ସଂଘର୍ଷମୟ ଜୀବନ ଏବଂ କର୍କଟ ରୋଗ ଆଗରେ ହାରିନାହାଁନ୍ତି ଏହି ଝିଅ ! ମୁଣ୍ଡରେ ସ୍କାର୍ଫ ଏବଂ ହାତରେ ଖାଦ୍ୟ ପୁଡିଆ ଧରି ଗରିବ ପିଲାଙ୍କ ମୁହଁରେ ହସ ବାଣ୍ଟୁଛନ୍ତି । 

154

ଆଞ୍ଚଲ୍ ଶର୍ମା ଏକ ଏଭଳି ନାମ ଯେ ଦିଲ୍ଲୀର ଭଙ୍ଗା ଦଦରା ବସ୍ତିରେ ରହୁଥିବା ୧୦୦ ରୁ ଅଧିକ ପିଲାଙ୍କ ପାଇଁ ଏବେ ସୁପରହିରୋ ପାଲଟିଛନ୍ତି । କର୍କଟ ରୋଗରେ ପୀଡିତ ଆଞ୍ଚଲ୍ ଙ୍କ କେମୋଥେରାପୀ ଟେଷ୍ଟ୍ ପରେ ମୁଣ୍ଡରେ ଷ୍କାର୍ଫ ଏବଂ ହାତରେ ଖାଦ୍ୟପୁଡିଆ ଧରି ପ୍ରତିଦିନ ସେ ଏଭଳି ବସ୍ତିମାନଙ୍କୁ ଆସିଥାନ୍ତି । ପିଲାମାନେ ମଧ୍ୟ ଆଞ୍ଚଲଙ୍କ ଆସିବା ବାଟକୁ ଚାତକ ପରି ଚାହିଁ ରହିଥାନ୍ତି । ଘରୋଇ ହିଂସା , ଦାରିଦ୍ର୍ୟ ଏବଂ ସାନ ଭଉଣୀର ହତ୍ୟା ଭଳି କଠିନରୁ କଠିନ ପରିସ୍ଥିିତି ଦେଇ ଗତି କରିଥିବା ଆଞ୍ଚଲ୍ କେବେ ବି ନିଜର ଆତ୍ମବିଶ୍ୱାସ ହରାଇ ନଥିଲେ । ୨୦୧୭ ରେ ତାଙ୍କୁ ଯେତେବେଳେ ବ୍ରେଷ୍ଟ୍ କ୍ୟାନସର୍ ଥିବାର ସୂଚନା ମିଳିଲା ସେତେବେଳେ ବି ସେ ହାର୍ ମାନିନଥିଲେ । ଦିଲ୍ଲ୍ୀର ଏହି “ୱାଣ୍ଡର୍ ୱମେନ୍” କର୍କଟ ପୀଡିତ ହେବା ପରେ ବି ପ୍ରତିଦିନ ନିଜ ରୋଜଗାରରେ ୧୦୦ ରୁ ୨୦୦ ଜଣ ପିଲାଙ୍କୁ ଖାଦ୍ୟ ଦେଇଥାନ୍ତି ।

ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମିତ ଆଞ୍ଚଲଙ୍କ ବାପା ଜଣେ ଅଟୋ ଚାଳକ ଥିଲେ କିନ୍ତୁ ଭୁଲ୍ ନିବେଶ ଚକ୍କରରେ ଫସି ସେ ନିଜର ସମସ୍ତ ପୁଞ୍ଜି ହରାଇଲେ ଏବଂ ଦୁଃଖ ଦୂର କରିବା ପାଇଁ ମଦ ପିଇବା ଆରମ୍ଭ କରିଦେଲେ । ପିଲାଙ୍କ ପେଟକୁ ଚାହିଁ ମା’ ଗୋଟିଏ କାରଖାନାରେ ଅତିରିକ୍ତ ସମୟ ପର୍ଯ୍ୟନ୍ତ କାମ କଲେ । କିନ୍ତୁ କିଛି ଦିନ ପରେ କମ୍ପାନୀରୁ ଶ୍ରମିକଙ୍କ ଛଟେଇ ହେବାରୁ ତାଙ୍କୁ ମଧ୍ୟ କାମରୁ ବାହାର କରାଯାଇଥିଲା । ପରିବାରର ଗମ୍ଭୀର ସ୍ଥିତିକୁ ଦେଖି ଆଞ୍ଚଲ୍ ଏବଂ ତାଙ୍କ ଭାଇ ସ୍କୁଲ୍ ଛାଡିଲେ । ଭାଇ ଗୋଟିଏ ମୋଟର୍ ଗ୍ୟାରେଜ୍ ରେ କାମ କଲେ ଏବଂ ଆଞ୍ଚଲ୍ ଗୋଟିଏ କମ୍ପାନୀରେ ପରିଚାରିକା ରୁପେ କାମ କଲେ । ପରିଶ୍ରମୀ ହୋଇଥିବାରୁ କେଉଁଠି ତାଙ୍କୁ ଶିକ୍ଷାଗତ ଯୋଗ୍ୟତା ପାଇଁ ସଂଘର୍ଷ କରିବାକୁ ପଡିନଥିଲା । ଧିରେ ଧିରେ ସେ ଏକ ଏଜେନ୍ସୀରେ ବ୍ରୋକର୍ ଚାକିରୀରେ କାମ କରିବା ଆରମ୍ଭ କଲେ ଏବଂ ପରିବାର ପାଇଁ ବ୍ୟକ୍ତିଗତ ଫ୍ଲାଟ୍ ନେବା ପାଇଁ ସକ୍ଷମ ହେଲେ । ଜୀବନରେ ଏତେ ସଂଘର୍ଷ କଲା ପରେ ସାନଭଉଣୀର ହତ୍ୟା ତାଙ୍କ ଶକ୍ତ କରୁଥିବା ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲା । ପରିବାରର ବିନା ସମର୍ଥନରେ ନିଜ ପୁରୁଷ ବନ୍ଧୁଙ୍କୁ ବିବାହ କରିଥିବା ସାନଭଉଣୀଙ୍କୁ ଆଞ୍ଚଲ୍ ସହଯୋଗ କରିଥିଲେ । କିନ୍ତୁ ବିବାହର ୫ ମାସ ପରେ ନିଜ ସ୍ୱାମୀଙ୍କ ହାତରୁ ହିଁ ପ୍ରାଣ ହରାଇଥିବା ସାନଭଉଣୀକୁ ନ୍ୟାୟ ଦେବା ପାଇଁ ସେ କୋର୍ଟକଚେରୀର ଦ୍ୱାରସ୍ଥ ହେଲେ । ଶେଷରେ ଦୋଷୀଙ୍କ ଆଜୀବନ କାରାବାସ ଦଣ୍ଡରେ ଦଣ୍ଡିତ କରି ମୃତ ଭଉଣୀକୁ ନ୍ୟାୟ ଦେଇଥିଲେ ଆଞ୍ଚଲ୍ । ଏହି ଦୁଃଖଦ ଘଟଣା ସମ୍ପୁର୍ଣ୍ଣ ପରିବାରକୁ ସ୍ତବ୍ଧ କରି ରଖି ଦେଇଥିଲା । ସଂପର୍କୀୟଙ୍କ କହିବା ପରେ ଆଞ୍ଚଲଙ୍କ ବିବାହ ମଧ୍ୟ ହୋଇଥିଲା କିନ୍ତୁ ବାରମ୍ବାର ଯୌତୁକ ନିର୍ଯାତନା ମିଳିବା ପରେ ବିବାହର ୩ ମାସ ପରେ ହିଁ ସେ ଛାଡପତ୍ର ଦେଇ ରିୟଲ୍ ଏଷ୍ଟେଟ୍ ଫର୍ମ ଆରମ୍ଭ କରିଥିଲେ ।

ଗୋଟିଏ ପଟେ ମା’ଙ୍କ ମସ୍ତିଷ୍କ ରୋଗ ଅନ୍ୟପଟେ ପିତାଙ୍କ ପକ୍ଷଘାତ ରୋଗ ଦୁହିଁଙ୍କ ଭାର ଆଞ୍ଚଲଙ୍କ କାନ୍ଧ ଉପରେ ପଡିଥିଲା । ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟଗତ ଅବହେଳା ଦୃଷ୍ଟିରୁ ତାଙ୍କ ଦେହ ଖରାପ ହେବାକୁୁ ଲାଗିଲା ଏବଂ ସ୍ତନରେ ଗାଣ୍ଠ ପଡିବା ଭଳି ଅନୁଭବ ହେଲା । କିନ୍ତୁ ରୋଗାଗ୍ରସ୍ତ ବାପାମା’ଙ୍କ ଆଗରେ ତାଙ୍କୁ ନିଜ ସ୍ୱାସ୍ଥ୍ୟର ଅଣଦେଖା କରିବାକୁ ପଡିଥିଲା । ୨୦୧୭ ରେ ତାଙ୍କୁ ତୃତୀୟ ଚରଣର ସ୍ତନ କର୍କଟ ହେବାର ସୂଚନା ମିଳିଲା । ମହଙ୍ଗା ଏବଂ ଶରୀରରୁ ପ୍ରାଣ ବାହାର କରିଦେଲା ଭଳି ଚିକିତ୍ସା ସମୟରେ ଯେତେବେଳେ ତାଙ୍କ ପାଖକୁ ସିଗନାଲ୍ ର କିଛି ପିଲା ଟଙ୍କା ମାଗିବାକୁ ଆସିଲେ ସେ ଟଙ୍କା ଦେବାକୁ ମନା କରି ସେମାନଙ୍କୁ ଏକ ଢାବାରେ ଖାଇବାକୁ ଦେଇଥିଲେ । ଭୋକିଲା ପିଲାଙ୍କ ପେଟ ପୁରୁଥିବାର ଖୁସି ଆଞ୍ଚଲଙ୍କୁ ଏତେ ଆତ୍ମତୃପ୍ତି ଦେଲା ଯେ ସେ ପ୍ରତିଦିନ ପିଲାମାନଙ୍କ ପାଇଁ ଘରେ ଖାଦ୍ୟ ପ୍ରସ୍ତୁତି କରି ରଙ୍ଗପୁରୀ ମଲିନ୍ ବସ୍ତିରେ ପହଁଚନ୍ତି । ଆଞ୍ଚଲଙ୍କ କହିବାନୁସାରେ , ସେ ପାଖାପାଖି ୧ ଲକ୍ଷ ପିଲାଙ୍କୁ ଖାଦ୍ୟ ଖୁଆଇଛନ୍ତି । କିଛି ଦିନ ଭିତରେ ଆଞ୍ଚଲ୍ ଙ୍କ ଏହି କାମ ଏତେ ଲୋକପ୍ରିୟତା ହାସଲ କଲା ଯେ “ମିଲ୍ ଅଫ୍ ହାପିନେସ୍” ନାମକ ଏକ ଏନଜିଓ ମଧ୍ୟ ଖୋଲାଗଲା ଏବଂ ଆଞ୍ଚଲଙ୍କୁ ଏହି ପୁଣ୍ୟ କାମ ପାଇଁ ଡୋନେସନ୍ ମଧ୍ୟ ମିଳିବାକୁ ଲାଗିଲା ।