ଦିଲ୍ଲୀ ନଛାଡନ୍ତୁ ଦାଦନ ଶ୍ରମିକ । ଦେଶର ସ୍ୱାର୍ଥ ଦୃଷ୍ଟିରୁ ଦିଲ୍ଲୀ ସୀମା ପାର ନକରିବାକୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ନିବେଦନ । କହିଲେ, ଅନ୍ୟ ରାଜ୍ୟକୁ ପ୍ରବେଶ କଲେ ଲକଡାଉନର କିଛି ଲାଭ ହେବନି…

2,374

କନକ ବ୍ୟୁରୋ: ଦାଦନ ଶ୍ରମିକଙ୍କୁ ଦିଲ୍ଲୀ ନଛାଡିବାକୁ ନିବେଦନ କଲେ କେଜ୍ରିୱାଲ । ଦେଶର ସ୍ୱାର୍ଥ ଦୃଷ୍ଟିରୁ ପ୍ରବାସୀ ଶ୍ରମଜୀବୀମାନଙ୍କୁ ନିବେଦନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । କହିଛନ୍ତି ଶ୍ରମିକମାନେ ଦେଶର ହିତ ପାଇଁ ନିଜର ଜନ୍ମମାଟିକୁ ଫେରନ୍ତୁ ନାହିଁ । ଦିଲ୍ଲୀ ସହରର ସୀମା ଅତିକ୍ରମ କରି ସେମାନେ ପଡ଼ୋଶୀ ଉତ୍ତରପ୍ରଦେଶ ଏବଂ ହରିୟାଣା ରାଜ୍ୟକୁ ପ୍ରବେଶ କଲେ କରୋନା ଭାଇରସ୍ ସଂକ୍ରମଣ ପ୍ରତିହତ ପାଇଁ ଘୋଷିତ ତିନି ସପ୍ତାହ ଲକଡାଉନର କୌଣସି ଅର୍ଥ ରହିବ ନାହିଁ ।

ତେବେ ଉତ୍ତର ପ୍ରଦେଶର କୌଶାମ୍ବୀକୁ ଫେରିଯିବା ନିମନ୍ତେ ଆନନ୍ଦବିହାର ବସ୍ ଟର୍ମିନାଲରେ ହଜାର ହଜାର ଶ୍ରମିକ ମେଳ ହୋଇଛନ୍ତି । ଗତକାଲି ଠାରୁ ଦିଲ୍ଲୀରେ ଅସମ୍ଭାଳ ଭିଡ ଦେଖା ଦେଇଛି । କରୋନା ମୁକାବିଲା ପାଇଁ କେହି ଘରୁ ନବାହାରିବାକୁ ୨୧ ଦିନିଆ ଲକଡାଉନ ଘୋଷଣା ହୋଇଥିଲେ ଗତକାଲି ରାଜଧାନୀ ଦିଲ୍ଲୀରେ ଏ ଭିଡ ସଂକ୍ରମଣ ଆଶଙ୍କାକୁ ଅଧିକ ଆଶଙ୍କିତ କରିଛି ।

ଟୁଇଟ୍ କରି କେଜ୍ରିୱାଲ୍ ପ୍ରବାସୀ ଶ୍ରମଜୀବୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ରାଜଧାନୀରେ ସେମାନଙ୍କୁ ଖାଦ୍ୟ ଓ ଆଶ୍ରୟ ଯୋଗାଇ ଦିଆଯିବ । ଗାଁକୁ ଯିବା ନିମନ୍ତେ କେତେକ ଲୋକ ବାହାରିଛନ୍ତି । ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି ଯେ ଯିଏ ଯେଉଁଠି ଅଛନ୍ତି, ସେଇଠି ରୁହନ୍ତୁ । ଗାଁକୁ ନ ଯିବା ପାଇଁ ମୁଁ ମଧ୍ୟ ସମସ୍ତଙ୍କୁ ନିବେଦନ କରୁଛି । ଯେଉଁଠି ଅଛ, ସେଇଠି ଥାଅ ।

ଏତେ ସଂଖ୍ୟାରେ ଜନସମାଗମ ହେଲେ କରୋନା ସଂକ୍ରମଣ ଆଶଙ୍କା ବଢ଼ିଯିବ । ଦେଶର ବିଭିନ୍ନ ଅଞ୍ଚଳରେ ପହଞ୍ଚିଯିବ । ଏହାପରେ ମହାମାରୀକୁ ରୋକିବା ଦେଶ ପାଇଁ କଠିନ ହୋଇଯିବ । ସେପଟେ ଦିଲ୍ଲୀର ଏ ଅସମ୍ଭାଳ ଭିଡକୁ ନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଗତକାଲି କଟାକ୍ଷ କରିଥିଲେ ଆଉ ଟୁଇଟରେ ଲେଖିଥିଲେ ଯେ ଏଭଳି ପରିସ୍ଥିତିରେ କେବଳ ଭଗବାନ ହିଁ ଭରସା ।