ମୋକ୍ଷ ପାଇଁ ମୃତ୍ୟୁର ମାର୍ଗ ! ଭାଟିଆ ପରିବାରର ୧୧ଜଣଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ୱିଷ୍ଟ, ଘରୁ ମିଳିଲା ହାତ ଲେଖା ଡାଏରୀ ।

45

କନକ ବ୍ୟୁରୋ : ଦିଲ୍ଲୀ ସନ୍ଥନଗରରେ ଗୋଟିଏ ଘରୁ ୧୧ଟି ମୃତଦେହ ଉଦ୍ଧାର ହେବା ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ । କାରଣ ଘରୁ ମିଳିଥିବା ଏକ ଡାଏରୀରେ ଅଛି ସମସ୍ତଙ୍କୁ ଚକିତ କରିଦେଲାଭଳି ଲେଖା । ମୋକ୍ଷ ପାଇଁ ମୃତ୍ୟୁ ଏକ ଦ୍ୱାର ଏବଂ ଆତ୍ମାର ପରମାତ୍ମା ସହ ସଂପର୍କ ଭଳି ଅତ୍ୟନ୍ତ ଧାର୍ମିକ ଦିଗକୁ ନେଇ ଡାଏରୀରେ ସଂକେତ ଦିଆଯାଇଛି । ଗୋଟିଏ ଝଟକାରେ ପୁରା ପରିବାର ଶେଷ ହୋଇଯିବା ପଛର କାରଣ ଖୋଜୁଖୋଜୁ ପୋଲିସକୁ ମିଳିଥିବା ଏହି ହାତଲେଖା ନୋଟ ରହସ୍ୟକୁ ବଢାଇ ଦେଇଛି । ମୋକ୍ଷ ପ୍ରାପ୍ତି ପାଇଁ ପୁରା ପରିବାର, ମୃତ୍ୟୁର ବାଟକୁ ବାଛିନେଲେ ? ନା ଏହା ପଛରେ ରହିଛି ବିରାଟ ହତ୍ୟା ଷଡଯନ୍ତ୍ର, ସେନେଇ ପୋଲିସ ସବୁ ଦିଗରୁ ଛାନଭିନ ଚଳାଇଛି ।

ପୁରା ଦେଶକୁ ଦୋହଲାଇଦେଲା ଭଳି ଖବର ଦିଲ୍ଲୀରୁ ଆସିବା ପରେ ମଣିଷ କେତେ ଅନ୍ଧବିଶ୍ୱାସୀ ହୋଇପାରେ ଆଉ ସାମୁହିକ ଆତ୍ମହତ୍ୟା ଭଳି ନିଷ୍ପତି ନେଇପାରେ ତାହା ସମସ୍ତଙ୍କୁ ଚମକାଇଦେଇଛି । କାରଣ ମୋକ୍ଷ ପାଇଁ ଦିଲ୍ଲୀ ସନ୍ତ-ନଗରର ଏହି ପରିବାର ଆତ୍ମହତ୍ୟାର ବାଟକୁ ବାଛି ନେଇଥିବା ଥିଓରୀ ସାମ୍ନାକୁ ଆସିଛି । ପୋଲିସକୁ ମିଳିଥିବା ଏକ ଡାଏରୀ ଏହି ଦିଗକୁ ଇସାରା କରୁଛି । କାରଣ ହାତଲେଖା ଡାଏରୀରେ ଉଲ୍ଲେଖ ଅଛି – ମୋକ୍ଷ ପ୍ରାପ୍ତି ପାଇଁ ଜୀବନ ତ୍ୟାଗ କରିବାକୁ ପଡିବ । ଆଉ ଜୀବନକୁ ତ୍ୟାଗ କରିବାକୁ ହେଲେ ମୃତ୍ୟୁକୁ ଆପଣାଇବାକୁ ହେବ । ପୁଲିସର କହିବା ଅନୁସାରେ, ମୃତ୍ୟୁର ତରିକା ଓ ଡାଏରୀରେ ଲେଖାଥିବା ଶଦ୍ଦ ଭିତରେ ଅନେକ ସମାନତା ରହିଛି ।

ରାଜସ୍ଥାନର ମୁଳନିବାସୀ ଏହି ପରିବାରର ସଦସ୍ୟ ମୋକ୍ଷ ପ୍ରାପ୍ତି ପାଇଁ ଏଭଳି ଚରମ ନିଷ୍ପତି ନେଇଥିବା କୁହାଯାଉଛି । ଆଉ ଏଭଳି ଅନ୍ଧବିଶ୍ୱାସ ପଛରେ ଏକ କାହାଣୀ ମଧ୍ୟ ରହିଛି । ୧୦ବର୍ଷ ତଳେ ପରିବାରର ଦୁଇ ପୁଅଙ୍କ ମଧ୍ୟରୁ ସାନ ଲଳିତ ଭାଟିଆଙ୍କ ଉପରେ ଥରେ ହଠାତ ଖସିପଡିଥିଲା ଗଦାଏ ପ୍ଲାଏଉଡ । ଦୁର୍ଘଟଣା ଏତେ ସାଙ୍ଘାତିକ ଥିଲା ଯେ, ସେ କଥା କହିବାର ଶକ୍ତି ହରାଇ ବସିଲେ । ଦୀର୍ଘଦିନ ଧରି ଲଳିତଙ୍କ ବାକଶକ୍ତି ନଫେରିବାରୁ ଶେଷରେ ଈଶ୍ୱରଙ୍କ ଶରଣ ନେଲେ । ଆଉ ଅତି ଧର୍ମବିଶ୍ୱାସୀ ହୋଇପଡିଥିଲେ ବୋଲି ଭାଟିଆ ପରିବାରର ଜଣେ ସଂପର୍କୀୟ କହିଛନ୍ତି ।

ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି ଯେ, ଝୁଲି ରହିବା ଯୋଗୁଁ ସମସ୍ତଙ୍କ ମୃତ୍ୟୁ ହୋଇଛି । ତେବେ ଆତ୍ମହତ୍ୟା ନା ହତ୍ୟା ସେନେଇ ଛାନଭିନ ଚଳାଇଥିବା ପୋଲିସ ଆଗରେ ଅନେକ ପ୍ରଶ୍ନ ବି ରହିଛି ।

– ପରିବାରର ୧୦ଜଣଙ୍କ ମୃତଦେହ ଗୋଟିଏ ଘରେ ଝୁଲୁଥିବାବେଳେ ସବୁଠାରୁ ବୟସ୍କ ମହିଳାଙ୍କ ମୃତଦେହ ଅନ୍ୟ ଏକ ଘରୁ ମିଳିଲା କିପରି?

– ସଂପର୍କୀୟଙ୍କ କହିବା ହେଲା ପରିବାରରେ କୌଣସି ବିବାଦ ନଥିଲା, ତେଣୁ ଆତ୍ମହତ୍ୟା କରିବାର କିଛି ଠୋସ କାରଣ ନାହିଁ

– ମୃତଦେହର ହାତ, ଗୋଡ ବନ୍ଧା ହୋଇଥିଲା । ଆତ୍ମହତ୍ୟା କରୁଥିବା ବ୍ୟକ୍ତି ହାତ, ଗୋଡ ବାନ୍ଧିବ କାହିଁକି ଓ କିପରି?

– ଯଦି ଗଣଆତ୍ମହତ୍ୟା, ତେବେ ପରିବାରର ଶିଶୁମାନେ କ’ଣ ଏଥିପାଇଁ ରାଜି ହୋଇଗଲେ?

ପରିସ୍ଥିତିକୁ ଦେଖି ସମସ୍ତ ଦିଗକୁ ଅନୁସନ୍ଧାନ କରୁଛି ପୋଲିସ । ଆଉ ସବୁଠାରୁ ରହସ୍ୟମୟ ହେଉଛି ତନ୍ତ୍ର, ମନ୍ତ୍ର ଆଉ ମୋକ୍ଷ ସହ ଯାଇ ଯୋଡିହୋଇଛି ୧୧ ଜଣଙ୍କ ମୃତ୍ୟୁ ଘଟଣା । ଘର ଭିତରେ ନିର୍ମିତ ଏକ ମନ୍ଦିର ନିକଟରୁ ମିଳିଥିବା ସାମଗ୍ରୀକୁ ଖିଅ ହିସାବରେ ଧରି ତଦନ୍ତ ଚଳାଇଛି ପୋଲିସ । ଏକ ଜରିରେ ଗୁଡାଇ ସମସ୍ତ ମୋବାଇଲ ଓ ଟାବଲେଟ ରଖାଯାଇଥିବା ଦେଖିବାକୁ ମିଳିଛି । ପରିବାରର ସମସ୍ତେ ମୁହଁ ଓ ଆଖିରେ କପଡା ଗୁଡାଇ ରଖିବା ମଧ୍ୟ ଅନ୍ଧବିଶ୍ୱାସରୁ ଆତ୍ମହତ୍ୟା ଆଡକୁ ଇସାରା କରୁଛି ।