ଦିଲ୍ଲୀ ସନ୍ଥନଗର ଗଣଆତ୍ମହତ୍ୟା ମାମଲାର ନୂଆ ଖୁଲାସା : ଶେଷ ମୂହୂର୍ତ୍ତରେ ଜୀବନ ବଂଚାଇବାକୁ ଉଦ୍ୟମ କରିଥିଲେ ଲଳିତଙ୍କ ବଡ ଭାଇ ଭବନେଶ୍ ଭାଟିଆ 

47

କନକ ବ୍ୟୁରୋ : ଦିଲ୍ଲୀ ସନ୍ଥନଗର ବୁରାରୀ ପରିବାରର ଗଣ ଆତ୍ମହତ୍ୟା ପ୍ରସଙ୍ଗରେ ଆଉ ଏକ ନୂଆ ତଥ୍ୟ ସାମନାକୁ ଆସିଛି । ତଦନ୍ତକାରୀ ପୋଲିସ୍ କହିଛି ପରିବାରର ୧୧ ଜଣ ମୋକ୍ଷ ପ୍ରାପ୍ତି ପାଇଁ ଆତ୍ମହତ୍ୟା କରିଥିବା ବେଳେ ଜଣେ ଶେଷ ମୂହୂର୍ତ୍ତରେ ଜୀବନ ବଂଚାଇବା ପାଇଁ ପ୍ରୟାସ କରିଥିଲେ । ସେ ହେଉଛନ୍ତି ନାରାୟଣୀ ଦେବୀଙ୍କ ବଡ ପୁଅ ତଥା ଲଳିତ ଭାଟିଆଙ୍କ ବଡ ଭାଇ ଭବନେଶ ଭାଟିଆ । ଝୁଲନ୍ତା ମୃତଦେହ ଉଦ୍ଧାର ବେଳେ ଭବନେଶଙ୍କ ଗୋଟିଏ ହାତ ତାଙ୍କ ବେକ ପାଖରେ ଥିଲା, ଅର୍ଥାତ ସେ ଶ୍ୱାସରୁଦ୍ଧ ହେବା ସମୟରେ ଗଳାରୁ ରଶି ଖୋଲିବା ପାଇଁ ପ୍ରୟାସ କରିଥିଲେ ।

ଏଥିସହ ଗୋଡ ସାହାଯ୍ୟରେ ତଳେ ଠିଆ ହୋଇଯିବା ପାଇଁ ମଧ୍ୟ ସେ ସଂଘର୍ଷ କରିଥିବା ପାରିପାର୍ଶ୍ୱିକ ପରିସ୍ଥିତିରୁ ପୋଲିସ ଜାଣିବାକୁ ପାଇଛି । ୫୦ ବର୍ଷିୟ ଭବନେଶ ଶେଷ ଯାଏଁ ନିଜ ଗଳାକୁ ରଶିରୁ ମୁକ୍ତ ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ । ପୋଲିସ୍ ଏହି ଗଣଆତ୍ମହତ୍ୟା ସଂପର୍କରେ ଯୋରଦାର ତଦନ୍ତ ଜାରି ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୩୦ ଜଣ ସଂପର୍କୀୟ, ପଡୋଶୀ ଓ ବ୍ୟବସାୟ ସହଯୋଗୀଙ୍କୁ ପଚରା ଉଚରା କରିସାରିଲାଣି ।

ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଯାଞ୍ଚରୁ ଏହି ସାମୂହିକ ଆତ୍ମହତ୍ୟା ପଛରେ ଧାର୍ମିକ ଅନ୍ଧବିଶ୍ୱାସ, ତନ୍ତ୍ରମନ୍ତ୍ର ଏବଂ ମୋକ୍ଷ ମୁଖ୍ୟ କାରଣ ରହିଥିବା ଜଣାପଡ଼ିଛି । ଆତ୍ମହତ୍ୟା କରିବା ପୂର୍ବରୁ ସମସ୍ତ ସଦସ୍ୟ ମୃତ୍ୟୁର ରହିର୍ସାଲ କରୁଥିବାନେଇ କେତେକ ନୂଆ ପ୍ରମାଣ ମିଳିଛି । ପୁଲିସ ଜବତ କରିଥିବା ଡାଏରୀ ଛାନ୍‌ଭିନ୍‌ରୁ ଏ ସଂପର୍କିତ ତଥ୍ୟ ମିଳିଛି । ୩୦ ଜୁନ୍‌ ପୂର୍ବରୁ ଭାଟିଆ ପରିବାର ଲଗାତାର ୬ ଦିନ ଧରି ଫାଶୀରେ ଝୁଲିବା ଅଭ୍ୟାସ କରୁଥିଲେ ବୋଲି ଜଣାପଡ଼ିଛି । ସମସ୍ତେ ସମୂହ ଭାବେ କିଭଳି ଏହି ଅଭ୍ୟାସ କରିବେ ସେ ସଂପର୍କରେ ମଧ୍ୟ ତଥ୍ୟ ଉଲ୍ଲେଖ ରହିଛି ।