ଦିଲ୍ଲୀରେ ୧୧ ଜଣଙ୍କ ମୃତ୍ୟୁ ଘଟଣାରେ କାହାଣୀରେ ନୂଆ ମୋଡ଼ : ମୃତ ବ୍ୟକ୍ତିଙ୍କ ସହ ଭାଟିଆ ପରିବାର କଥାବାର୍ତ୍ତା କରୁଥିବା ନେଇ ଡାଇରୀରେ ଉଲ୍ଲେଖ

28

କନକ ବ୍ୟୁରୋ : ଦିଲ୍ଲୀର ସନ୍ଥନଗରରେ ଗୋଟିଏ ପରିବାରର ୧୧ଜଣଙ୍କ ମୃତ୍ୟୁ ଘଟଣାର ରହସ୍ୟ ଧୀରେ ଧୀରେ ଖୋଲିବାରେ ଲାଗିଛି । ମୋକ୍ଷ ପାଇଁ ପୁରା ପରିବାର ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ । ମୃତକଙ୍କ ଠାରୁ ମିଳିଥିବା ଡାଏରୀରେ ଲେଖାଯାଇଛି ଯେ, ବରଗଛର ଓହଳ ଭଳି ଝୁଲି ରହିଥିବେ । ହାତ-ଗୋଡ ବନ୍ଧା ହୋଇଥିବ । ସମସ୍ତେ ସ୍ଥିରନିଷ୍ଠ ଥିବେ ଆଉ ଅନ୍ୟ କିଛି ଚିନ୍ତା କରୁନଥିବେ । ଡାଏରୀରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, ରସିରେ ଝୁଲୁଥିବା ବେଳେ ଶେଷ ମୁହୁର୍ତ୍ତରେ ଭଗବାନ ଆସି ରକ୍ଷା କରିବେ । ସେପଟେ ଭାଟିଆ ପରିବାରର ଘର କାନ୍ଥରେ ଥିବା ୧୧ଟି ଛିଦ୍ରକୁ ନେଇ ବି ଉତ୍କଣ୍ଠା ବଢିବାରେ ଲାଗିଛି ।

ଦିଲ୍ଲୀର ବୁରାରୀ ଅଂଚଳରେ ଗୋଟିଏ ପରିବାର ୧୧ ଜଣଙ୍କ ଆତ୍ମହତ୍ୟା ଘଟଣାରେ ମିଳିଥିବା ଡାଏରୀରୁ କିଛି ଏଭିଳି ତଥ୍ୟ ପାଇଛି ପୋଲିସ । ୪୫ ବର୍ଷିୟ ଲଳିତ ଭାଟିଆ କିଛି ଏହିଭଳି ଢ଼ଙ୍ଗରେ ମୋକ୍ଷ ପାଇବାକୁ ଆତ୍ମହତ୍ୟା କରିବା ପାଇଁ ପରିବାର ଲୋକଙ୍କୁ ପ୍ରବର୍ତ୍ତାଇ ଥିଲେ ବୋଲି ଅନୁମାନ କରାଯାଉଛି । ୨୦୧୫ରୁ ଏହି ଡାଏରୀ ଲେଖୁଥିଲେ ଲଳିତ ଭାଟିଆ । ତାଙ୍କ ହସ୍ତାକ୍ଷର ପରୀକ୍ଷା ପରେ ଡାଏରୀରେ ତାଙ୍କ ଦ୍ୱାରା ଲେଖାଯାଇଛି ବୋଲି ସ୍ପଷ୍ଟ ହୋଇଛି । ତାଙ୍କ ପରିବାର ବଟ ବୃକ୍ଷକୁ ପୂଜା କରନ୍ତି ଏବଂ ୩୦ ଦିନ ଧରି ମୋକ୍ଷ ପ୍ରାପ୍ତି ପାଇଁ କ’ଣ ସବୁ ପଦକ୍ଷେପ ନେବେ ସେ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି । ସେମାନେ ଆତ୍ମହତ୍ୟା ପାଇଁ ରିହର୍ସାଲ ବା ଅଭ୍ୟାସ କରିଥିବା ନେଇ ମଧ୍ୟ ଡାଏରୀରେ ଉଲ୍ଲେଖ ରହିଛି ।

ଡାଏରୀରେ ବାରମ୍ବାର ଲେଖାହୋଇଛି ମୋକ୍ଷ ପ୍ରାପ୍ତି ପାଇଁ ଏସବୁ କରିବା ପାଇଁ ଉପରୁ ଆଦେଶ ଆସୁଛି । ତେବେ ଉପରୁ ଆଦେଶ ଆସିବା ଅର୍ଥ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନାହିଁ । ତେବେ ଲଳିତ ଭାଟିଆ ସ୍ୱପ୍ନରେ ତାଙ୍କ ମୃତ ପିତାଙ୍କ ଠାରୁ ଆଦେଶ ନେଉଥିଲେ ବୋଲି ପୋଲିସ ଅନୁମାନ କରିଛି । ତେବେ ମୋକ୍ଷ ପ୍ରାପ୍ତିକୁ ନେଇ ତାଙ୍କ ଘର କାନ୍ଥରେ ୧୧ ଟି ଛିଦ୍ର କରାଯାଇଥିବା ରହସ୍ୟକୁ ନେଇ ମଧ୍ୟ ଉତ୍କଣ୍ଠା ବଢ଼ୁଛି । ପରିବାର ସହ ଜଡ଼ିତ ଜଣେ ବ୍ୟକ୍ତି ଅନୁମାନ କରି କହିଛନ୍ତି, ୧୧ ଟି ଆତ୍ମା ଘରୁ ବାହାରିବା ପାଇଁ ଘରୁ ବାହାରିବା ପାଇଁ ୧୧ଟି ଛିଦ୍ର କରାଯାଇଛି । ପରିବାର ସହ ଦୀର୍ଘ ବର୍ଷ ସମ୍ପର୍କରେ ଥିବା ଅହମ୍ମଦ ଅଲ୍ଲୀ କହିଛନ୍ତି, ଭେଣ୍ଟିଲେସନ ପାଇଁ ଏପରି କରାଯାଇଛି, କିନ୍ତୁ ୧୧ଟି ଛିଦ୍ର କାହିଁକି କରାଯାଇଛି, ସେ ନେଇ କିଛି ସ୍ପଷ୍ଟ କହିପାରିନଥିଲେ ।

ତେବେ ଏହି କାହାଣୀକୁ ନେଇ ଲୋକଙ୍କ ମନରେ ଦିନକୁ ଦିନ ଉତ୍କଣ୍ଠା ବଢ଼ୁଛିଏବଂ ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି । ଯାହା ଘଟଣାକୁ ଆହୁରି ରହସ୍ୟମୟ କରୁଛି । କାରଣ ଏହାର କାରଣ ଖୋଲିବା ପାଇଁ ଆଉ କେହି ବି ଜୀବିତ ନାହାନ୍ତି ।