ ଉଠାଇନେଲା ଦିଲ୍ଲୀ ପୁଲିସ ! ଦେଢ କୋଟି ଟଙ୍କାର ଠକେଇ ଅଭିଯୋଗ, ଚେକରେ ଜାଲ ଦସ୍ତଖତ କରି ଘରୋଇ ବ୍ୟାଙ୍କରୁ ଉଠାଇଥିଲେ ଟଙ୍କା

27

କନକ ବ୍ୟୁରୋ :  ଦେଢ କୋଟି ଟଙ୍କା ଠକେଇ ଅଭିଯୋଗରେ ଦିଲ୍ଲୀ ପୁଲିସ ଭୁବନେଶ୍ୱର ନୟାପଲ୍ଲୀରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ ଜୟଦେବ ବିହାରରେ ରହୁଥିବା ବୁଦ୍ଧଦେବ ଭଂଜ ଓ ପ୍ରଭାସ ପରିଡା । ଦିଲ୍ଲୀର ଆଇସିଆଇସିଆଇ ବ୍ୟାଙ୍କର ଏକ ଶାଖାରେ ଜଣଙ୍କ ଚେକରେ ନକଲି ଦସ୍ତଖତ କରି ବୁଦ୍ଧଦେବ ଓ ପ୍ରଭାସ ୧କୋଟି ୫୪ଲକ୍ଷ ଟଙ୍କା ଉଠାଇ ନେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ପୁଲିସ । ଦୁଇ ଜଣଙ୍କୁ ଟ୍ରାଂଜିଟ ରିମାଣ୍ଡରେ ନେଇଛି ଦିଲ୍ଲୀ ପୁଲିସ ।

ଅଭିଯୋଗ ଅନୁସାରେ ବୁଦ୍ଧଦେବ ଓ ପ୍ରଭାସ ନୂଆଦିଲ୍ଲୀର ଅମର କଲୋନୀ ଅଂଚଳରେ ରହି ବ୍ୟବସାୟ କରୁଥିଲେ । ଏବଂ ସେହି ଅଂଚଳରେ ରହୁଥିବା ମୋହନଲାଲ ଜଗିଦାଙ୍କ ଚେକକୁ ଜାଲ କରି ଏକ ଟ୍ରାଭେଲ ଏଜେନ୍ସି ଆକାଉଂଟ ମାଧ୍ୟମରେ ୧କୋଟି ୫୪ଲକ୍ଷ ୩୯ହଜାର ୫ଶହ ଟଙ୍କା ଉଠାଇ ନେଇଥିଲେ ।

ଠକେଇ ବିଷୟରେ ମୋହନଲାଲ ଜାଣିବା ପରେ ବ୍ୟାଙ୍କରେ ଅଭିଯୋଗ କରିଥିଲେ । ପରେ ବ୍ୟାଙ୍କ ମ୍ୟାନେଜର ଏନେଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ପରେ ବୁଦ୍ଧଦେବ ଓ ପ୍ରଭାସ ଭୁବନେଶ୍ୱର ପଳାଇ ଆସିଥିଲେ । ସେମାନଙ୍କ ମୋବାଇଲ ଫୋନକୁ ଟ୍ରାକ୍ କରି ପୁଲିସର ଏକ ସ୍ୱତନ୍ତ୍ର ଟିମ ଭୁବନେଶ୍ୱରରେ ପହଂଚି ତାଙ୍କୁ ଗିରଫ କରିଛି ।