ଅଭିନନ୍ଦନ ଫେରିବା ପରେ ସ୍ୱାଭାବିକ ହେଉଛି ସ୍ଥିତି: ହସ୍ପିଟାଲରେ ୱିଙ୍ଗ କମାଣ୍ଡରଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ, କହିଲେ ସାରା ଦେଶପାଇଁ ଗର୍ବ

ଶନିବାର ଓ ରବିବାର ଚାଲିବ ଅଭିନନ୍ଦନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

266

କନକ ବ୍ୟୁରୋ: ପାକିସ୍ତାନରେ ୬୦ ଘଂଟା ବିତାଇ ଫେରିଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନ ଏବେ କଣ କରୁଛନ୍ତି । ବୀର ଯବାନଙ୍କ ହାଲଚାଲ ଉପରେ ରହିଛି ସାରା ଦେଶବାସୀଙ୍କ ନଜର । ଶନିବାର ଦେଶର ବୀର ଯବାନଙ୍କୁ ଭେଟିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ । ଶତ୍ରୁ ଶିବିରର ସେହି ୬୦ ଘଂଟାର ଘଟଣା ନେଇ ପଚାରି ବୁଝିଛନ୍ତି ନିର୍ମଳା । ଅଭିନନ୍ଦନ ଏବେ ଦିଲ୍ଲୀର ଏୟାରଫୋର୍ସ ସେଂଟ୍ରାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ପାକିସ୍ତାନରୁ ଫେରିବା ପରେ କଣ କରୁଛନ୍ତି ଦେଶର ବୀର ଯବାନ ଅଭିନନ୍ଦନ ବର୍ତମାନ । ଏହାକୁ ନେଇ ସାରା ଦେଶବାସୀଙ୍କ ମନରେ ରହିଛି ଉକ୍ରଣ୍ଠା । ଏନେଇ ବିଶେଷ କିଛି ସୂଚନା ବି ମିଳିନି । ଗଣମାଧ୍ୟମକୁ ଆସିଛି ବାସ୍ କେତୋଟି ଫଟୋ । ଏବେ ଦିଲ୍ଲୀରେ ଏୟାରଫୋର୍ସ ସେଂଟ୍ରାଲ ହସ୍ପିଟାଲ ବେଡରେ ଅଛନ୍ତି ଅଭିନନ୍ଦନ । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ହସ୍ପିଟାଲ ବେଡରେ ଅଭିନନ୍ଦନଙ୍କୁ ଭେଟିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ । ଦେଶର ବୀର ଯବାନଙ୍କୁ ହାଲଚାଲ ପଚାରି ବୁଝିଛନ୍ତିି । ସେ ଏବେ କିପରି ଅଛନ୍ତି ? ଶତ୍ରୁ ଶିବିରରେ କଣ ସବୁ ଘଟିଥିଲା ତାଙ୍କ ସାଥିରେ ? କିପରି ଥିଲା ଶତ୍ରୁ ଶିବିରର ସେହି ୬୦ ଘଂଟାର ବନ୍ଦୀ ଜୀବନ ? ଖାସ୍ କରି ଏନେଇ ଅଭିନନ୍ଦନଙ୍କ ସହ ସେ କଥା ହୋଇଛନ୍ତି । ଏହି ସାକ୍ଷାତ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି , ସେ ହେଉଛନ୍ତି ସାରା ଦେଶ ପାଇଁ ଗର୍ବ । ତାଙ୍କର ସାହସ ଓ ଧୌର୍ଯ୍ୟ ପାଇଁ ସାରା ଦେଶ ତାଙ୍କୁ ସାବାସୀ ଦେଉଛି ।

ଶୁକ୍ରବାର ରାତି ୯ଟା ୨୫ ମିନିଟ । ୱାଘା ବର୍ଡର ଦେଇ ପାକିସ୍ତାନରୁ ଭାରତ ମାଟିରେ ପାଦ ରଖିଥିଲେ ଏହି ବୀର ଯବାନ । ଏହାପରେ ଅମୃତସର ଏୟାରପୋର୍ଟରୁ ତାଙ୍କୁ ସିଧା ଅଣାଯାଇଥିଲା ଦିଲ୍ଲୀ । ଏବେ ସେ ଦିଲ୍ଲୀରେ ସେନା ହସ୍ପିଟାଲରେ ଭର୍ତି ହୋଇଛନ୍ତି । ପ୍ରାଥମିକ ପର୍ଯ୍ୟାୟର ପରୀକ୍ଷା ଶେଷ ହୋଇଛି । ଶୁକ୍ରବାର ରାତି ପ୍ରାୟ ୧୧ଟା ୪୫ ମିନିଟରେ ପ୍ରତିରକ୍ଷା ମନ୍ତ୍ରୀ ଦେଶର ବୀର ଯବାନଙ୍କୁ ହସ୍ପିଟାଲରେ ଭେଟିଥିଲେ । ଏହା ପୂର୍ବରୁ ତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ ।