ଦିଲ୍ଲୀ ଏମ୍ସରୁ ଆସିଲା ଭଲ ଖବର । ସୁସ୍ଥ ଅଛନ୍ତି ଜଗା-ବଳିଆ, ଡାକ୍ତରଙ୍କ କଥା ବୁଝିପାରୁଛି ଜଗା

132

କନକ ବ୍ୟୁରୋ: ଭଲ ଅଛନ୍ତି ଜଗା-ବଳିଆ । ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଜଗା-ବଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଦୁଇ ଶିଶୁଙ୍କ ଶ୍ୱାସକ୍ରିୟା ଏବଂ ରକ୍ତ ସଂଚାଳନ ମଧ୍ୟ ଠିକ୍ ଚାଲିଛି । ଆଜି ଦିଲ୍ଲୀସ୍ଥିତ ଏମ୍ସ ଏନେଇ ଜଗାବଳିଆଙ୍କ ସ୍ୱାସ୍ଥ୍ୟ ବୁଲେଟିନ୍ ଜାରି କରିଛି । ଏଥିରେ କୁହାଯାଇଛି, ୨୫ ଜଣ ଡାକ୍ତର ଜଗା ବଳିଆଙ୍କ ଉପରେ ନଜର ରଖିଛନ୍ତି । ୩ ଦିନ ତଳେ ଜଗା-ବଳିଆଙ୍କୁ ଅଲଗା କରି ଏହି ହସ୍ପିଟାଲ୍ ସେମାନଙ୍କୁ ସୁସ୍ଥ କରିବା ପାଇଁ ପୁରା ଦମ୍ ଲଗାଇଦେଇଛି । ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ୱରେ ଏହି ଡାକ୍ତରୀ ଟିମ୍ ଦୁଇ ଶିଶୁଙ୍କର ପ୍ରତି ମିନିଟର ଖବର ରଖୁଛନ୍ତି ।

ଭାବାବେଗ ଭରା ପ୍ରାର୍ଥନା ଏବଂ ସୁସ୍ଥତା କାମନା ଭିତରେ ଜଗା-ବଳିଆଙ୍କୁ ନେଇ ଦିଲ୍ଲୀ ଏମ୍ସରୁ ଆସିଛି ଏକ ଭଲ ଖବର । କନ୍ଧମାଳର ଏହି ଯୋଡ଼ା ମୁଣ୍ଡ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି । ଦିଲ୍ଲୀ ଏମ୍ସ ପକ୍ଷରୁ ଜାରି ହୋଇଛି ଏକ ପ୍ରେସ ବିଜ୍ଞପ୍ତି । ଯେଉଁଥିରେ କୁହାଯାଇଛି କି, ଏକ ୨୫ ଜଣିଆ ଡାକ୍ତରି ଦଳ ଜଗାବଳିଆର ଚିକିତ୍ସା କରୁଛନ୍ତି । ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି ଏବଂ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଛି । ଶ୍ୱାସ କ୍ରିୟା ଏବଂ ରକ୍ତ ସଂଚାଳନ ପ୍ରକ୍ରିୟା ସ୍ଥିର ରହିଛି । ରକ୍ତ ସଂଚାଳନ ପ୍ରକ୍ରିୟା ଏଇଥି ପାଇଁ ଗୁରୁତ୍ୱପୂର୍ଣ୍ଣ, ଯେହେତୁ ଜଗା-ବଳିଆଙ୍କ ରକ୍ତ ସଂଚାଳନ ଜଟିଳ ଥିଲା ।

ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅପରେସନରେ ରକ୍ତ ସଂଚାଳନ ମାଧ୍ୟମକୁ ଉଭୟଙ୍କର ଅଲଗା ଅଲଗା କରାଯାଇଥିଲା । ଏମ୍ସର ହେଲ୍ଥ ବୁଲେଟିନ୍ କହୁଛି- ଜଗାବଳିଆଙ୍କ ରକ୍ତ ସଂଚାଳନ ଏବେ ଠିକ୍ ଅଛି । ଏଥିସହ ସେମାନଙ୍କର ହୃଦସ୍ପନ୍ଦନ ସ୍ୱାଭାବିକ ରହିଛି ବୋଲି ଏଥିରେ ସୂଚନା ଦିଆଯାଇଛି । କନ୍ଧମାଳର ଏହି ଯୋଡ଼ା ମୁଣ୍ଡ ଶିଶୁଙ୍କ ପାଇଁ ସାରା ଓଡ଼ିଶା ପ୍ରାର୍ଥନା କରୁଛି । ସମସ୍ତଙ୍କ ମୁହଁରେ କେବଳ ଗୋଟିଏ କଥା ସେ ସୁସ୍ଥ ହୋଇ ଘରକୁ ଫେରି ଆସନ୍ତୁ ।

ଏମ୍ସର ଡାକ୍ତରମାନେ କହିଛନ୍ତି ଜଗା, ଡାକ୍ତରଙ୍କ କଥା କିମ୍ବା ଠାରକୁ ବୁଝିପାରୁଛି । ଅର୍ଥାତ୍ ଅପରେସନ୍ ପରେ ଜଗାର ସ୍ୱାସ୍ଥ୍ୟ ବସ୍ଥାରେ ଶୀଘ୍ର ପରିବର୍ତ୍ତନ ଆସୁଛି । ତେବେ କିଡନୀ ଜନିତ ସମସ୍ୟା କାରଣରୁ ଜଗାକୁ ଡାଏଲିସିସରେ ରଖାଯାଇଛି । ତେବେ ଡାକ୍ତରମାନେ ଆଶା ରଖିଛନ୍ତି ୧୦ରୁ ୧୫ ଦିନ ମଧ୍ୟରେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିବ । କିନ୍ତୁ ଜଗା-ବଳିଆ ଏବେ ସଂପୂର୍ଣ୍ଣ ଠିକ୍ ହୋଇଯାଇଛନ୍ତି ବୋଲି କହିହେବ ନାହିଁ । ଏ ବିଷୟରେ ସଂକେତ ଦେଇ ଦିଲ୍ଲୀର ଏମ୍ସ ହସ୍ପିଟାଲ କହିଛି- ଅସୁସ୍ଥତା କାରଣରୁ ସେମାନଙ୍କୁ ୭ରୁ ୧୦ ଦିନ ଆଇସିୟୁରେ ରହିବାକୁ ପଡ଼ିପାରେ । ସ୍ୱାସ୍ଥ୍ୟବସ୍ଥା ଦେଖି ଏହି ଅବଧି ବଢ଼ାଇ ପାରନ୍ତି ଡାକ୍ତର ।