ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟସ୍ନାନ : ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଶ୍ରୀଜିଉ

166

କନକ ବ୍ୟୁରୋ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି । ୧୦୮ ଗରା ସୁବାସିତ ଜଳରେ କଲେ ସ୍ନାନ । ସ୍ନାନ ପରେ ହାତୀବେଶରେ ଦର୍ଶନ ଦେବେ ମହାପ୍ରଭୁ । ଶୃଙ୍ଖଳିତ ଦର୍ଶନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଅଛି । ସୁରକ୍ଷା ଦାୟିତ୍ୱରେ ୪୩ ପ୍ଲାଟୁନ୍ ପୋଲିସ ଫୋର୍ସ ଅଛନ୍ତି । ଆଜି ସକାଳେ ରତ୍ନ ସିଂହାସନରୁ ଆସି ସ୍ନାନବେଦୀରେ ବିଜେ ହୋଇଥିଲେ ମହାପ୍ରଭୁ ।

 

 

 

ପରମ୍ପରା ଅନୁସାରେ ପ୍ରଭୁ ବଳଭଦ୍ର ୩୩, ଜଗନ୍ନାଥ ୩୫, ଦେବୀ ସୁଭଦ୍ରା ୨୨ ଓ ସୁଦର୍ଶନ ମହାପ୍ରଭୁ ୧୮ ଗରାରେ ମହାସ୍ନାନ କରନ୍ତି । ସବୁଦିନ ଗର୍ଭଗୃହରେ ସ୍ନାନ କରନ୍ତି ମହାବାହୁ । ହେଲେ ଆଜି ସମସ୍ତଙ୍କ ସମ୍ମୁଖରେ ସ୍ନାନ କଲେ ତିନି ଠାକୁର । ସର୍ବସମ୍ମୁଖରେ ଚାଲିଛି ସବୁ ନୀତିକାନ୍ତି ।

 

ସ୍ନାନ ପରେ ଭକ୍ତଙ୍କୁ ହାତୀ ବେଶ ତଥା ଗଜାନନ ବେଶରେ ଦର୍ଶନ ଦେବେ ଜଗନ୍ନାଥ ଓ ବଳଭଦ୍ର ମହାପ୍ରଭୁ । କେବଳ ଏତିକି ନୁହେଁ ଆଜି ମଧ୍ୟ ସ୍ନାନ ମଣ୍ଡପରେ ହେବ ସାହାଣମେଳା । ମନ୍ଦିରର ଗର୍ଭଗୃହରେ ଯେପରି ପ୍ରତିଦିନ ନୀତିକାନ୍ତି ହୋଇଥାଏ । ଆଜି ମଧ୍ୟ ଠିକ ସେହିପରି ଭାବରେ ନୀତିକାନ୍ତି ହେବ । ତେବେ ଅତ୍ୟଧିକ ସ୍ନାନ କରିବାପରେ ଜରରେ ପଡିବେ ଠାକୁର । ଆଉ ମିଳିବ ନାହିଁ ଅବଢା କି ମିଳିବ ନାହିଁ ଦର୍ଶନ । ଏହି ସମୟରେ ପଟି ଦିଅଁକୁ ହିଁ ଭକ୍ତ ଦର୍ଶନ କରିବାର ପରମ୍ପରା ରହିଛି । ଅଣସର ପିଣ୍ଡିକୁ ବିଜେ ହେବାପରେ ଦଇତାପତି ସେବକମାନେ ଶ୍ରୀଜିଉଙ୍କ ଗୁପ୍ତନୀତି କରନ୍ତି । ଦଇତାଙ୍କ ସେବାପରେ ଧିରେ ଧିରେ ସୁସ୍ଥ ଅନୁଭବ କରନ୍ତି ଠାକୁର । ଆଉ ନେତ୍ର ଉତ୍ସବ ବା ନବଯୌବନ ବେଶରେ ପୁଣି ଥରେ ଭକ୍ତଙ୍କୁ ଦିଅନ୍ତି ଦର୍ଶନ ।