ପାକିସ୍ତାନ ସେନାକୁ ମାତ୍ ଦେବ ଭାରତର ବନ୍ଧୁକ! ପ୍ରତିରକ୍ଷା ମନ୍ତ୍ରାଳୟର ବଡ ଯୋଜନା

32

ଗତ କିଛି ଦିନ ଧରି ଭାରତ ଓ ପାକିସ୍ତାନ ମଧ୍ୟରେ ସୀମାରେ ପ୍ରବଳ ଉତ୍ତେଜନା ଲାଗି ରହିଛି । ଆତଙ୍କବାଦୀଙ୍କ ଅନୁପ୍ରବେଶ, ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଂଘନକୁ ଦୃଷ୍ଟିରେ ରଖି ସେନାବାହିନୀକୁ ଆହୁରି ଶକ୍ତିଶାଳୀ କରୁଛି ଭାରତ । ପାକିସ୍ତାନକୁ ପାନେ ଦବା ପାଇଁ ଭାରତ ଏବେ ନୂଆ ରଣନୀତି ଆପଣାଇଛି । ଭାରତୀୟ ସେନାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ନିଷ୍ପତି ନେଇଛନ୍ତି ଭାରତ ସରକାର । ଆଉ ଏଥିପାଇଁ ମୋଟ ୧୫,୯୩୫ କୋଟି ଟଙ୍କା ମଞ୍ଜୁର କରିଛି ପ୍ରତିରକ୍ଷା ମନ୍ତ୍ରାଳୟ । ଏହି ବଜେଟରେ ସେନା ୭.୪୦ ଲକ୍ଷ ଆସୋଲ୍ଟ ଓ ୫ ହଜାର ୭୧୯ଟି ସ୍ନାଇପର ରାଇଫଲ କିଣିବାକୁ ନିଷ୍ପତି ନେଇଛି ।

ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା, ଭାରତ ସେନା ଯେତିକି ରାଇଫଲ କିଣିବାକୁ ଯାଉଛି ପାକିସ୍ତାନର ଆର୍ମି, ନୌସେନା ଓ ବାୟୁସେନାର ସୈନିକକଙ୍କ ସଂଖ୍ୟା ମଧ୍ୟ ତାହାଠାରୁ କମ । ଏବେ ପାକିସ୍ତାନର ଆର୍ମି, ନୌସେନା ଓ ବାୟୁସେନାର ମୋଟ ସୈନିକଙ୍କ ସଂଖ୍ୟା ହେଉଛି ୬ ଲକ୍ଷ ୧୭ ହଜାର । ତେଣୁ ଏହି ହିସାବରେ ଦେଖିବାକୁ ଗଲେ ପାକିସ୍ତାନର ପ୍ରତି ସୈନିକଙ୍କ ପିଛା ଭାରତ ହାରାହାରି ୧.୨୦ଟି ବନ୍ଧୁକ କିଣିବାକୁ ଯାଉଛି । ଦୀର୍ଘଦିନ ପରେ ପ୍ରତିରକ୍ଷା ମନ୍ତ୍ରାଳୟ ଏତେ ସଂଖ୍ୟକ ଅସ୍ତ୍ରଶସ୍ତ୍ର କିଣିବାକୁ ଯାଉଛି । ଆଉ ଭାରତର ଏହି ପଦକ୍ଷେପ ପାକିସ୍ତାନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

କେଉଁ ହତିଆର ପାଇଁ କେତେ ବଜେଟ :
ଅସୋଲ୍ଟ ରାଇଫଲ : ୭.୪ ଲକ୍ଷ ଅସୋଲ୍ଟ ରାଇଫଲ କିଣିବା ପାଇଁ ମୋଟ ୧୨,୨୮୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହାକୁ ଭାରତରେ ନିର୍ମାଣ କରିବାକୁ ସ୍ଥିର କରାଯାଇଛି ।
ସ୍ନାଇପର ରାଇଫଲ : ଭାରତୀୟ ଆର୍ମି ଓ ବାୟୁସେନା ପାଇଁ ସ୍ନାଇପର ରାଇଫଲ କିଣିବା ପାଇଁ ୯୮୨ କୋଟି ଟଙ୍କା ବଜେଟ କରାଯାଇଛି । ଏହି ବଜେଟରେ ୫,୭୧୯ଟି ବନ୍ଧୁକ କିଣିବାକୁ ଯୋଜନା ରଖିଛି ପ୍ରତିରକ୍ଷା ମନ୍ତ୍ରାଳୟ ।