ପୁଣି ଚର୍ଚ୍ଚାକୁ ଆସିଲା ଜେଏନୟୁ କ୍ୟାଂପସ! ପ୍ରଫେସରଙ୍କ କାରକୁ ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ

38

କନକ ବ୍ୟୁରୋ: ଜେଏନୟୁ କ୍ୟାଂପସ ପୁଣି ଚର୍ଚ୍ଚାକୁ ଆସିଛି । ସୁକମା ହମଲାରେ ସହିଦଙ୍କ ପାଇଁ ଶ୍ରଦ୍ଧାଂଜଳି ସଭା ଆୟୋଜନ କରିଥିବାରୁ ଆସିଷ୍ଟାଂଟ ପ୍ରଫେସରଙ୍କ କାରକୁ ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି । ଶୁକ୍ରବାର ଶ୍ରଦ୍ଧାଂଜଳି ସଭା ଆୟୋଜନ କରିଥିବାରୁ ପ୍ରଫେସର ବୁଦ୍ଧ ସିଂହଙ୍କ କାର ଉପରେ ଆକ୍ରମଣ ହୋଇଥିଲା । ସେହି ରାତିରେ ତାଙ୍କ ଘର ଉପରେ ପଥର ମାଡ କରିଥିବା କହିଛନ୍ତି ଆସିଷ୍ଟାଂଟ ପ୍ରଫେସର ଡାକ୍ଟର ବୁଦ୍ଧ ସିଂହ । ଏନେଇ ସେ ଦିଲ୍ଲୀର ବସନ୍ତକୁଂଜ ଥାନାରେ ଏତଲା ଦେଇଛନ୍ତି । ପୋଲିସ ଅଭିଯୋଗ ପାଇ ତଦନ୍ତ ଆରମ୍ଭ କରିଛି ।

ଜେଏନୟୁରେ ଦେଶବିରୋଧୀ ନାରାବାଜି ନେଇ ଗତ ବର୍ଷ ଦେଶବ୍ୟାପୀ ହଙ୍ଗାମା ହୋଇଥିଲା । ଏବେ ସହିଦଙ୍କୁ ଶ୍ରଦ୍ଧାଂଜଳି ସଭା ଆୟୋଜନ ପାଇଁ ପ୍ରାଧ୍ୟାପକଙ୍କ ଘର ଓ କାର ଉପରେ ଆକ୍ରମଣ ଘଟଣା ପୁଣି ଜେଏନୟୁକୁ ଚର୍ଚ୍ଚାର ପରିସରକୁ ଟାଣି ଆଣିଛି । ଅନ୍ୟପଟେ ଛାତ୍ର ସଂଗଠନ ଏଆଇଏସଏ ଅଭିଯୋଗ କରିଛି ଜେଏନୟୁ ବଦନାମ କରିବା ପାଇଁ ଏପରି କରାଯାଇଛି । ପ୍ରଫେସର ବୁଦ୍ଧ ସିଂହଙ୍କୁ ଆରଏସଏର ଏଜେଂଟ ଓ ଏହି ଆକ୍ରମଣ ଘଟଣାରେ ଏବିଭିପିର ହାତ ରହିଥିବା ଏଆଇଏସଏ କହିଛି । ସେପଟେ ଆକ୍ରମଣ ପଛରେ ଲେଫ୍ଟ ୱିଙ୍ଗ ସଦସ୍ୟଙ୍କ ହାତ ଥିବା ପାଲଟା ଅଭିଯୋଗ କରିଛି ପାଲଟା ଅଭିଯୋଗ କରିଛି ଛାତ୍ର ସଂଗଠନ ଏବିଭିପି ।