ପୁଣି ଦିଲ୍ଲୀର ଏମ୍ସ ହସ୍ପିଟାଲରୁ ଆସିଲା ଭଲ ଖବର : ମା କୋଳକୁ ଗଲା ଜଗା, ବଳିଆ ଅବସ୍ଥା ସ୍ଥିର

43

କନକ ବ୍ୟୁରୋ : ପୁଣି ଦିଲ୍ଲୀର ଏମ୍ସ ହସ୍ପିଟାଲରୁ ଆସିଲା ଭଲ ଖବର । ମା କୋଳକୁ ଗଲା ଜଗା । ନର୍ମାଲ ୱାର୍ଡରେ ମା କୋଳରେ ଜଗା ଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଜଗାର ଆଖି ମଧ୍ୟ ପରୀକ୍ଷା କରାଯାଇଛି । ଆଖି ଠିକ ଥିବା ନେଇ ଏମ୍ସ ଡାକ୍ତର କହିଛନ୍ତି । ସେପଟେ ବଳିଆର ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତା ଲାଗିରହିଥିବା ବେଳେ ଆଜି ବଳିଆକୁ ନେଇ ମଧ୍ୟଭଲ ଖବର ଆସିଛି । ବଳିଆ ଧିରେଧିରେ ସଙ୍କଟଜନକ ସ୍ଥିତିକୁ ଅତିକ୍ରମ କରିବାରେ ଲାଗିଛି।

ଅପରେସନ ପରେ ଜଗାର ସ୍ୱାସ୍ଥ୍ୟରେ ଶୀଘ୍ର ଉନ୍ନତି ଆସିଥିଲେ ମଧ୍ୟ ବଳିଆ କ୍ଷେତ୍ରରେ ଏହା ଦେଖାଯାଇନଥିଲା । ତେଣୁ ବଳିଆ ଉପରେ ଏମ୍ସର ଡାକ୍ତରମାନେ ମଧ୍ୟ ସନ୍ଦିହାନ ହୋଇପଡିଥିଲେ । କିନ୍ତୁ ଧିରେ ଧିରେ ବଳିଆ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଲା । ଆଜି ବଳିଆକୁ ଆଇସିୟୁରୁ ନର୍ମାଲ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି ।

ଅକ୍ଟୋବର ୨୫ରେ ଦିଲ୍ଲୀ ଏମ୍ସରେ ଯୋଡା ମୁଣ୍ଡ ଶିଶୁ ଜଗା ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ହୋଇଥିଲା । ଏହି ଅପରେସନଟି ଥିଲା ବେଶ ଜଟିଳ । କାରଣ ଏଥିରେ ଲାଗିରହିଥିବା ଉଭୟଙ୍କ ମୁଣ୍ଡକୁ ଅଲଗା କରାଯାଇଥିଲା । ଏହି ବିରଳ ଅସ୍ତ୍ରୋପଚାର ପାଇଁ ଏକ ବିଶାଳ ଡାକ୍ତର ଟିମ୍ ଗଠନ କରାଯାଇଥିଲା । ଏଥିରେ ନିଶ୍ଚେତକ, ହୃଦବିଭାଗ, ଶିଶୁ ଚିକିତ୍ସା ବିଭାଗ, ନ୍ୟୁରୋଲଜି ଆଦି ବିଭିନ୍ନ ବିଭାଗର ଡାକ୍ତର ରହିଥିଲେ ।

ଅପରେସନରେ ୨୦ ସର୍ଜନ ଓ ୧୦ ଆନାସଥେସିଆ ସ୍ପେଶାଲିଷ୍ଟ ଥିଲେ । ଅକ୍ଟୋବର ୨୫ତାରିଖ ସକାଳ ୬ଟା ୩୦ରେ ବିଶ୍ୱର ଏକ ବିରଳ ଅପରେସନ ପାଇଁ ଜଗା-ବଳିଆଙ୍କୁ ନିଆଗଲା । ଶିଶୁଙ୍କ ମୁଣ୍ଡ ଅଲଗା କରିବାର ପ୍ରଥମ ତଥା ଜଟିଳ ପ୍ରକ୍ରିୟା ଥିଲା ନିଶ୍ଚେତକ ପ୍ରକ୍ରିୟା । ୨୫ ଘଂଟାର ମାରାଥନ୍ ଅପରେସନ୍ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା ଶିଶୁଙ୍କୁ ସଠିକ୍ ନିଶ୍ଚେତକ ଦେବା । ନିଶ୍ଚେତକ ଦେବା ପରେ ପ୍ରାୟ ସାଢେ ୯ଟାରେ ୨୦ ଜଣିଆ ଡାକ୍ତରୀ ଟିମ୍ ଆରମ୍ଭ କଲେ ଅପରେସନ୍ । ସାମ୍ନାରେ ଚ୍ୟାଲେଂଜ ଥିଲା ଅସମ୍ଭବକୁ ସମ୍ଭବ କରିବାର, ଇତିହାସ ରଚିବାର । ଧିରେ ଧିରେ ନିଶ୍ଚେତକ କାମ କରୁଥିଲା । ଆଉ ଏପଟେ ଚାଲିଥିଲା ବିଭିନ୍ନ ପରୀକ୍ଷା । ଦୁଇ ଶିଶୁଙ୍କ ରକ୍ତ ଜମାଟ, ହାର୍ଟବିଟ୍, ଇନଫେକ୍ସନ, ରକ୍ତଚାପ, ହାର୍ଟକୁ ରକ୍ତ ସଂଚାଳନ, ଅମ୍ଲଜାନ ସବୁର ପରୀକ୍ଷା କରାଯାଉଥିଲା । ରାତି ପ୍ରାୟ ୮ଟାରେ ଅଲଗା ହେଲା ଜଗା ବଳିଆଙ୍କ ଯୋଡା ମୁଣ୍ଡ । ମୁଣ୍ଡ ଅଲଗା ହେବା ପରେ ଖପୁରୀ କି ଚର୍ମ ନଥିଲା । ସେସବୁକୁ ଅଲଗା ପାଇଁ ପ୍ଲାଷ୍ଟିକ ସର୍ଜନକୁ ୪ରୁ ୫ଘଂଟା ଲାଗିଥିଲା । ସକାଳ ପ୍ରାୟ ସାଢେ ୩ଟାରେ ସରିଲା ପ୍ଲାଷ୍ଟିକ ସର୍ଜନଙ୍କ କାମ । ପ୍ରତି ୨୫ ଲକ୍ଷରେ ଜଣେ ଏଭଳି ଶିଶୁ ଜନ୍ମ ନେଇଥାନ୍ତି ଏବଂ ୮୦ରୁ ୯୦ ପ୍ରତିଶତ ମୃତ୍ୟୁର ଶିକାର ହୋଇଥାନ୍ତି । ତେବେ ଜଗା ବଳିଆଙ୍କ ଅପରେସନ ଅସମ୍ଭବ ଲାଗୁଥିଲା ହେଲେ ଚ୍ୟାଲେଂଜ ଥିଲା ଇତିହାସ ରଚିବାର ।

ଏହା ପୂର୍ବରୁ ଅଗଷ୍ଟ ୨୮ତାରିଖରେ ଦିଲ୍ଲୀ ଏମ୍ସରେ ଜଗା ବଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅପରେସନ ହୋଇଥିଲା । ୪୦ ଜଣିଆ ଡାକ୍ତରୀ ଦଳ ୨୦ଘଂଟାରୁ ଅଧିକ ସମୟ ଧରି ଏହି ଅପରେସନ କରିଥିଲେ । ଏଥିରେ ଜାପାନରୁ ଆସିଥିବା ବିଶେଷଜ୍ଞ ବି ସାମିଲ ହୋଇଥିଲେ । ଯୋଡା ମୁଣ୍ଡ ଶିଶୁ ଜଗା ବଳିଆଙ୍କ ମଧ୍ୟରୁ ବଳିଆର ରକ୍ତ ସଂଚାଳନ ଜଗାକୁ ହେଉଥିଲା । ବଳିଆର ମସ୍ତିଷ୍କ ଯୋଡ଼ି ହୋଇଥିଲା ଜଗାର ମସ୍ତିଷ୍କ ସହ । ବଳିଆକୁ ଦିଆଯାଉଥିବା ତରଳ ଖାଦ୍ୟ ଜଗା ଦେହକୁ ଯାଉଥିଲା ଫଳରେ ଜଗାର ଅଧିକ ପରିସ୍ରା ହେଉଥିଲା । ତେବେ ପ୍ରଥମ ପର୍ଯ୍ୟାୟ ଅପରେସନରେ ବଳିଆର ରକ୍ତ ସଂଚାଳନକୁ ଜଗାଠାରୁ ଅଲଗା କରାଯାଇଥିଲା । ଏଥିପାଇଁ କୃତ୍ରିମ ଶିରାପ୍ରଶିରା ରୋପଣ କରାଯାଇଥିଲା । କୃତ୍ରିମ ଶିରାପ୍ରଶିରାର ଢ଼ାଂଚା ତିଆରି କରିବା ଏବଂ ଏହାକୁ ବଳିଆ ଦେହରେ ରୋପଣ କରିବା ପାଇଁ ସ୍ୱତନ୍ତ୍ର ଭାବେ ଜାପାନରୁ ଜଣେ ଡାକ୍ତରଙ୍କୁ ଡକାଯାଇଥିଲା । ଏବଂ ଜାପାନର ସେହି ଡାକ୍ତର ପ୍ରଥମ ପର୍ଯ୍ୟାୟର ୨୦ ଘଂଟାର ଅପରେସନରେ ନିଜେ ନେଇଥିଲେ ୧୫ ଘଂଟା ।