ମଝି ଆକାଶରେ ଭାରତୀୟ ଯାତ୍ରୀବାହୀ ବିମାନକୁ ଘେରି ଯାଇଥିଲା ପାକିସ୍ତାନର ଲଢୁଆ ବିମାନ । ଜାଣନ୍ତୁ କଣ ଥିଲା କାରଣ ।

2,741

କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଗତ ସେପ୍ଟେମ୍ବରରେ ଘଟିଥିବା ଏକ ସମ୍ବେଦନଶୀଳ ଘଟଣା ସାମନାକୁ ଆସିଛି । ସେପ୍ଟେମ୍ବର ୨୩ରେ ଆଫଗାନିସ୍ତାନ ଯାଉଥିବା ସ୍ପାଇସ ଜେଟର ଏକ ବିମାନ ପାକିସ୍ତାନର ବାୟୁସୀମା ମଧ୍ୟରେ ଯାଉଥିବା ବେଳେ ପାକିସ୍ତାନୀ ବାୟୁସେନାର ଏଫ-୧୬ ଲଢୁଆ ବିମାନଗୁଡ଼ିକ ଏହାକୁ ଘେରିଯିବା ସହ ପରିଚୟ ମାଗିଥିଲେ । ଏହାର ଜବାବରେ ସ୍ପାଇସ ଜେଟ ବିମାନ ପକ୍ଷରୁ କୁହାଯାଇଥିଲା ଯେ ଏହା ଏକ ଯାତ୍ରୀବାହୀ ବିମାନ ଓ ଏହା ୧୨୦ ଯାତ୍ରୀଙ୍କୁ ନେଇ ଆଫଗାନିସ୍ତାନ ଯାଉଛି । ଏହା ପରେ ପାକିସ୍ତାନୀ ଏଫ-୧୬ ବିମାନଗୁଡିକ ଯାତ୍ରୀବାହୀ ବିମାନର ଆଉ ଟିକିଏ ପାଖକୁ ଆସି ବିମାନକୁ ଦେଖିବା ସହ କମ ଉଚ୍ଚତାରେ ଉଡିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଯାତ୍ରୀବାହୀ ବିମାନଟି ଆଫଗାନ ବାୟୁସୀମାରେ ପ୍ରବେଶ କରିବା ପରେ ଏଫ-୧୬ଗୁଡ଼ିକ ଫେରିଯାଇଥିଲେ ।

ଗତ ଫେବ୍ରୁଆରି ୨୬ରେ ଭାରତୀୟ ବାୟୁସେନା ପକ୍ଷରୁ ବାଲାକୋଟ ଏୟାରଷ୍ଟ୍ରାଇକ କରିବା ପରେ ଭାରତୀୟ ବିମାନ ପାଇଁ ପାକିସ୍ତାନ ନିଜର ବାୟୁସୀମାକୁ ବନ୍ଦ କରିଥିଲା । ତେବେ ଜୁଲାଇରେ ଏହାକୁ ସାମାନ୍ୟ ଖୋଲିଥିଲା । କିନ୍ତୁ ଅଗଷ୍ଟ ୫ରେ ଭାରତ କଶ୍ମୀରରୁ ଧାରା ୩୭୦ ଉଠାଇବା ପରେ ଭାରତୀୟ ବିମାନ ପ୍ରବେଶ ଉପରେ ପୁଣି କଟକଣା ଲଗାଇଥିଲା ।