ଅଣସର ଘରେ ମହାପ୍ରଭୁ : ଅସୁସ୍ଥ ଠାକୁରଙ୍କ ଚିକିତ୍ସା ପାଇଁ କ’ଣ ସବୁ ବିଶେଷ ନୀତି କରାଯାଏ ? ଜାଣନ୍ତୁ

315

କନକ ବ୍ୟୁରୋ : ଗତକାଲି ଶ୍ରୀମନ୍ଦିରରେ ଶେଷ ହୋଇଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନବେଦୀରେ ୧୦୮ ଗରା ସୁବାଷିତ ଜଳରେ ଶ୍ରୀଜିଉ ମହାସ୍ନାନ କରିବା ପରେ କୋଟି କୋଟି ଭକ୍ତଙ୍କୁ ଗଜାନନ ବେଶରେ ଦର୍ଶନ ଦେଇଥିଲେ ମହାପ୍ରଭୁ । ସ୍ନାନ ପରେ ଅସୁସ୍ଥ ହୋଇ ଜ୍ୱରରେ ପଡିଛନ୍ତି । ଏହା ପରେ ମହାପ୍ରଭୁ ଚିକିତ୍ସା ପାଇଁ ଅଣସର ଘରକୁ ଯାଇଛନ୍ତି । ଅଣସର ଘରେ ୧୫ଦିନ ଧରି ଅସୁସ୍ଥ ଭଗବାନଙ୍କ ଗୁପ୍ତ ସେବା କରିବେ ସେବାୟତ ।

ଜ୍ୟେଷ୍ଠପୂର୍ଣ୍ଣମାରେ ଚତୁର୍ଦ୍ଧାମୂର୍ତ୍ତି ଦିବ୍ୟସ୍ନାନ କରିବାପରେ ପ୍ରବଳ ଜ୍ୱରରେ ମହାପ୍ରଭୁ ଅଣସର ଘରେ ବିରାଜ କରନ୍ତି । ତେବେ ଏହି ଅଣସର ପିଣ୍ଡିରେ ଠାକୁରଙ୍କର ବିଶେଷ ନୀତି କରାଯାଇଥାଏ । ସ୍ନାନ ପୂର୍ଣ୍ଣମା ରାତିରେ ପହଣ୍ଡି ସରିବା ପରେ ପୂର୍ବରୁ ପଥରରେ ନିର୍ମାଣ କରାଯାଇଥିବା ସିଂହାସନ ଉପରେ ଚତୁର୍ଦ୍ଧାମୁରତିଙ୍କୁ ସେଠାରେ ବିଜେ କରାଯାଇଥାଏ । ଏହାର ୨ ଦିନ ପରେ ଆରମ୍ଭ ହୋଇଥାଏ ଗୁପ୍ତ ନୀତି ।

ଏହି ନୀତିରେ ପ୍ରଥମେ ଠାକୁରଙ୍କ ଓଦାବସ୍ତ୍ର କଢାଯାଇଥାଏ । ପରେ ଦଇତାପତି ସେବାୟତମାନେ ଆରମ୍ଭ କରିଦିଅନ୍ତି ଗୁପ୍ତ ସେବା । ପ୍ରବଳ ଜ୍ୱରରେ ଠାକୁରଙ୍କ ପାଖରେ ଅବଢା କି କୈାଣସି ପ୍ରକାରର ଶଙ୍ଖୁଡି ଭୋଗ ଲାଗି କରାଯାଇନଥାଏ । ଏହି ସମୟରେ ଶୁଖିଲା ଭୋଗ କେବଳ ଲାଗି କରାଯାଏ । ସମସ୍ତେ ଜାଣନ୍ତି ମହାପ୍ରଭୁ ପ୍ରତ୍ୟେକ ସମୟରେ କିଛି ପରିଧାନ କରନ୍ତୁ ବା ନ କରନ୍ତୁ କିନ୍ତୁ ତୁଳସୀ ପରିଧାନ କରନ୍ତି । କେବଳ ଏହି ଅଣସର ପିଣ୍ଡିରେ ଠାକୁରଙ୍କୁ ତୁଳସୀ ଲାଗି କରାଯାଇନଥାଏ ।

ପ୍ରଭୁଙ୍କର ଏହି ସେବା ସମ୍ପୂର୍ଣ୍ଣ ଭାବରେ ଅନ୍ଧାରରେ କରାଯାଏ । ଜ୍ୱର ସାଙ୍ଗରେ ଦେହରେ ଯନ୍ତ୍ରଣା ମଧ୍ୟ ଅନୂଭୁତ ହୁଏ । ତେଣୁ ପୀଡା କମିବା ପାଇଁ ଭଗବାନଙ୍କ ଦେହରେ ଫୁଲୁରୀ ତେଲକୁ ମାଲିସ କରାଯାଏ । ଏହି ସମୟରେ ଭଗବାନ କୈାଣସି ବେଶ ହୁଅନ୍ତି ନାହିଁ । ପ୍ରଭୁଙ୍କୁ ବସ୍ତ୍ରରେ ଘୋଡାଇ ରଖାଯାଏ । କେବଳ ଶୁଖିଲା ଭୋଗ ସମୟରେ ହିଁ ମୁହଁରୁ କପଡା କାଢିଦିଆଯାଏ । ସମସ୍ତେ ଜାଣନ୍ତି ଭଗବାନ ଜ୍ୱରରେ ଥାଆନ୍ତି ତେବେ ଏହି ସମୟରେ ପଟି ଦିଅଁଙ୍କୁ ଭକ୍ତମାନେ ଦର୍ଶନ କରନ୍ତି ।

ତେବେ କିମ୍ବଦନ୍ତୀ କହେ, ଏହି ସମୟରେ ପ୍ରଭୁ ଜଗନ୍ନାଥ ଅଲାରନାଥ ରୂପେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ତେଣୁ ଅଲାରନାଥ ମନ୍ଦିରରେ ପ୍ରବଳ ଭକ୍ତ ସମାଗମ ହୋଇଥାଆନ୍ତି । ଖଡିଲାଗି ଏକାଦଶୀରେ ପ୍ରଭୁଙ୍କୁ ଖଡି ଲାଗି କରାଯାଏ । ପୂର୍ବରୁ ଯେଉଁ ପଥର ଚକା ଉପରେ ଚତୁର୍ଦ୍ଧାମୁରତିଙ୍କୁ ବିଜେ କରାଯାଇଥାଏ । ସେଠାରୁ ଅପସରଣ କରି ଅସ୍ଥାୟୀ ସିଂହାସନକୁ ପହଣ୍ଡି କରାଯାଏ । ସେଠାରେ ବନକଲାଗି କରାଯାଇ ଶ୍ରୀମୁଖ ଶୃଙ୍ଗାର କରାଯାଏ ।

ଏହାପରେ ନେତ୍ର ଅମାବାସ୍ୟାରେ ନେତ୍ରଦାନ ହୋଇଥାଏ । ଦେହ ଭଲ ହେବାପରେ ସାଧାରଣ ଭାବରେ ସମସ୍ତଙ୍କୁ କୁଆଡେ ଟିକେ ବୁଲିବାକୁ ଇଚ୍ଛା ହୁଏ । ତେଣୁ ଭଗବାନ ମଧ୍ୟ ନିଜର ଜନ୍ମ ବେଦୀକୁ ନଅ ଦିନ ବ୍ୟାପୀ ଯାତ୍ରା କରନ୍ତି । ଏହି ୧୫ ଦିନ ମଧ୍ୟରେ ପ୍ରଭୁଙ୍କର ଅନେକ ଗୁପ୍ତନୀତି ଦଇତାପତି ସେବାୟତମାନେ ସମ୍ପାଦନ କରନ୍ତି । ଅଣସର ସମୟରେ ଏକ ସ୍ୱତନ୍ତ୍ର ମୋଦକ ଠାକୁରଙ୍କୁ ସମର୍ପଣ କରାଯିବାର ବିଧି ମଧ୍ୟ ରହିଛି ।