କୋଡିଏରେ ବି ଚାଲିବ କେଜ୍ରିୱାଲଙ୍କ ଯାଦୁ ? ଆପ ସପକ୍ଷରେ ଗଲା ବୁଥ ବାହୁଡା ମତ । ଏଥର ବି ଝାଡୁ ମାରି ପଦ୍ମ ପୋଛି ନେଇପାରେ ଆମ ଆଦମୀ ପାର୍ଟି

367

କନକ ବ୍ୟୁରୋ: ଦିଲ୍ଲୀ ପାଇଁ ପରୀକ୍ଷା ସରିଲା । ପ୍ରସ୍ତୁତି, ପ୍ରତୀକ୍ଷା ପରେ ଆଜି ବହୁ ପ୍ରତିକ୍ଷିତି ପରୀକ୍ଷାରଲ ଅନ୍ତ ଘଟିଲା । ତେବେ ୩ ପ୍ରମୁଖ ଦଳର ନେତା ଓ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସରେ ଭରିଛନ୍ତି ଜନତା । କେଉଁ ଦଳକୁ ଦିଲ୍ଲୀବାସୀ ଏଥର ବାଛିଛନ୍ତି, କାହାକୁ ନିଜର କାହାକୁ ପର କରିଛନ୍ତି ଅବଶ୍ୟ ତାହା ରେଜଲ୍ଟ ପ୍ରକାଶ ପରେ ସ୍ପଷ୍ଟ ହେବ ମାତ୍ର ଫଳ ବାହାରିବା ପୂର୍ବରୁ ପ୍ରକାଶ ପାଇଛି ଭୋଟ ବାହୁଡା ମତ ।

ବିଭିନ୍ନ ସଂସ୍ଥା ଲୋକଙ୍କ ମତକୁ ଆକଳନ କରି ଏଥର କିଏ ଦିଲ୍ଲୀରେ ଆସିବ ତାହା ଜଣାଇଛନ୍ତି । ଟାଇମସ ନାଓ ଏବଂ ଇଣ୍ଡିଆ ଟିଭିର ସର୍ଭେ ଅନୁସାରେ ଆପକୁ ୪୪, ବିଜେପିକୁ ୨୬ ଏବଂ କଂଗ୍ରେସକୁ କୌଣସି ବି ଗୋଟିଏ ଆସନ ମିଳିନପାରେ ।

ରିପବ୍ଲିକ ଟିଭିର ମତ ଅନୁସାରେ ଆପ ୪୮ରୁ ୬୧ଟି ଆସନ ପାଇବ, ବିଜେପି ୯ରୁ୨୧ ଏବଂ କଂଗ୍ରେସ ଗୋଟିଏ ଆସନ ଅକ୍ତିଆର କରିପାରେ । ସୁଦର୍ଶନ ନ୍ୟୁଜ୍ ଅନୁସାରେ ଆପ- ୪୦-୪୫, ବିଜେପି- ୨୪ରୁ ୨୮, କଂଗ୍ରେସ- ୨ରୁ ୩ । ଟିଭି୯ ଭାରତବର୍ଷ ଅନୁସାରେ ଆପ- ୫୪, ବିଜେପି- ୧୫, କଂଗ୍ରେସ-୧ । ଇଣ୍ଡିଆ ନ୍ୟୁଜ୍ ନେତାର ଆକଳନ ଅନୁସାରେ ଆପ- ୫୩ରୁ ୫୭, ବିଜେପି- ୧୧ରୁ ୧୭ ଏବଂ କଂଗ୍ରେସକୁ ମାତ୍ର ୨ଟି ଆସନ ମିଳିପାରେ ।

ମୋଟ ୭୦ଟି ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ମୁହାଁମୁହିଁ ହୋଇଥିବାବେଳେ ଗତ ଥର ଆମ ଆଦମୀ ପାର୍ଟି ୭୦ ଆସନରୁ ଝାଡୁ ମାରି ୬୭ଟି ଆସନ ଅକ୍ତିଆର କରିଥିଲା । ଆଉ ଦିଲ୍ଲୀ ଦରବାରରେ ସରକାର ଗଢିଥିଲା । ଯେଉଁଠି ସାରା ଦେଶରେ ମୋଦି ହାୱା ପାଇଁ ପୂରା ଗଣିତ ବଦଳିଯାଇଥିଲା ମାତ୍ର ଦିଲ୍ଲୀରେ କିନ୍ତୁ ମୋଦିଙ୍କ ମ୍ୟାଜିକ କାମ କରିନଥିଲା । ୨୦୧୪ରେ କେନ୍ଦ୍ରରେ ମୋଦି ସରକାର ଆସିଥିଲେ ବି ଦିଲ୍ଲୀରେ କିନ୍ତୁ ୨୦୧୫ରେ ପ୍ରଥମ ଥର ପାଇଁ ଆମ ଆଦମୀ ପାର୍ଟି ସରକାର ଗଢିଥିଲା ।

ମୋଟ ଆସନରୁ ଆପ ଖାତାରେ ୬୭ଟି ପଡିଥିବା ବେଳେ ମାତ୍ର ୩ଟି ସିଟ ଅକ୍ତିଆର କରିବାରେ ସଫଳ ହୋଇଥିଲା ବିଜେପି । ଆଉ ଅନ୍ୟପଟେ କଂଗ୍ରେସ କୌଣସି ବି ଆସନ ଜିତି ନପାରି ମାଟି କାମୁଡି ପଡିଥିଲା । ଅରବିନ୍ଦ କେଜ୍ରିୱାଲଙ୍କ ଭାଷଣ ଓ ପ୍ରତିଶ୍ରୁତିରେ ଦିଲ୍ଲୀବାସୀ ବିଶ୍ୱାସ କରି ଆପ ଖାତାରେ ମୋହର ମାରି ଚାଲିଥିଲେ ଆଉ ଶେଷରେ କେଜ୍ରିୱାଲଙ୍କ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଥିଲେ । ଆଉ ଏଥର ବି ସମସ୍ତ ବୁଥ ବାହୁଡା ମତ ଅରବିନ୍ଦଙ୍କ ସପକ୍ଷରେ ଯାଇଛି । ଯାହା ଦର୍ଶାଉଛି କି କୋଡିଏରେ ବି ଦିଲ୍ଲୀରେ ଚାଲିବ କେଜ୍ରିୱାଲଙ୍କ ଯାଦୁ ।