ରାଫେଲ ଆସିଲା, ପଡୋଶୀ ଥରିଲା: ଫ୍ରାନ୍ସରେ ଶସ୍ତ୍ର ପୂଜା କରି ରାଫେଲ ଗ୍ରହଣ କଲେ ରାଜନାଥ, ଯୁଦ୍ଧ ବିମାନରେ ଓଁ ଲେଖିଲେ, ଚକା ତଳେ ଲେମ୍ବୁ ଥୋଇ ପୂଜା କଲେ

768

କନକ ବ୍ୟୁରୋ: ଭାରତୀୟ ବାୟୁସେନା ପାଇଁ ଐତିହାସିକ ଦିନ । ଭାରତକୁ ମିଳିଲା ପ୍ରଥମ ରାଫେଲ ବିମାନ । ବିଜୟା ଦଶମୀରେ ବାୟୁସେନାର ଯୁଦ୍ଧ ଯାହାଜ ତାଲିକାରେ ସାମିଲ ହୋଇଗଲା ଦେଶର ସବୁଠୁ ବଡ ଶତ୍ରୁ ସଂହାରକ ରାଫେଲ । ଆଜି ବିଜୟାଦଶମୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଥମେ ପ୍ରଥମ ରାଫେଲର ଶସ୍ତ୍ର ପୂଜା କରିଥିଲେ । ରାଫେଲ ବିମାନରେ ସିନ୍ଦୁରରେ ଲେଖାଯାଇଥିଲା ଓଁ । ରାଜନାଥ ବିମାନରେ ଓମ ଲେଖିଥିଲେ । ପରମ୍ପରା ଅନୁସାରେ ରାଫେଲ ବିମାନର ଚକା ତଳେ ଲେମ୍ବୁ ରଖାଯାଇଥିଲା । ଆଉ ରାଜନାଥଙ୍କ ଉପସ୍ଥିତିରେ ବିଧି ଅନୁସାରେ କରାଯାଇଥିଲା ପୂଜାର୍ଚ୍ଚନା ।

ଏହି ଅବସରରେ ରାଜନାଥ କହିଛନ୍ତି, ଭାରତ ପାଇଁ ଆଜି ଏକ ଐତିହାସିକ ଦିନ । ଏଥିସହ ଭାରତ-ଫ୍ରାନ୍ସ ଦ୍ୱିପାକ୍ଷିକ ସମ୍ପର୍କ ଏକ ନୂଆ ମାଇଲ ଷ୍ଟୋନ ହାସଲ କରିଛି । ରାଫେଲ ତାର ନାଁ ଅନୁସାରେ କାମ କରିବ ବୋଲି କହିଛନ୍ତି ରାଜନାଥ । ରାଫେଲ ବାୟୁସେନାରେ ସାମିଲ ହେବା ଦ୍ୱାରା ବାୟୁସେନାର କ୍ଷମତା ଆହୁରି ବୃଦ୍ଧି ପାଇବ । ୩୬ଟି ରାଫେଲ ଠିକ ସମୟରେ ଫ୍ରାନ୍ସ ଭାରତକୁ ଦେବ । ଦସଲ୍ଟ ଏଭିଏସନ ଦ୍ୱାରା ନିର୍ମାଣ ହୋଇଥିବା ରାଫେଲରେ ରହିଛି ବହୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ଯାହା ଶତ୍ରୁ ପକ୍ଷର ହୋସ ଉଡାଇଦେବ । ଆକାଶମାର୍ଗରେ ରାଫେଲ ତାର ଶକ୍ତି ପ୍ରଦର୍ଶନ କରିବାକୁ ବେଶ ସକ୍ଷମ ।

ଆକାଶ ମାର୍ଗରେ ଶତ୍ରୁ ପକ୍ଷରୁ ହେଉଥିବା ଆକ୍ରମଣକୁ ପ୍ରତିହତ କରିବାରେ ରାଫେଲର ରହିଛି ବିଶେଷ ପାରଦର୍ଶିତା । ଶତ୍ରୁ ପକ୍ଷ ଉପରେ ନଜର ରଖିବା, ଗୁଇନ୍ଦା ତଥ୍ୟ ସଂଗ୍ରହ ଏବଂ ଗ୍ରାଉଣ୍ଡରେ ଶତ୍ରୁପକ୍ଷର ସୈନ୍ୟଙ୍କ ଉପରେ ନଜର ରଖିପାରିବ ରାଫେଲ । ଦୀର୍ଘ ଦୂରତାକୁ ଆକ୍ରମଣ କରିବା ସହିତ ସମୁଦ୍ରରେ ଯୁଦ୍ଧ ଯାହାଜର ମୁକାବିଲା କରିପାରିବ ରାଫେଲ ୨୦୧୬ ମସିହାରେ ରାଫେଲ କିଣିବା ନେଇ ଫ୍ରାନ୍ସ-ଭାରତ ମଧ୍ୟରେ ଚୁକ୍ତି ହୋଇଥିଲା । ତେବେ ରାଫେଲ ଏବେ ଭାରତକୁ ଆସିବ ନାହିଁ । ଆସନ୍ତାବର୍ଷ ମେ ମାସ ବେଳକୁ ଭାରତରେ ପହଂଚିବ ରାଫେଲ ।