୧୯ ପାଇଁ ବିଜେପିର ପ୍ରତିଶ୍ରୁତି: ସଂକଳ୍ପ ପତ୍ର ଜାରି କରି କହିଲା, କ୍ଷମତାକୁ ଆସିଲେ ବ୍ୟବସାୟୀଙ୍କୁ ବି ମିଳିବ ଭତ୍ତା । ଜାଣନ୍ତୁ କଂଗ୍ରେସ ଇସ୍ତାହାରଠାରୁ କେତେ ଅଲଗା ବିଜେପିର ସଂକଳ୍ପ ପତ୍ର

256

କନକ ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନ ପାଇଁ ଆଜି ବିଜେପି ଜାରି କରିଛି ସଂକଳ୍ପ ପତ୍ର । ୪୮ ପୃଷ୍ଠା ସଂକଳ୍ପପତ୍ରର ନାମ ବିଜେପି ରଖିଛି ସଂକଳ୍ପିତ ଭାରତ ସଶକ୍ତ ଭାରତ । ଏଥିରେ ରହିଛି ୭୫ଟି ସଂକଳ୍ପ । କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରାଜନାଥ ସିଂହ ଆଜି ସଂକଳ୍ପ ପତ୍ର ଘୋଷଣା କରିଛନ୍ତି । ଇସ୍ତାହାରରେ ରାଷ୍ଟ୍ରବାଦ ଓ ଚାଷୀଙ୍କ ଉପରେ ଫୋକସ ରଖାଯାଇଛି । ୨୦୪୭ ଯାଏଁ ଭାରତ ବିକଶିତ ରାଷ୍ଟ୍ର ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି ଦେଶର ସବୁ ଚାଷୀଙ୍କ ବାର୍ଷିକ ୬ ହଜାର ଟଙ୍କା ସହାୟତା ସହ ୬୦ ବର୍ଷ ହେଲେ ଚାଷୀଙ୍କୁ ପେନସନ ଦେବାକୁ ଘୋଷଣା କରିଛି ବିଜେପି । ଭାରତୀୟ ଜନତା ପାର୍ଟି ସଂକଳ୍ପ ପତ୍ରରେ ରାମ ମନ୍ଦିର ନିର୍ମାଣ, ଧାର ୩୭୦, ୩୫-ଏ ହଟାଇବାକୁ ଉଦ୍ୟମ କରିବାକୁ ପ୍ରତିଶ୍ରୁତି ଦେଇଛି । ଛୋଟ ଦୋକାନୀଙ୍କୁ ମଧ୍ୟ ୬୦ ବର୍ଷ ହେଲେ ପେନସନ ମିଳିବ । ସେହିପରି ଦେଶର ସମସ୍ତ ଲୋକଙ୍କୁ ପକ୍କା ଘର ସହ ପାନୀୟ ଜଳ, ବିଜୁଳି ଯୋଗାଇବା ପ୍ରତିଶ୍ରୁତି ଦେଇଛି । ଗ୍ରାମୀଣ ବିକାସ ପାଇଁ ଆସନ୍ତା ୫ ବର୍ଷରେ ୨୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ତେବେ ଅପ୍ରିଲ ୨ ତାରିଖରେ କଂଗ୍ରେସ ଇସ୍ତାହାର ଘୋଷଣା କରିଥିବା ବେଳେ ଆଜି ବିଜେପି ସଂକଳ୍ପ ପତ୍ର ଜାରି କରିଛି । ନଜର ପକାନ୍ତୁ କଂଗ୍ରେସ ଇସ୍ତାହାର ଠାରୁ କେତେ ଅଲଗା ରହିଛି ବିଜେପିର ସଂକଳ୍ପ ପତ୍ର ।

୧- ବିିଜେପି—ସଂକଳ୍ପ ପତ୍ରରେ ରାମ ମନ୍ଦିର ନିର୍ମାଣ ପାଇଁ ସବୁ ପ୍ରକାର ସମ୍ଭାବନା ଉପରେ ବିଚାର କରାଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଛି ।

କଂଗ୍ରେସ- ସେପଟେ ଦେଶର ୨୦ ପ୍ରତିଶତ ପରିବାର ପାଇଁ ବାର୍ଷିକ ୭୨ ହଜାର ଟଙ୍କା ନିଶ୍ଚିତ ରୋଜଗାର ଦେବାକୁ ପ୍ରତିଶ୍ରୁତି ଦେଇଛି କଂଗ୍ରେସ

୨- ବିିଜେପି- ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ରାମ ମନ୍ଦିର ନିର୍ମାଣ କରିବାକୁ ବିଜେପି ନିଜ ସଂକଳ୍ପ ପତ୍ରରେ ଘୋଷଣା କରିଛି

କଂଗ୍ରେସ-ସେପଟେ କଂଗ୍ରେସ ୫ କୋଟି ଗରିବ ପରିବାର ପାଇଁ ନ୍ୟାୟ ଯୋଜନା ଘୋଷଣା କରିଛି

୩- ବିଜେପି – ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗରେ ବିଜେପି ଏଥର ଜମ୍ମୁକଶ୍ମୀରକୁ ନେଇ ବଡ କାର୍ଡ ଖେଳିଛି । ସଂକଳ୍ପ ପତ୍ରରେ ଧାରା ୩୭୦, ୩୫-ଏ ହଟାଇବାକୁ ଉଦ୍ୟମ କରାଯିବା ନେଇ ଭାରତୀୟ ଜନତା ପାର୍ଟି ଘୋଷଣା କରିଛି ।

କଂଗ୍ରେସ- ସେହିପରି ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗରେ ଆଫସା ଆଇନରେ ସଂଶୋଧନ ଆଣିବାକୁ ଉଦ୍ୟମ କରିବ ବୋଲି ନିଜ ଇସ୍ତାହାରରେ ଘୋଷଣା କରିଛି କଂଗ୍ରେସ

୪- ବିଜେପି – ଗରିବଙ୍କ ପାଇଁ ଏଥର ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦେଇ କହିଛି ଦେଶର ସମସ୍ତଙ୍କୁ ପକ୍କା ଘର ସହ ପାଣି, ବିଜୁଳି ଓ ଶୌଚାଳୟ ଯୋଗାଇଦେବ ।

କଂଗ୍ରେସ- ସେପଟେ କଂଗ୍ରେସ ଦେଶର ଗରିବ ପରିବାରକୁ ସରକାରୀ ଆବାସ ସୁବିଧା ଯୋଗାଇବ ବୋଲି ଘୋଷଣା କରିଛି

 

୫- ବିଜେପିି- ଦେଶର କ୍ଷୁଦ୍ର ଚାଷୀଙ୍କ ପାଇଁ ବଡ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ୬୦ ବର୍ଷ ପରେ ଦେଶର କ୍ଷୁଦ୍ର ଚାଷୀଙ୍କୁ ପେନସନ ପ୍ରତିଶ୍ରୁତି ଦେଇଛି

କଂଗ୍ରେସ – ସେପଟେ କଂଗ୍ରେସ ନିଜ ଇସ୍ତାହାରରେ ଘୋଷଣା କରିଛି କଂଗ୍ରେସ ଶାସନକୁ ଆସିଲେ ଚାଷୀ ରୁଣ ନ ଶୁଝିଲେ ଅପରାଧିକ ମାମଲା ରୁଜୁ ହେବନାହିଁ

୬- ବିଜେପିିି—ଦେଶର ସବୁ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇବାକୁ ସଂକଳ୍ପ ପତ୍ରରେ ଘୋଷଣା କରିଛି ବିଜେପି

କଂଗ୍ରେସ—ସେପଟେ କଂଗ୍ରେସ ଇସ୍ତାହାରରେ କହିଛି ଚାଷୀଙ୍କ ସମସ୍ୟାର ସମାଧାନ ଓ ଚାଷୀଙ୍କ ସ୍ୱାର୍ଥକୁ ଜଗିବା ପାଇଁ ସ୍ୱତନ୍ତ୍ର ବଜେଟ୍ ହେବା ଉଚିତ୍

୭- ବିଜେପିି- ବ୍ୟବସାୟୀ ପାଇଁ କ୍ରେଡିଟ୍ କାର୍ଡରେ ୧ଲକ୍ଷ ଟଙ୍କାର ରୁଣ ଉପରେ ସୁଧ ଛାଡ କରିବାକୁ ଘୋଷଣା କରିଛି ବିଜେପି

କଂଗ୍ରେସ- ସେପଟେ ଯୁବ ଉଦ୍ୟୋଗୀଙ୍କୁ ୩ବର୍ଷ ଯାଏଁ ବିନା ଅନୁମତିରେ ନୂଆ ବ୍ୟବସାୟ କରିପାରିବେ ବୋଲି ପ୍ରତିଶ୍ରୁତି ଦେଇଛି ।

 

୮- ବିଜେପିି- ବ୍ୟବସାୟୀଙ୍କ ପାଇଁ ରାଷ୍ଟ୍ରୀୟ ବ୍ୟାପାର ଆୟୋଗ ଗଠନ କରାଯିବା ନେଇ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି

କଂଗ୍ରେସ –ସେପଟେ ଯୁବ ଉଦ୍ୟୋଗୀଙ୍କୁ ୩ ବର୍ଷ ଯାଏଁ ବିନା ଅନୁମତିରେ ନୂଆ ବ୍ୟବସାୟ କରିପାରିବେ ବୋଲି କଂଗ୍ରେସ ପ୍ରତିଶ୍ରୁତି ଦେଇଛି ।

୯- ବିଜେପିି- କୃଷକ ଓ ଗ୍ରାମୀଣ ବିକାଶ ପାଇଁ ୫ ବର୍ଷରେ ୨୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରତିଶ୍ରୁତି ଦେଇଛି

କଂଗ୍ରେସ- ସେପଟେ କଂଗ୍ରେସ ନିଜ ଇସ୍ତାହାରରେ ୨୦୨୦ସୁଦ୍ଧା ପଂଚାୟତସ୍ତରରେ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବ ବୋଲି ଘୋଷଣା କରିଛି

୧୦- ବିଜେପି – ୨୦୨୨ ସୁଦ୍ଧା ନୂଆ ଭାରତ ନିର୍ମାଣ କରାଯିବ ବୋଲି ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଛି ।

କଂଗ୍ରେସ – କଂଗ୍ରେସ ନିଜ ଇସ୍ତାହାରରେ ଘୋଷଣା କରିଛି ୨୦୨୦ ସୁଦ୍ଧା ଖାଲି ପଡିଥିବା ୨୨ ଲକ୍ଷ ସରକାରୀ ପଦରେ ନିଯୁକ୍ତି ଦିଆଯିବ